ନୂଆଦିଲ୍ଲୀ, ୨୫।୬: ପଶ୍ଚିମ ଏସିଆରେ ଦୀର୍ଘ ସପ୍ତାହ ଧରି ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ସମେତ ସମଗ୍ର ବିଶ୍ୱ ଶକ୍ତି ବଜାର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଅନ୍ତରୀଣ ଚୁକ୍ତି ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ‘ହୋର୍ମୁଜ୍ ପ୍ରଣାଳୀ’ ଦେଇ ଭାରତ ସହ ଜଡ଼ିତ ୩୦ଟି ବାଣିଜ୍ୟିକ ଜାହାଜ ସୁରକ୍ଷିତ ଭାବେ ଅତିକ୍ରମ କରିଛନ୍ତି । ଏହାସହ ଅନ୍ୟ ୨୬ଟି ଜାହାଜ ଏବେ ବାହାରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସାମୁଦ୍ରିକ ଯାତାୟାତ ସ୍ୱାଭାବିକ ହେବା ସହ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ଘଟିଛି ।

ହୋର୍ମୁଜ୍ ପ୍ରଣାଳୀ ପାର୍ କଲେ ଭାରତୀୟ ଜାହାଜ:

ଶିପିଂ ମନ୍ତ୍ରଣାଳୟର ସୂତ୍ର ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ଅଭିମୁଖେ ଆସୁଥିବା ୩୦ଟି ଜାହାଜ ଏ ପର୍ଯ୍ୟନ୍ତ ହୋର୍ମୁଜ୍ ପ୍ରଣାଳୀ ସଫଳତାର ସହ ପାର୍ କରିସାରିଛନ୍ତି । ପାର୍ ହୋଇଥିବା ୩୦ଟି ଜାହାଜ ମଧ୍ୟରୁ ୧୫ଟି ଏଲଏନଜି/ଏଲପିଜି ଗ୍ୟାସ୍ ଜାହାଜ, ୮ଟି ବଲ୍କ କାର୍ଗୋ ଜାହାଜ ଏବଂ ୭ଟି ଅଶୋଧିତ ତେଲ ବୋଝେଇ ଜାହାଜ ରହିଛି । ବାକି ୨୬ଟି ଜାହାଜ ମଧ୍ୟରୁ ୩ଟି ଏନର୍ଜି କାର୍ଗୋ, ୧୦ଟି ସାର ଏବଂ ୧୩ଟି ଅନ୍ୟାନ୍ୟ ଜରୁରୀ ସାମଗ୍ରୀରେ ଭର୍ତ୍ତି ଅଛି । ଭାରତ ଆସୁଥିବା ୩୦ଟି ଜାହାଜ ମଧ୍ୟରୁ ୧୭ଟିରେ ବିଦେଶୀ ପତାକା ଲାଗିଛି, କିନ୍ତୁ ସେଗୁଡ଼ିକର ଗନ୍ତବ୍ୟ ସ୍ଥଳ ଭାରତ ହୋଇଥିବାରୁ ଏହା ଭାରତର ବାଣିଜ୍ୟିକ ସ୍ୱାର୍ଥ ସହ ଜଡ଼ିତ । ଏଥିମଧ୍ୟରୁ ସବୁଠାରୁ ଅଧିକ ୫ଟି ଜାହାଜ ମାର୍ଶଲ ଆଇଲ୍ୟାଣ୍ଡରେ ପଞ୍ଜୀକୃତ ହୋଇଛି ।

ଏହା ବି ପଢ଼ନ୍ତୁ... Strait of Hormuz: ହୋର୍ମୁଜ୍ ଜଳପଥରୁ ଭାରତ ପାଇଁ ବଡ଼ ଖବର; ସଙ୍କଟ ସରିଲା, ଦେଶ ଅଭିମୁଖେ ବାହାରିଲେ ୧୧ଟି ତେଲ ଜାହାଜ

ଆମେରିକା-ଇରାନ ଚୁକ୍ତି ପରେ ସ୍ୱାଭାବିକ ହେଉଛି ସ୍ଥିତି:

ବିଶ୍ୱର ମୋଟ୍ ତେଲ ଓ ଗ୍ୟାସ୍ ଯୋଗାଣର ପ୍ରାୟ ୨୦ ପ୍ରତିଶତ ଭାଗ ଏହି ହୋର୍ମୁଜ୍ ପ୍ରଣାଳୀ ଦେଇ ଗତି କରିଥାଏ । ଯୁଦ୍ଧ ଯୋଗୁଁ ଏହି ମାର୍ଗ ବନ୍ଦ ହେବାର ଆଶଙ୍କା ଥିଲା । ଗତ ମାର୍ଚ୍ଚ ୧ ରୁ ଜୁନ୍ ୧୭ ମଧ୍ୟରେ ମାତ୍ର ୧୯ଟି ଭାରତୀୟ ଜାହାଜ ଏହି ବାଟ ଦେଇ ଯାଇପାରିଥିଲା । କିନ୍ତୁ, ଆମେରିକା ଓ ଇରାନ ମଧ୍ୟରେ ଚୁକ୍ତି ହେବା ମାତ୍ରେ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଆମେରିକାର ଶକ୍ତି ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୨ଟି ଜାହାଜ ଜରିଆରେ ୨ କୋଟି ବ୍ୟାରେଲ୍ କ୍ରୁଡ୍ ଅଏଲ୍ ଏହି ରାସ୍ତା ଦେଇ ପାର୍ ହୋଇଛି । ତେବେ ସମୁଦ୍ରରେ ପୂର୍ବରୁ ବିଛାଯାଇଥିବା ବାରୁଦ ସୁଡ଼ଙ୍ଗ ଯୋଗୁଁ ଜାହାଜଗୁଡ଼ିକର ଗତି ଏବେ ମଧ୍ୟ ଧୀମା ରହିଛି ଏବଂ ସୁରକ୍ଷା ବାହିନୀର ନଜରରେ ଯାତାୟାତ ଜାରି ରହିଛି ।