କଟକ,୩୦/୦୫: କଟକର ତାରକସି ପରେ ଏବେ ଦହିବରା ଆଳୁଦମ୍କୁ ‘ଜିଆଇ’(ଜିଓଗ୍ରାଫିକାଲ୍ ଆଇଡେଣ୍ଟିଫିକେସନ୍ (ଭୌଗୋଳିକ ପରିଚୟ) ଟ୍ୟାଗ୍ ଦେବା ପାଇଁ ପ୍ରଶାସନିକ ପ୍ରକ୍ରିୟା ଜୋର୍ଦାର ହୋଇଛି । ଏଥିପାଇଁ କଟକବାସୀଙ୍କ ନିକଟରୁ ଜିଲ୍ଲା ପ୍ରଶାସନ ଅଧିକ ତଥ୍ୟ, ଲିଖିତ ଡକ୍ୟୁମେଣ୍ଟ୍ ତଥା ଐତିହାସିକ ଦସ୍ତାବିଜ୍ ଲୋଡ଼ିଛି । ସମସ୍ତ ଡକ୍ୟୁମେଣ୍ଟ୍ ପ୍ରମାଣ ଆଧାରିତ ହୋଇଥିବା ଦରକାର । ଯାହାକୁ ଆଧାର କରି ଦହିବରା ଆଳୁଦମ୍ର ଜିଆଇ ଟ୍ୟାଗ୍ ଦାବିକୁ ଜୋର୍ଦାର କରାଯାଇ ପାରିବ ।
ପ୍ରଥମ ପର୍ଯ୍ୟାୟରେ ଏଥିଲାଗି ଚଳିତ ବର୍ଷ ପ୍ରାରମ୍ଭରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଚେନ୍ନାଇରୁ ଫର୍ମ ପାଇଁ ଆବେଦନ କରାଯାଇଥିଲା । ଏକ କନ୍ସଲ୍ଟାନ୍ସି ସଂସ୍ଥାକୁ ସର୍ଭେ ଓ ତଥ୍ୟ ପ୍ରସ୍ତୁତ କରିବାକୁ ନିଯୁକ୍ତି କରାଯାଇଥିଲା । ଆବେଦନ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇ ଦହିବରା ଆଳୁଦମ୍ ସଂଘ ମାର୍ଫତରେ ଜିଆଇ ପାଇ ଆବେଦନ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଜିଲ୍ଲା ପ୍ରଶାସନ ଏବଂ ଏମ୍ଏସ୍ଏମ୍ଇ ବିଭାଗ ଏ ଦିଗରେ ଆଗକୁ ବଢ଼ିଛି ।
କଟକର ରୁପା ତାରକସିକୁ ଜିଆଇ ଟ୍ୟାଗ୍ ମିଳିସାରିଛି । କଟକର ନିଜସ୍ୱ ସ୍ୱତନ୍ତ୍ର ଖାଦ୍ୟ ଦହିବରାର ସ୍ୱାଦ ଆଉ କେବଳ କଟକ କିମ୍ବା ଓଡ଼ିଶା ଭିତରେ ସୀମିତ ହୋଇ ରହିନାହିଁ । ଏହାର ସ୍ୱାଦ, ଲୋକପ୍ରିୟତା ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚିଲାଣି । ଖାଦ୍ୟ ତାଲିକା ଭିତରେ ଦହିବରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଦହିବରାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ କିପରି ଜିଆଇ ମାନ୍ୟତା ମିଳିପାରିବ ସେଥିପାଇଁ ସହରବାସୀଙ୍କ ପକ୍ଷରୁ ବହୁ ବର୍ଷ ଧରି ଦାବି ହୋଇ ଆସୁଥିଲା । ବିଳମ୍ବରେ ହେଲେ ବି କଟକ ଜିଲ୍ଲା ପ୍ରଶାସନ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ :- Odisha tourism: ବିଶ୍ୱ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି ଓଡ଼ିଶା ପର୍ଯ୍ୟଟନ, ଇକୋ, ଦୁଃସାହସିକ ଜଳକ୍ରୀଡ଼ା ପାଲଟିଛି ପ୍ରଥମ ପସନ୍ଦ