ଭୁବନେଶ୍ୱର, ୩୦/୦୫ : ବିଶ୍ୱ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି ଓଡ଼ିଶା ପର୍ଯ୍ୟଟନ । ଓଡ଼ିଶା ପ୍ରେମରେ ଆକର୍ଷିତ ହୋଇ ଆସୁଛନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ଅସ୍ଥିରତା ସତ୍ତ୍ଵେ ଚଳିତ ବର୍ଷ ଆରମ୍ଭରୁ ଓଡ଼ିଶାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ୨୦୨୬ ପ୍ରଥମାର୍ଦ୍ଧରେ ଅର୍ଥାତ୍‌ ଗତ ୫ ମାସ ଭିତରେ ଓଡ଼ିଶାକୁ ପାଖାପାଖି ୫୬ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ପୁରୀକୁ ଗତବର୍ଷଠାରୁ ଏଥର ୨୨% ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ୨୦୨୫ରେ ପୁରୀକୁ ପାଖାପାଖି ୨.୪୩ କୋଟି ପର୍ଯ୍ୟଟକ ଆସିଥିଲେ । ସେହିପରି ଓଡ଼ିଶାକୁ ୧.୧୩ କୋଟିରୁ ଅଧିକ ଜାତୀୟ ଓ ୮୭ ହଜାରରୁ ଅଧିକ ଅନ୍ତର୍ଜାତୀୟ ପର୍ଯ୍ୟଟକ ଆସିଥିଲେ । ଏହାର ସବୁଠୁ ବଡ଼ କାରଣ ଆଧ୍ୟାତ୍ମିକ ପର୍ଯ୍ୟଟନ ସହ ଉପକୂଳବର୍ତ୍ତୀ ଜଳକ୍ରୀଡ଼ା ଓ ଦୁଃସାହସିକ ପର୍ଯ୍ୟଟନ ଏବଂ ନୂତନ ଅତ୍ୟାଧୁନିକ ହୋଟେଲ ସହ କାରାଭାନ୍‌ ସୁବିଧା । ଏ କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ପର୍ଯ୍ୟଟକ ବୃଦ୍ଧିର ପ୍ରମୁଖ କାରଣ ବୋଲି ବରିଷ୍ଠ ପର୍ଯ୍ୟଟନ ଅଧିକାରୀ କହିଛନ୍ତି ।   

ବିଗତ କିଛି ବର୍ଷ ମଧ୍ୟରେ ଓଡିଶା ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳ ଭାବରେ ତା’ର ସ୍ଥିତିକୁ ସୁଦୃଢ଼ କରୁଛି । ଗୋଟିଏ ସ୍ଥାନରେ ମନଛୁଆଁ ପରିବେଶ ପର୍ଯ୍ୟଟନ, ଆଧ୍ୟାତ୍ମିକତା, ଐତିହ୍ୟ ଏବଂ ଦୁଃସାହସିକ ଅଭିଜ୍ଞତା ସହ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭୂତି ସାଉଁଟିବାର ସୁଯୋଗ ଦେଉଛି । ଓଡ଼ିଶା ସରକାର ପୁରୀ-କୋଣାର୍କ ଉପକୂଳବର୍ତ୍ତୀ ଅଞ୍ଚଳରେ ଇକୋ-ଟୁରିଜିମ୍‌ ଏବଂ ଜଳକ୍ରୀଡ଼ା କାର୍ଯ୍ୟକ୍ରମକୁ ବିସ୍ତାର କରିବା ଉପରେ ଧ୍ୟାନ ଦେଉଛନ୍ତି । ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି । ‘ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୬’ ଅନୁସାରେ ଜଳଭିତ୍ତିକ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ‘ଥିଙ୍କ୍‌ ଇଣ୍ଡିଆ, ଥିଙ୍କ୍‌ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ସହ ଅଧିକ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’ ପ୍ରତିଷ୍ଠା, ସୁରକ୍ଷିତ ଉପକୂଳ, ନିରାପଦ ଜୀବନ ପାଇଁ କୋଣାର୍କ ନିକଟ ରାମଚଣ୍ଡୀଠାରେ ଓଡ଼ିଶା ୱାଟର୍‌ମ୍ୟାନ୍‌ସିପ୍‌ ଏବଂ ଲାଇଫ୍‌ଗାର୍ଡ ପ୍ରତିଷ୍ଠାନ(ଓସ୍ୱାଲି) ପ୍ରତିଷ୍ଠା ସାଙ୍ଗକୁ ଅତ୍ୟାଧୁନିକ ସ୍କୁବା କମ୍ପେ୍ଲକ୍ସର ଭିତ୍ତି ପଡ଼ିଛି । ଓଡ଼ିଶା ପର୍ଯ୍ୟଟନ, ଅଗ୍ନିଶମ ଓ ଜରୁରିକାଳୀନ ସେବା ଏବଂ ଗୋଆର ଏନ୍‌ଆଇଡବ୍ଲୁଏସ୍‌ ମଧ୍ୟରେ ଲାଇଫ୍‌ଗାର୍ଡ ତାଲିମ୍‌ ପରିଚାଳନା, କ୍ଷମତା ବୃଦ୍ଧି ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି ପାଇଁ ଏମ୍‌ଓୟୁ ହୋଇଛି ଯାହା ଜଳଭିତ୍ତିକ ପର୍ଯ୍ୟଟନକୁ ସମୃଦ୍ଧ କରୁଛି।   

