କୋଣାର୍କ,‌୨୪।୧  ରବିବାର ପବିତ୍ର ମାଘ ସପ୍ତମୀ ବୁଡ।  ଶନିବାର ରାତି ୪ଟା୪୧ରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଶନିବାର ଅପରାହ୍ନରୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି।

ଦୁରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମେଳାପଡିଆରେ ବାଉଁଶ କଣି ଓ ପାଲ ପକାଇ ଛୋଟ ଛୋଟ କୁଡ଼ିଆରେ ବିଶ୍ରାମ ନେଉଛନ୍ତି। ମାଟି ହାଣ୍ଡିରେ ଭାତ,ଡାଲମା,ଶୁଖୁଆ ଡାଲମା ରୋଷେଇରେ ଚାରିଆଡ଼େ ବାସ୍ନା ମହକୁଛି। ରୋଷେଇ ସାରି କୁଡ଼ିଆରେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁମାନେ। ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ଇଷାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇବେ।

ମେଳାପଡିଆ ବ୍ୟାରିକେଡ଼ ଯୋଗୁଁ ଆବଦ୍ଧ ହୋଇଥିବାରୁ ଶ୍ରଦ୍ଧାଳୁମାନେ ନିରାଶ ହୋଇଥିଲେ। ସଂଧ୍ୟାରେ ତୀର୍ଥ ପୁଷ୍କରିଣୀ ଠାରୁ ୩କିମି ଦୂରରେ ପୁରୀ ଓ ଭୁବନେଶ୍ବର ଆଡୁ ଆସୁଥିବା ସମସ୍ତ ଯାନବାହାନ ପାର୍କିଂ ଫଳରେ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ମେଳାପଡିଆରେ ସ୍ବାସ୍ଥ୍ୟ ସେବା ଶିବିର, ଅସ୍ଥାୟୀ ଶୈଚାଳୟ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ରହିଛି।ବିଭିନ୍ନ ଅନୁଷ୍ଠାନ ଓ ସୂଚନା ପ୍ରସାରଣ ବିଭାଗ ପକ୍ଷରୁ ଶନିବାର ସାରା ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଶାନ୍ତି ଶୃଙ୍ଖଳା ନିମନ୍ତେ କୋଣାର୍କ ଓ ଚନ୍ଦ୍ରଭାଗାରେ ୩୪ପ୍ଲାଟୁନ ଫୋର୍ସ,୩ଶହ ସ୍ବେଛାସେବୀ ନିୟୋଜିତ ହୋଇଛନ୍ତି।