ପୁରୀ, ୨୭ା୩(ବ୍ୟୁରୋ): ଦୁର୍ବଳ ହେଉଛି ଶ୍ରୀକ୍ଷେତ୍ରର ଅଭେଦ୍ୟ ଦୁର୍ଗ ଜାଗା ଓ ଆଖଡ଼ା । ଜାଗା ଘର କହିଲେ ଅସଲରେ ଜଗା ଘର । ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜାରାଜୁଡ଼ା ଅମଳରୁ ସୃଷ୍ଟି । ସେହିଠାରେ ଗଢ଼ା ହୁଅନ୍ତି ମହାପ୍ରଭୁଙ୍କ ଜଗୁଆଳ । ଶ୍ରୀକ୍ଷେତ୍ର ସଂସ୍କୃତିର ମଙ୍ଗୁଆଳ । ଏବେ ଜାଗା ଆଖଡ଼ାରେ ସେଭଳି ନାହିଁ କି ମନୋବୃତ୍ତି । ଜିମ୍ ଓ ସିମ୍ ଆମ ସଂସ୍କୃତିର ବାଟ ଓଗାଳୁଛି । ଏପରିକି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସାହିଯାତର ଅସଲ ପରମ୍ପରା ମଧ୍ୟ ହଜିଲାଣି । ଠାକୁରଙ୍କ ନୀତିରେ କୌଣସି ଅବହେଳା ନାହିଁ । ହେଲେ ସାହିଯାତର ସମରକଳା, ପଟୁଆର, ସାଜସଜା କିମ୍ବା ଭାଇଚାରା ଆଉ ଦେଖିବାକୁ ମିଳୁନି । ବରଂ ଆଧୁନିକତା ନାମରେ କିଛି ଅପସଂସ୍କୃତି ସାହିଯାତର ମୌଳିକତା ନଷ୍ଟ କରୁଥିବା ଚର୍ଚ୍ଚା ହେଉଛି ।
ସେତେବେଳେ ପେଟ୍ରୋମାକ୍ସ ଲାଇଟି ମୁଣ୍ଡାଇ ଯାତ ବାହାରୁଥିଲା । ଆଲୋକ କମ୍ ହେଲେ ମଧ୍ୟ ଆଗ୍ରହ ଆକାଶ ଛୁଆଁ । ଶହ ଶହ ସାହିଆ ପାଟ ଖଦି ସୁନା ଅଳଙ୍କାର ଆଦି ପିନ୍ଧି ସାହିଯାତରେ ସାମିଲ ହେଉଥିଲେ । ଶରୀରରେ ରାମ ରଜ ବେକରେ ମଲ୍ଲି ମାଳ । ମହମହ ବାସ୍ନା ସାଙ୍ଗକୁ ପାରମ୍ପରିକ ନୃତ୍ୟ ସଙ୍ଗୀତର ସମାବେଶ । ସାହିଆଙ୍କ ଭିତରେ ନାହିଁ ନଥିବା ଆଦର ଅଭ୍ୟର୍ଥନା । ସାହିଯାତ ଚାରି ମାସ ଥାଇ ଲାଗୁଥିଲା ଗହଳିଚହଳି । ମେଳ ବାହାରିବ ବୋଲି ଜାଗା କମ୍ପୁଥିବ । ଅଭ୍ୟାସ ସାଙ୍ଗକୁ ଘନ ଘନ ଆଲୋଚନା । ଆଉ ସେହି ସମୟର ମେଳ କି ଖେଳ ନାହିଁ । ପ୍ରାଚୀନ ସମରକଳା ପ୍ରଦର୍ଶନ ପ୍ରାୟତଃ ବନ୍ଦ । ହରଚଣ୍ଡୀ ସାହିର ୧୨ ମେଳ ରହିଛି । ପ୍ରଥମ ଦିନ ଜାଗା ସାଙ୍ଗମାନେ ଅସ୍ତ୍ରଶସ୍ତ୍ର ସହ ପଟୁଆରରେ ଯାଇ ଦକ୍ଷିଣକାଳୀ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ ।