ଆହୁରି ପଢନ୍ତୁଝାରସୁଗୁଡ଼ାରେ ଗର୍ଜିଲା ପୁଲିସ ବନ୍ଧୁକ, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନ୍‌କାଉଣ୍ଟର, ଡକାୟତି ଯୋଜନା ବେଳେ ଗୁଳିମାଡ଼

ଏହାବ୍ୟତୀତ୍‌ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ବିଶ୍ୱବାସୀଙ୍କୁ ସର୍ବଦା ଆକର୍ଷିତ କରିଆସୁଥିଲା ବେଳେ ଏବେ ଏହି ଅଞ୍ଚଳ ତୀର୍ଥଯାତ୍ରା ବ୍ୟତୀତ ଏକ ସମୃଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରଥମ ପସନ୍ଦ ପାଲଟିଛି । ବ୍ଲୁ ଫ୍ଲାଗ୍‌ ବେଳାଭୂମି ଭାବେ ପରିବେଶ ସମ୍ପର୍କିତ ମାନଦଣ୍ଡ ପୂରଣ କରୁଥିବା ଚନ୍ଦ୍ରଭାଗା ବେଳାଭୂମି ଜଳକ୍ରୀଡ଼ା ଏବଂ ଦୁଃସାହସିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇଛି । ସେଠାରେ ଉଭୟ ସରକାରୀ ଓ ବେସରକାରୀ ସହଭାଗିତାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ଜେଟ୍‌ ସ୍କିଂ, ପାରାସେଲିଂ ଏବଂ କାୟାକିଂ ସମେତ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି । ଏହାଛଡ଼ା ସ୍ଥାୟୀ ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ ରାମଚଣ୍ଡୀ ଏବଂ ବାଲିଘାଇରେ ଇକୋ-ରିଟ୍ରିଟ୍‌ ଏବଂ ପ୍ରକୃତି ଶିବିର ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେଉଛି । ପର୍ଯ୍ୟଟନ ଅଧିକାରୀ କହିଛନ୍ତି, ପୁରୀ, କୋଣାର୍କ ଏବଂ ଚିଲିକା ହ୍ରଦକୁ ନେଇ ସମନ୍ୱିତ ପର୍ଯ୍ୟଟନ ସର୍କିଟ୍‌ ଏବଂ ଉନ୍ନତ ଉପକୂଳ ସଂଯୋଗ ଦ୍ୱାରା ପରିଦର୍ଶକଙ୍କ ରହଣି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।   ସୂଚନାଯୋଗ୍ୟ, ସଂଶୋଧିତ ଓଡ଼ିଶା ପର୍ଯ୍ୟଟନ ନୀତି ପରେ, ରାଜ୍ୟ ସରକାର ୧୩% ଜିଡିପି ଅବଦାନକୁ ବୃଦ୍ଧି କରିବା ପାଇଁ ଚଳିତ ବର୍ଷ ୫ କୋଟି ଘରୋଇ ପର୍ଯ୍ୟଟକଙ୍କ ଆଗମନକୁ ଲକ୍ଷ୍ୟ ରଖିଛନ୍ତି । ଡେବ୍ରିଗଡ଼ ଅଭୟାରଣ୍ୟ ଇକୋ ଟୁରିଜିମ୍‌ ୨୦୨୫-୨୬ ଆର୍ଥିକ ବର୍ଷରେ ୬.୨ କୋଟି ରାଜସ୍ୱ ଆୟ କରିଥିଲା ବେଳେ ୧.୪ ଲକ୍ଷ ପର୍ଯ୍ୟଟକ ପରିଦର୍ଶନରେ ଆସି ରେକର୍ଡ କରିଛନ୍ତି। 

ମୁସଲମାନ ଦେଶରେ ତୁଳସୀର ଜୋରଦାର ଚାହିଦା !ପାକିସ୍ତାନ ଓ UAEକୁ ତୁଳସୀ ପଠାଉଛି ଭାରତ|ବାର୍ଷିକ କୋଟି କୋଟି ଟଙ୍କାର ଲାଭ