କଟକ,୨୧/୦୭ : ମା’ କଟକ ଚଣ୍ଡୀ ମନ୍ଦିର  ଉନ୍ନୟନ ପ୍ରକଳ୍ପ ବିବାଦରୁ ମୁକୁଳିପାରୁନାହିଁ । ପୂର୍ବରୁ ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ୱକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏବେ ମନ୍ଦିର ନିର୍ମାଣରେ ନିୟୋଜିତ ସ୍ଥପତି କୀର୍ତ୍ତନ ମହାରଣା ଗୁରୁତର ଅଭିଯୋଗ ଆଣିଛନ୍ତି ।  ସେ କହିଛନ୍ତି, ମା' କଟକ ଚଣ୍ଡୀ ମନ୍ଦିର ଭାଗ ଓ ମାପ ଠିକ୍‌ ଭାବରେ କରାଯାଇନାହିଁ । ଏହା ଶିଳ୍ପୀଶାସ୍ତ୍ର ବିରୋଧୀ । ମନ୍ଦିର ନକ୍ସା ମନଇଚ୍ଛାରେ କରାଯାଇଛି । ମନ୍ଦିର ଫାଉଣ୍ଡେସନ୍‌ କାମ ବି ଠିକ୍‌ରେ ହେଇନି । ପରିସରରେ ଏବେ ନିର୍ମାଣ ହୋଇଥିବା ଶିବଙ୍କ ମନ୍ଦିର ଫାଉଣ୍ଡେସନ ମଧ୍ୟ ଖରାପ କରାଯାଉଛି । ମନ୍ଦିରର ପୂର୍ବଦ୍ୱାର ୨୨  ଫୁଟ୍‌ ହେବା ବଦଳରେ ମାତ୍ର ୧୭ ଫୁଟ୍‌ ହୋଇଛି ।  ଚୂନ, ଗୁଡ ହେବା କଥା କିନ୍ତୁ ତାହା ସିମେଣ୍ଟରେ  କରାଯାଇଛି । ପୂର୍ବଦ୍ୱାରର କାମ ଅତି ନିମ୍ନମାନର  ହୋଇଛି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ  ସମ୍ମିଳନୀରେ ଶ୍ରୀ ମହାରଣା ଅଭିଯୋଗ କରିଛନ୍ତି ।

 ଅନ୍ୟପକ୍ଷରେ କଟକର ଅଧିଷ୍ଠାତ୍ରୀ ଦେବୀ  ମା’ କଟକ ଚଣ୍ଡୀଙ୍କ ମନ୍ଦିର ପ୍ରକଳ୍ପ କାମକୁ  ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଲାଣି । ଜିଲ୍ଲା ପ୍ରଶାସନ ତରଫରୁ  ବାରମ୍ବାର ସମୀକ୍ଷା କରି କେବଳ ଚକ୍‌ମା  ଦେବାକୁ ଚେଷ୍ଟା କରାଯାଉଛି ବୋଲି ସହରବାସୀ  ଅଭିଯୋଗ କରିଛନ୍ତି । ପ୍ରକଳ୍ପ କାମ ବର୍ଷେ ଭିତରେ  ସରିବାକୁ ଧାର୍ଯ୍ୟ କରାଯାଇଥିଲା । ମାତ୍ର ତିନିବର୍ଷ  ବିତିସାରିଥିବା ବେଳେ କାମ ଅଧା ବି ସରିନି ।  ଏବେର ସ୍ଥିତି ଯାହା ଏବର୍ଷ ଦଶହରା ପୂର୍ବରୁ ବି  କାମ ସରିବା ଭଳି ଲାଗୁନାହିଁ । ତେବେ ପ୍ରକଳ୍ପ  ବିଳମ୍ବ ହେଉଥିବା ବେଳେ ଏନେଇ ପ୍ରଶାସନିକ  ଅବହେଳାକୁ ଦାୟୀ କରାଯିବ ନା ନିର୍ମାଣ ଦାୟିତ୍ୱ  ନେଇଥିବା ସଂସ୍ଥାକୁ ଦୋଷ ଦିଆଯିବ  ତାହା ସ୍ପଷ୍ଟ କରିବାକୁ ସହରବାସୀ  ସରକାରଙ୍କ ନିକଟରେ ଦାବି କରିଛନ୍ତି ।  

ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ  ସମୀକ୍ଷା ପରେ ବି କାମ ଆଗେଇ  ପାରୁନି । ଏବେ ଯାଏ ମନ୍ଦିରର ଉତ୍ତର  ଦ୍ୱାର ଖୋଲାଯାଇପାରିନି । ମାସକ  ତଳେ ସାଂସଦ କ୍ଷେତ୍ର ଅନୁଧ୍ୟାନ କରି  ଯେଉଁ ଧାର୍ଯ୍ୟ ସମୟ ଦେଇଥିଲେ  ତା’ଠାରୁ ବି ବିଳମ୍ବରେ କାମ ଚାଲିଛି ।  ମୁଖ୍ୟମନ୍ଦିରର କାମ ମଧ୍ୟ ମନ୍ଥର  ଗତିରେ ଚାଲିଥିବା ଅଭିଯୋଗ ହୋଇଛି ।  ଏଣେ ମନ୍ଦିର ପ୍ରକଳ୍ପକୁ ନେଇ  ହାଇକୋର୍ଟରେ ମାମଲା ବିଚାରାଧୀନ  ରହିଛି । ମା’ କଟକ ଚଣ୍ଡୀ ମନ୍ଦିର  ସୁରକ୍ଷା କମିଟିର ସମ୍ପାଦକ ଦେବାଶିଷ ରାଉତ ଓ  ଉପସଭାପତି ସୁକାନ୍ତ ମହାନ୍ତି ଜନସ୍ୱାର୍ଥ ମାମଲା  ଦାୟର କରିଥିଲେ । ଆଗକୁ ଏହି ମାମଲାର  ଶୁଣାଣି ରହିଛି । ମନ୍ଦିର କାର୍ଯ୍ୟ ବାସ୍ତୁ ହିସାବରେ  କରାଯାଉନାହିଁ, ପଥର କାମ ବେଳେ ନିର୍ଦ୍ଦିଷ୍ଟ ଅଠା ବ୍ୟବହାର କରିବାର ନିୟମ ରହିଥିଲେ ସୁଦ୍ଧା  ସମେଣ୍ଟରେ ଯୋଡ଼େଇ କରାଯାଉଛି । ମନ୍ଦିର  ବିମ୍‌ଗୁଡିକ ଷ୍ଟିଲ୍‌ରେ ନିର୍ମାଣ କରାଯାଇଥାଏ, କିନ୍ତୁ କଟକ ଚଣ୍ଡୀ ମନ୍ଦିରରେ ଷ୍ଟିଲ୍‌ ବଦଳରେ  ସିମେଣ୍ଟ ବିମ୍‌ କରାଯାଉଛି ।

ଅନ୍ୟପକ୍ଷରେ  ଡ୍ରେନେଜ୍‌ ବ୍ୟବସ୍ଥା ଆଦୌ ନଥିବା ବେଳେ ପାର୍କିଂ  ବ୍ୟବସ୍ଥା ଠିକ୍‌ ଢଙ୍ଗରେ କରାଯାଇନାହିଁ । ନବନିର୍ମିତ  ଦୋକାନ ଘର ଫାଟି ଆଁ କରିଲାଣି । ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ କଥା, ମନ୍ଦିର ପ୍ରକଳ୍ପରେ କୋଟି  କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜମି ଅଧିଗ୍ରହଣ  କରାଗଲା । କିନ୍ତୁ କେତେ ଜମିରେ ମନ୍ଦିର କାମ  ହେବ ସେ କଥା କେହି ଜାଣିନାହାନ୍ତି, ଅଥଚ  ସେବାୟତଙ୍କ ଲାଗି ୭ଟି ବିଳାସପୂର୍ଣ୍ଣ କ୍ୱାର୍ଟର୍ସ ନିର୍ମାଣ କରାଯାଇଥିବା ସୁରକ୍ଷା କମିଟି ଅଭିଯୋଗ କରିଛି ।