ମାଲକାନଗିରି, ୩୦/୭ (ଆପ୍ର ). ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛି। ଯବାନଙ୍କ ନାମ ପପ୍ପୁ ଯାଦବ। ସେ ୨୨ତମ ବାଟାଲିୟନରେ ନିୟୋଜିତ ଥିଲେ। ଏହି ଘଟଣା ମିଙ୍ଗାଚଳ ସିଆରପିଏଫ କ୍ୟାମ୍ପରେ ଘଟିଥିଲା। ଯବାନ ଜଣକ ବିହାରର ଭୋଜପୁର ଜିଲ୍ଲାର ବାସିନ୍ଦା ।
ପୋଲିସ ଅନୁଯାୟୀ, ପପ୍ପୁ ଯାଦବଙ୍କୁ ତାଙ୍କ ଏକେ ୪୭ରାଇଫଲ୍ର ଏକ ଗୁଳି ବେକରେ ବାଜିଥିଲା । ଗୁଳିର ଶବ୍ଦ ଶୁଣି ଅନ୍ୟ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପପ୍ପୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ପପ୍ପୁ ଯାଦବ ଗୋଟିଏ ଦିନ ପୂର୍ବରୁ ଛୁଟିରୁ ଡ୍ୟୁଟିକୁ ଫେରି ଆସିଥିଲେ। ଆତ୍ମହତ୍ୟାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜବାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତାଙ୍କ ପରିବାର ବର୍ଗକୁ ସୂଚନା ଦିଆଯାଇଥିବା ବିଜାପୁର ପୋଲିସ ଅଧିକ୍ଷକ (ଏସପି) ଜିତେନ୍ଦ୍ର ଯାଦବ କହିଛନ୍ତି।