ଭୁବନେଶ୍ଵର, ୩/୧୨ : ଶୀତଳ ଭଣ୍ଡାର ନେଇ ବିଧାନସଭା ସରଗରମ। ବର୍ତ୍ତମାନ ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଏହାର କ୍ଷମତା ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍ ରହିଛି। ବିଗତ ୧୦ ବର୍ଷରେ ୨୬ ଟି ନିର୍ମାଣ ହୋଇଛି। ୨୨ ଟି କାର୍ଯ୍ୟକ୍ଷମ ଅଛି। ୪ଟି କାର୍ଯ୍ୟକ୍ଷମ ନାହିଁ। ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ରହିଥିବା ବେଳେ ସେଥିରୁ ୯୮ଟି କାର୍ଯ୍ୟକ୍ଷମ ନାହିଁ। ଯେଉଁଥିରେ ୨୦ଟି ସରକାରୀ ଓ ୮୮ ଟି ବେସରକାରୀ ଶୀତଳଭଣ୍ଡାର ରହିଛି। ଯାହାର କ୍ଷମତା ୨.୨୯ ଲକ୍ଷ ମେଟ୍ରିକ୍ ଟନ୍। ନୂଆ ଶୀତଳ ଭଣ୍ଡାର ପାଇଁ ସରକାର ଆର୍ଥିକ ବ୍ୟବସ୍ଥା କରିଛନ୍ତି। କଂଗେସ ବିଧାୟକ ଦଳ ନେତାଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀଙ୍କ ପକ୍ଷରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଯଦି ସବୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା ଆଳୁ ଝଡ଼ ଦେଖିବାକୁ ମିଳିନଥାନ୍ତା। ସବଡିଭିଜନ ସ୍ତରରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗକୁ ବ୍ଲକ ସ୍ତରରେ ନିର୍ମାଣ ପାଇଁ ଯୋଜନା ରହିଛି। ୧୫ଟି ନୂଆ ଶୀତଳ ଭଣ୍ଡାର ପାଇଁ ଦରଖାସ୍ତ ପହଞ୍ଚିଛି। ୨ଟି ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ଯେଉଁଥିରୁ ୫ଟିକୁ ସରକାର ଅନୁମୋଦନ ଦେଇଛନ୍ତି। ସରକାର ସବସିଡି ଦେବା ସହ ବିଦ୍ୟୁତ ଶୁଳ୍କ ରିହାତି ପାଇଁ ବି ବ୍ୟବସ୍ଥା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨୩୯ ଟି ସୋଲାର କୋଲ୍ଡ ରୁମ୍ ଖୋଲାଯାଇଛି। ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ବି ଏହି ପ୍ରସଙ୍ଗରେ ଅଂଶ ଗ୍ରହଣ କରି ଉଦବେଗ ଜଣାଇଛନ୍ତି।