ସେଦିନ ନିଜ ସାହିରେ ସମରକଳା ପ୍ରଦର୍ଶନ କରୁ । ପରେ ରାମାୟଣର ଚରିତ୍ର ବାହାରି ପଟୁଆରରେ ବାଦି/ବନ୍ଧୁ ସାହିକୁ ଯିବ । ସର୍ବାଗ୍ରେ ରୁହନ୍ତି ପର୍ଶୁରାମ । ପଛକୁ ନିଶାଣ ଥାଇ ବିଭିନ୍ନ ଜାଗା ଘର ମେଳ ରହିଥିବ । ଭେଣ୍ଡିଆମାନେ ସମରକଳା ପ୍ରଦର୍ଶନ କରି ଦେଖଣାହାରୀଙ୍କୁ ଅବାକ୍ କରୁଥିବେ । ତରୁଆଲ୍, ବାଙ୍କ, ଛଡ଼ି, ପିରାମିଡ଼୍, ମାଲଖମ୍ବ ଆଦି ଖେଳ ହୁଏ । ଜାଗା ସାଙ୍ଗଙ୍କ ପାରମ୍ପରିକ ପୋଷାକ ବେଶ୍ ଆକର୍ଷଣୀୟ । ପଟୁଆର ସଙ୍ଗେ ରହିଥିବ ମହନଭୋଗ (ଖାଦ୍ୟ) ଓ ପଣା(ପାନୀୟ) । ବୀର ବାଦ୍ୟ ସାଙ୍ଗକୁ କଳା ପ୍ରଦର୍ଶନରେ ରାତି ପାହିବ । ସେସବୁ ସମରକଳା ଏବେ ଲୋପ ପାଉଛି । ଜିମ୍ରେ ପିଲାଏ ସୁନ୍ଦର ଦିଶିପାରନ୍ତି । ହେଲେ ଜାଗା ଘରର ମଜଭୁତି ଆସିବନି । ଆମ ବେଳର କୁସ୍ତି କସରତ ଦଣ୍ଡ ବୈଠକି ଆଦିର ସେଭଳି ଆଦୃତି ନଥିବା କହନ୍ତି ବାରବାଟୀ ଯାଗା ସାଙ୍ଗ ତଥା ବରିଷ୍ଠ ସେବାୟତ ଗଙ୍ଗାଧର ମହାସୁଆର ଓ ୯୬ ବର୍ଷୀୟ ଫକୀର ସୁଆର । ଶ୍ରୀକ୍ଷେତ୍ରରେ ବାରବାଟୀ ଜାଗା ସ୍ୱତନ୍ତ୍ର ମାନ୍ୟତା ରହିଛି । ପୁରୀରେ ଆଠ ସାହିକୁ ନେଇ ରହିଛି ୮ ଆଖଡ଼ା । ପ୍ରତି ସାହିର ଜାଗା ଘର ମଧ୍ୟରେ ସମନ୍ୱୟ ରକ୍ଷାକରେ ସମ୍ପୃକ୍ତ ସାହି ଆଖଡ଼ା । ଯେତେ ଜାଗା ଘର ସେତେ ମେଳ । ଆଖଡ଼ାର ଦମ୍ଭ ଜାଗା ଘର । ଜାଗାର ବଳ ହେଉଛନ୍ତି ସେମାନଙ୍କ ସାଥି ।
ଜାଗା ମହାବୀରଙ୍କୁ ସିନ୍ଦୁର ଲାଗି କରି ଜଣେ ଜାଗା ସାଙ୍ଗର ମାନ୍ୟତା ପାଏ । ଆଗେ ସଙ୍ଗଠନ ସହିତ ବାସିନ୍ଦାଙ୍କ ସମ୍ପର୍କ ମଜଭୁତ ଥିଲା । କାହାରି ସୁବିଧା ଅସୁବିଧାରେ ଜାଗା ସାଙ୍ଗମାନେ ଠିଆହୋଇ କାର୍ଯ୍ୟ ତୁଲାଇ ଦେଉଥିଲେ । ଜାଗା ମୁଖିଆଙ୍କଠାରୁ ଆରମ୍ଭ କରି ସାଥିମାନେ ସେହିଭଳି ସଂସ୍କାରି ଥିଲେ । ଆଧୁନିକତା ନାମରେ ଆଗ୍ରହ କମିଲା ଓ ସମ୍ପର୍କର ମଜଭୁତି ହଟିଲା । ମୋବାଇଲ୍ ପାଇ ନିଜ ଭିତରେ ନିଜକୁ ଆବଦ୍ଧ ରଖାଗଲା । ଧିରେ ଧିରେ ଜାଗା ଆଖଡ଼ାରୁ ବାସିନ୍ଦାଙ୍କ ସମ୍ପୃକ୍ତି ମଧ୍ୟ ଶିଥିଳ ପଡ଼ ିଗଲା । ଏବେ ଗୁରୁମାନେ ମଧ୍ୟ ଅଭାବ ପଡ଼ ିଲେଣି ପାରମ୍ପରିକ କଳା କୌଶଳ ଶିକ୍ଷା ଦେବାକୁ । ସରକାର ତଥା ଅସଲ ସଂସ୍କୃତି ପ୍ରେମୀ ଏଥିପ୍ରତି ଧ୍ୟାନ ନଦେଲେ ଦିନେ ପୁରୀର ସଂସ୍କୃତି ଇତିହାସ ପାଲଟିବ ।