• ୧୦୦ ବର୍ଷର ପରମ୍ପରା
  • ଜଣେ ସର୍ଦ୍ଦାର ଅଧୀନରେ ରହିଥାନ୍ତି ୨୦ ଶ୍ରମିକ
  • ପୂର୍ବରୁ ଶହେ କିଲୋର ବସ୍ତା ଖଲାସକୁ ମିଳୁଥିଲା ୧୨ ଟଙ୍କା
  • ଏବେ ୫୦ କିଲୋର ବସ୍ତା ପାଇଁ ମିଳୁଛି ୩ ଟଙ୍କା

କଟକ,୨୧/୧୨(ସୁବ୍ରତ ଦାଶ): ଗୋଦାମ୍ ସାମ୍ନାରେ ଲାଗିଥିବ ଟ୍ରକ୍ । ଟ୍ରକ୍ ଡାଲାରୁ ସରୁ ପଟାଟିଏ ଲମ୍ବି ଆସିଥିବ ତଳକୁ, ରାସ୍ତାକୁ । ସେ ଖସଡ଼ା ପଟା ଉପରେ ଚଢ଼ି ଟ୍ରକ୍‌ରୁ ଖଲାସ୍ କରାଯାଉଥିବ ବସ୍ତା ପରେ ବସ୍ତା ମାଲ୍ । ଟ୍ରକ୍ ଡାଲାର ଧାରରେ ପିଠି ଲଗାଇ ବସ୍ତାସବୁ ଗୋଦାମ୍ ଭିତରକୁ ବୋହି ନେଉଥିବେ ଶ୍ରମିକମାନେ । ପୁଣି ବଡ଼ ଗାଡ଼ିରୁ ଛୋଟ ଗାଡ଼ିକୁ ଚାଲିଥିବ ମାଲ୍ ପାର୍‌ଉତାର୍ । ଆଉ ଏତେ ପରିଶ୍ରମ ପାଇଁ କେବେ ସର୍ଦ୍ଦାର ବଢ଼ାଇ ଦେଉଥିଲା ୧୨ ଟଙ୍କା, ଏବେ ଦେଉଛି ୩ ଟଙ୍କା । ଏହା ହେଲା କଟକ ମାଲଗୋଦାମର ଅକୁହା ଚିତ୍ର ।

