କଟକ,୨୧/୦୭ : ମା’ କଟକ ଚଣ୍ଡୀ ମନ୍ଦିର ଉନ୍ନୟନ ପ୍ରକଳ୍ପ ବିବାଦରୁ ମୁକୁଳିପାରୁନାହିଁ । ପୂର୍ବରୁ ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ୱକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏବେ ମନ୍ଦିର ନିର୍ମାଣରେ ନିୟୋଜିତ ସ୍ଥପତି କୀର୍ତ୍ତନ ମହାରଣା ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ମା' କଟକ ଚଣ୍ଡୀ ମନ୍ଦିର ଭାଗ ଓ ମାପ ଠିକ୍ ଭାବରେ କରାଯାଇନାହିଁ । ଏହା ଶିଳ୍ପୀଶାସ୍ତ୍ର ବିରୋଧୀ । ମନ୍ଦିର ନକ୍ସା ମନଇଚ୍ଛାରେ କରାଯାଇଛି । ମନ୍ଦିର ଫାଉଣ୍ଡେସନ୍ କାମ ବି ଠିକ୍ରେ ହେଇନି । ପରିସରରେ ଏବେ ନିର୍ମାଣ ହୋଇଥିବା ଶିବଙ୍କ ମନ୍ଦିର ଫାଉଣ୍ଡେସନ ମଧ୍ୟ ଖରାପ କରାଯାଉଛି । ମନ୍ଦିରର ପୂର୍ବଦ୍ୱାର ୨୨ ଫୁଟ୍ ହେବା ବଦଳରେ ମାତ୍ର ୧୭ ଫୁଟ୍ ହୋଇଛି । ଚୂନ, ଗୁଡ ହେବା କଥା କିନ୍ତୁ ତାହା ସିମେଣ୍ଟରେ କରାଯାଇଛି । ପୂର୍ବଦ୍ୱାରର କାମ ଅତି ନିମ୍ନମାନର ହୋଇଛି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାରଣା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ପ୍ରକଳ୍ପ କାମକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି । ଜିଲ୍ଲା ପ୍ରଶାସନ ତରଫରୁ ବାରମ୍ବାର ସମୀକ୍ଷା କରି କେବଳ ଚକ୍ମା ଦେବାକୁ ଚେଷ୍ଟା କରାଯାଉଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପ କାମ ବର୍ଷେ ଭିତରେ ସରିବାକୁ ଧାର୍ଯ୍ୟ କରାଯାଇଥିଲା । ମାତ୍ର ତିନିବର୍ଷ ବିତିସାରିଥିବା ବେଳେ କାମ ଅଧା ବି ସରିନି । ଏବେର ସ୍ଥିତି ଯାହା ଏବର୍ଷ ଦଶହରା ପୂର୍ବରୁ ବି କାମ ସରିବା ଭଳି ଲାଗୁନାହିଁ । ତେବେ ପ୍ରକଳ୍ପ ବିଳମ୍ବ ହେଉଥିବା ବେଳେ ଏନେଇ ପ୍ରଶାସନିକ ଅବହେଳାକୁ ଦାୟୀ କରାଯିବ ନା ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥାକୁ ଦୋଷ ଦିଆଯିବ ତାହା ସ୍ପଷ୍ଟ କରିବାକୁ ସହରବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା ପରେ ବି କାମ ଆଗେଇ ପାରୁନି । ଏବେ ଯାଏ ମନ୍ଦିରର ଉତ୍ତର ଦ୍ୱାର ଖୋଲାଯାଇପାରିନି । ମାସକ ତଳେ ସାଂସଦ କ୍ଷେତ୍ର ଅନୁଧ୍ୟାନ କରି ଯେଉଁ ଧାର୍ଯ୍ୟ ସମୟ ଦେଇଥିଲେ ତା’ଠାରୁ ବି ବିଳମ୍ବରେ କାମ ଚାଲିଛି । ମୁଖ୍ୟମନ୍ଦିରର କାମ ମଧ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି । ଏଣେ ମନ୍ଦିର ପ୍ରକଳ୍ପକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି । ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟିର ସମ୍ପାଦକ ଦେବାଶିଷ ରାଉତ ଓ ଉପସଭାପତି ସୁକାନ୍ତ ମହାନ୍ତି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଆଗକୁ ଏହି ମାମଲାର ଶୁଣାଣି ରହିଛି । ମନ୍ଦିର କାର୍ଯ୍ୟ ବାସ୍ତୁ ହିସାବରେ କରାଯାଉନାହିଁ, ପଥର କାମ ବେଳେ ନିର୍ଦ୍ଦିଷ୍ଟ ଅଠା ବ୍ୟବହାର କରିବାର ନିୟମ ରହିଥିଲେ ସୁଦ୍ଧା ସମେଣ୍ଟରେ ଯୋଡ଼େଇ କରାଯାଉଛି । ମନ୍ଦିର ବିମ୍ଗୁଡିକ ଷ୍ଟିଲ୍ରେ ନିର୍ମାଣ କରାଯାଇଥାଏ, କିନ୍ତୁ କଟକ ଚଣ୍ଡୀ ମନ୍ଦିରରେ ଷ୍ଟିଲ୍ ବଦଳରେ ସିମେଣ୍ଟ ବିମ୍ କରାଯାଉଛି ।
ଅନ୍ୟପକ୍ଷରେ ଡ୍ରେନେଜ୍ ବ୍ୟବସ୍ଥା ଆଦୌ ନଥିବା ବେଳେ ପାର୍କିଂ ବ୍ୟବସ୍ଥା ଠିକ୍ ଢଙ୍ଗରେ କରାଯାଇନାହିଁ । ନବନିର୍ମିତ ଦୋକାନ ଘର ଫାଟି ଆଁ କରିଲାଣି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ମନ୍ଦିର ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜମି ଅଧିଗ୍ରହଣ କରାଗଲା । କିନ୍ତୁ କେତେ ଜମିରେ ମନ୍ଦିର କାମ ହେବ ସେ କଥା କେହି ଜାଣିନାହାନ୍ତି, ଅଥଚ ସେବାୟତଙ୍କ ଲାଗି ୭ଟି ବିଳାସପୂର୍ଣ୍ଣ କ୍ୱାର୍ଟର୍ସ ନିର୍ମାଣ କରାଯାଇଥିବା ସୁରକ୍ଷା କମିଟି ଅଭିଯୋଗ କରିଛି ।