ଭୁବନେଶ୍ବର,୨୯/୧୨:କାର୍ଯ୍ୟାନୁଷ୍ଠାନକୁ ଓହ୍ଲାଇଛି କ୍ରୁଟ୍‌ । ନିଶାଦ୍ରବ୍ୟ ସେବନ କରି ବେପରୁଆ ଢଙ୍ଗରେ ଗାଡ଼ି ଚଳାଉଥିବା ମୋ ବସ୍‌ ଡ୍ରାଇଭରଙ୍କୁ ସାବାଡ଼ କରିବା ଲାଗି କ୍ରୁଟ୍‌ ପକ୍ଷରୁ ନିୟମିତ ଯାଞ୍ଚ୍‌ କରାଯାଉଛି । ଇତିମଧ୍ୟରେ ଯାଞ୍ଚ୍‌ ବେଳେ ୯ ଜଣ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଧରାପଡ଼ିଛନ୍ତି । ସେହି ସମସ୍ତ ଡ୍ରାଇଭରଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି । ଏଥିସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ପାଇଁ ସମ୍ପୃକ୍ତ ଆର୍‌ଟିଓମାନଙ୍କୁ ଚିଠି ଲେଖାଯାଇଛି ।  ଅପରପକ୍ଷରେ କଟକ ସହରରେ ବଡ଼ ମୋ ବସ୍‌ (୧୨ ମିଟର ଲମ୍ବା) ପରିବର୍ତ୍ତେ ୯ ମିଟର ଲମ୍ବର ଛୋଟ ବସ୍‌ ଚଲାଇବା ପାଇଁ ୨ ଶହ ଗାଡ଼ି ଆସିବା ଲାଗି ଚୁକ୍ତି ହୋଇଛି । ଇତିମଧ୍ୟରେ ୫୦ଟି ବସ୍‌ ଆସିସାରିଥିଲା ବେଳେ ଆସନ୍ତା ୩୦ ତାରିଖ ସୁଦ୍ଧା ଆଉ ୫୦ଟି ବସ୍‌ ଆସିବ ବୋଲି ନିଷ୍ପତ୍ତି ହୋଇଛି । ବାକି ବସ୍‌ଗୁଡ଼ିକ ପର୍ଯ୍ୟାୟ କ୍ରମେ ଆସିବ । 

କଟକ ଏବଂ ଭୁବନେଶ୍ୱରରେ ମୋ ବସ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ଜୀବନ ଯାଇଥିଲା । ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ କ୍ରୁଟ୍‌କୁ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରୁଟ୍‌ ପକ୍ଷରୁ ଏକ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଛି । ଯେଉଁଥିରେ କ୍ରୁଟ୍‌ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି । ୭ ଦିନ ମଧ୍ୟରେ କଟକ-ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ବିଭିନ୍ନ ମୋ ବସ୍‌ର ଯାଞ୍ଚ୍‌ କରାଯାଇଥିଲା । ଏଥିରେ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କ ୪ ହଜାର ୨୬୫ ଥର ବ୍ରିଥ୍‌ ଆନାଲାଇଜର୍‌ ଯୋଗେ ପରୀକ୍ଷା କରାଯାଇଥିଲା । ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ଗଡ଼ୁଥିବା ମୋ ବସ୍‌ ଡ୍ରାଇଭରମାନଙ୍କ ମଧ୍ୟରେ ୪,୧୭୬ ଥର ବ୍ରିଥ୍‌ ଆନାଲାଇଜର୍‌ ଟେଷ୍ଟ କରାଯାଇଥିଲା । ଏହି ସମୟରେ ୯ ଜଣ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା । ତୁରନ୍ତ ଏହି ୯ ଜଣଙ୍କୁ ଚାକିରିରୁ ବହିଷ୍କାର ପାଇଁ ପଦକ୍ଷେପ ନିଆଯାଇ ଏମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ପାଇଁ କୁହାଯାଇଛି ।