ଖାଲି କଟକ କାହିଁକି, ଓଡ଼ିଶାର ସର୍ବବୃହତ୍ ବ୍ୟବସାୟିକ ମଣ୍ଡି ମାଲ୍‌ଗେଦାମ୍ ଉପରେ ସାରା ରାଇଜଟାର ଲୋକେ ଯେବେ ନିର୍ଭରଶୀଳ ଥିଲେ, ସେବେ ଆଖିରେ ପଡୁଥିଲା ଏମିତିକା ଦୃଶ୍ୟ । ସକାଳୁ ଆରମ୍ଭ ହୋଇଯାଉଥିଲା ଗହଳିଚହଳି । ବିଳମ୍ବିତ ରାତିରେ ବି ପହଞ୍ଚି ଯାଉଥିଲା ଅନ୍ୟ ରାଜ୍ୟରୁ, ଦୂର ଅଞ୍ଚଳରୁ ଖାଦ୍ୟ ସାମଗ୍ରୀ ଧରି ଆସିଥିବା ଗୁଡ଼ାଏ ଟ୍ରକ୍ । ଚାଲୁଥିଲା ବୋଝେଇ ଓ ଖଲାସି କାରବାର । ଏହାରି ଭିତରେ ହେଉଥିଲା ମୂଲ୍‌ଚାଲ୍‌, ବିକ୍ରିବଟା । ଏବଂ ଏ ବୋଝେଇ ଖଲାସ୍-ମୂଲ୍‌ଚାଲ୍ ପ୍ରକ୍ରିୟାର ମୁଖ୍ୟ ମାର୍ଫତ୍‌ ଦାର୍  ସାଜୁଥିଲେ ସର୍ଦ୍ଦାର୍‌ମାନେ । ରାଜ୍ୟର ସର୍ବବୃହତ ବ୍ୟବସାୟିକ ପେଣ୍ଠ ମାଲ୍‌ଗୋଦାମର ଏହି ସର୍ଦ୍ଦାର୍ ପରମ୍ପରାର ଆୟୁଷ ୧୦୦ ବର୍ଷରୁ ଅଧିକ ହେବ । ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ଏବେ ବି ମାଲ୍‌ଗୋଦାରେ ପ୍ରତି ଦିନ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଛି । ଏଣୁ ପୂରା ପ୍ରକ୍ରିୟା ଓ କାରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ସର୍ଦ୍ଦାର୍‌ମାନେ କଟକ ମାଲ୍‌ଗୋଦାମ୍ ଭିତରେ ରହିଛି ୩ ଶହରୁ ଅଧିକ ବଡ଼ ଗୋଦାମ୍ ଓ ଆଉ ୪ ଶହରୁ ଅଧିକ ସାନ ଗୋଦାମ୍ । ଏସବୁ ଗୋଦାମ୍‌ର ନିତିଦିନିଆ କାରବାରର ବୋଝ ଲଦା ହୋଇଛି ସର୍ଦ୍ଦାର୍ ଓ ତାଙ୍କ ଶ୍ରମିକ ଟିମ୍‌ଙ୍କ କାନ୍ଧରେ । କଟକ ସହର ଆଖପାଖ ବାରଙ୍ଗ, ଜଇପୁର, ବେଲଗଛିଆ, ଗୋଠପୁର, ନୂଆସାହି, ମର୍ଚ୍ଚିଆ, ଝିଙ୍କରଢିଅ, ପ୍ରତାପନଗରୀ, ନୂଆଗଡ଼ ଓ ବାଣପୁର ଆଦି ଅଞ୍ଚଳରୁ ଦୁଇ ହଜାରରୁ ଅଧିକ ଶ୍ରମିକ ପ୍ରତ୍ୟେକ ଦିନ ମାଲଗୋଦାମ୍‌କୁ ଆସି ଏହି ବୋଝ ଖଲାସି କାର୍ଯ୍ୟରେ ଲାଗିଥାନ୍ତି । ସେହିପରି ୬୦ରୁ ଅଧିକ ସର୍ଦ୍ଦାର୍ ବା ଶ୍ରମିକ ମୁଖିଆ ଅଛନ୍ତି । ଏମାନଙ୍କ ଯୋଗୁଁ ମାଲ୍‌ଗୋଦାମ୍ ସଦା ଚଳଚଞ୍ଚଳ ଥାଏ । ଶ୍ରମିକମାନେ ସକାଳୁ ଆସି କାମରେ ଲାଗିପଡ଼ନ୍ତି । କାମ ସରିଲେ ସର୍ଦ୍ଦାରଙ୍କଠାରୁ ପାଉଣା ନେଇ ଘରକୁ ଫେରିଥାନ୍ତି । ମାଲ୍‌ଗୋଦାମ୍‌କୁ ଆସୁଥିବା ସବୁ ଶ୍ରମିକ ଜଣେ ଜଣେ ସର୍ଦ୍ଦାରଙ୍କ ଅଧୀନରେ କାମ କରନ୍ତି । ଜଣେ ସର୍ଦ୍ଦାରଙ୍କ ଅଧୀନରେ ୨୦ରୁ ଅଧିକ ଶ୍ରମିକ କାମ କରୁଥିବା ବେଳେ ଯଦି କୌଣସି ଶ୍ରମିକ, ସର୍ଦ୍ଦାର୍ ବଦଳାଇ ଅନ୍ୟ ସର୍ଦ୍ଦାର୍‌ଙ୍କ  ପାଖରେ କାମ କରିବାକୁ ଚାହାନ୍ତି ତେବେ ସର୍ଦ୍ଦାର କମିଟିକୁ ଜଣାଇବାକୁ ପଡ଼ିଥାଏ । କମିଟିର ନିଷ୍ପତ୍ତି କ୍ରମେ ତାଙ୍କୁ ଅନ୍ୟତ୍ର କାମ କରିବାକୁ ସୁଯୋଗ ମିଳେ । ନିୟମ ରହିଛି କି ମନମୁଖି ଭାବେ ଶ୍ରମିକମାନେ ସର୍ଦ୍ଦାର ବଦଳାଇ ପାରିବେ ନାହିଁ । ସେହିପରି ଦିନମାନର ରୋଜଗାରରୁ ସର୍ଦ୍ଦାର୍ ନିଜ ଅଧୀନରେ ଥିବା ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ପରେ ନିଜ ଭାଗ କିଛି ରଖିଥାନ୍ତି ।

ଏବେ କିନ୍ତୁ ଧିରେ ଧିରେ ସ୍ଥିତି ବଦଳିଲାଣି । ମାଲ୍‌ଗେଦାମ୍‌ରେ ସର୍ଦ୍ଦାରମାନଙ୍କର ଆଉ ପୂର୍ବଭଳି ଆୟ ହେଉନାହିଁ । କାରଣ ଆଗରୁ ଅଧିକ ସଂଖ୍ୟକ ଛୋଟ ମାଲ୍‌ବୁହା ଗାଡ଼ି ନ ଥିଲା । ଯାହା ଥିଲା କେବଳ ବଡ଼ ଟ୍ରକ୍ । ସେଥିରେ ମାଲ୍ ବୋଝେଇ ଓ ଖଲାସ୍ କରିବାକୁ ଅଧିକ ଶ୍ରମିକ ଦରକାର ପଡ଼ୁଥିଲେ । ସେଥିପାଇଁ ଜଣେ ଜଣେ ସର୍ଦ୍ଦାର ଏକାଧିକ ଗୋଦାମ୍ ମାଲିକଙ୍କୁ ଶ୍ରମିକ ଯୋଗାଉଥିଲେ । କିନ୍ତୁ ଏବେ ଛୋଟ ମାଲ୍‌ବୁହା ଗାଡ଼ିଗୁଡ଼ିକର ବହୁଳ ବ୍ୟବହାର ହେବା ଯୋଗୁଁ ଆଉ ବେଶି ଶ୍ରମିକ ଲୋଡା ପଡ଼ୁ ନାହାନ୍ତି । ତଥାପି ମାଲଗୋଦାମ୍‌ରେ ଏବେ ବି ସର୍ଦ୍ଦାର୍ ପରମ୍ପରା ବଞ୍ଚି ରହିଛି ।

ପରମ୍ପରା ବଞ୍ଚିଛି ସତ, ସର୍ଦ୍ଦାର୍ମାନଙ୍କ ରୋଜଗାର କିନ୍ତୁ କମିଯାଇଛି । ଏ ସଂପର୍କରେ ଶ୍ରମିକ ସଂଘର ସଂପାଦକ ସର୍ଦ୍ଦାର ନରେନ୍ଦ୍ର ଜେନାଙ୍କ କହିବା କଥା, ୧୯୮୧ ମସିହାରୁ ମୁଁ ଏଠାରେ ସର୍ଦ୍ଦାର ଭାବେ କାମ କରୁଛି । ଆଗରୁ ମାଲ୍‌ଗୋଦାମ୍ ରାସ୍ତା ଏତେ ଭଲ ନ ଥିଲା । ବର୍ଷା ସମୟରେ କାଦୁଅ ଓ ପଙ୍କ ଭରା ରାସ୍ତାରେ ପିଠିରେ ଶହେ କିଲୋ ଓଜନର ବସ୍ତା ବୋହିଛୁ ଆମେ । ସେ ସମୟରେ ଗାଡି଼ରୁ ୧୦୦ କିଲୋ ଓଜନର ବସ୍ତା ଖଲାସ୍ କଲେ ୧୨ ଟଙ୍କା ମିଳୁଥିଲା । କିନ୍ତୁ ଏବେ କୁଇଣ୍ଟାଲ୍ ବଦଳରେ ୫୦ କେଜିଆ ଛୋଟ ବସ୍ତାରେ ମାଲ୍ ଆସୁଛି । ଗୋଟିଏ ବସ୍ତା ଖଲାସ୍ କଲେ ୩ ଟଙ୍କା ମିଳୁଛି ।

ସର୍ଦ୍ଦାର ସୁଶାନ୍ତ କୁମାର ନାୟକଙ୍କ କହିବା କଥା, ମାଲ୍‌ଗୋଦାମ୍‌ରେ ସର୍ଦ୍ଦାର୍‌ମାନଙ୍କର ଆଉ ପୂର୍ବଭଳି ଆୟ ହେଉନାହିଁ । ଗୋଦାମ ମାଲିକମାନେ ଛୋଟ ଗାଡ଼ି ଯୋଗେ ମାଲ୍ ନେଇ ହୋଲ୍‌ସେଲ୍ ଓ ବଡ଼ ବଡ଼ ରିଟେଲର୍‌ଙ୍କ  ଦେଇ ଆସୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗୋଦାମ୍ ଖୋଲିଲାଣି । ତେଣୁ ସର୍ଦ୍ଦାରମାନେ ପୂର୍ବପରି ରୋଜଗାର ପାଇବା କଷ୍ଟକର ହେଉଛି । ତଥାପି ଏଠାରେ କାମ କରୁଥିବା ଶ୍ରମିକମାନେ ଦିନକୁ ୩୦୦ ଟଙ୍କାରୁ ଅଧିକ କମାଇଥାନ୍ତି । ମାତ୍ର ଦିନେ ଦିନେ ତାହା ମଧ୍ୟ ମିଳିନଥାଏ । ଅନ୍ୟପକ୍ଷରେ ଶ୍ରମିକ ବ୍ରଜ କିଶୋର ଜେନା କହିଛନ୍ତି, ମୋ ବାପା ସ୍ୱର୍ଗତ ବିଶ୍ୱନାଥ ଜେନା ମାଲ୍‌ଗୋଦାମ୍‌ରେ ସର୍ଦ୍ଦାର କାମ କରୁଥିଲେ । ବାପା ୪୦ ବର୍ଷ ଧରି ଏଠାରେ ସର୍ଦ୍ଦାର ଥିଲେ । ତାଙ୍କ ଅଧୀନରେ ୩୦ରୁ ଅଧିକ ଶ୍ରମିକ କାମ କରୁଥିଲେ । ୫ ବର୍ଷ ହେଲା ସର୍ଦ୍ଦାରଙ୍କ ସଂଖ୍ୟା କମିଯାଇଛି । ଏବେ ଦୋକାନୀମାନେ ସ୍ଥାୟୀ ଶ୍ରମିକ ରଖି ନିଜ କାମ କରାଉଛନ୍ତି । ଫଳରେ ସର୍ଦ୍ଦାର ଓ ତାଙ୍କ ଅଧୀନରେ କାମ କରୁଥିବା ଶ୍ରମିକ କମିଛନ୍ତି । ଏମିତିକା ସ୍ଥିତିରେ ମାଲ୍ଗୋଦାମ୍ର ସର୍ଦ୍ଦାର୍ ପରମ୍ପରା ଆଉ କେତେ ଦିନ ବଞ୍ଚିରହୁଛି ଦେଖିବା ବାକି ।