କଟକ,୩୦/୧୧: ବୁସ୍‌ କଟିଂ ହେଲାନି, ମଶା ତେଲ ପଡ଼ିଲା ତଥାପି ପ୍ରଭାବ ପଡ଼ିଲାନି ।  ଏବେ ମଶାଙ୍କୁ ଘଉଡ଼ାଇବାକୁ ସକାଳେ ବୁଲୁଥିବା ଟିଫା ମେସିନ୍‌ର ଧୂଆଁ ବି କାଟୁଦେଉନି । ଏଭଳି  ସ୍ଥିତିରେ ଏବେ ପୁଣି ମଶାଙ୍କୁ ମାରିବାକୁ ନୂଆ  ଯୋଜନା କାର୍ଯ୍ୟକ୍ଷମ କରି ଚକ୍‌ମା ଦେବାକୁ ଯାଉଛି  କଟକ ମହାନଗର ନିଗମ(ସିଏମ୍‌ସି) । କାରଣ ଖୁବ୍‌ ଶୀଘ୍ର ଭୁବନେଶ୍ୱର ପରେ କଟକ ସହରରେ ଡ୍ରୋନ୍‌  ଦ୍ୱାରା ସିଞ୍ଚନ କରାଯିବ ସ୍ୱତନ୍ତ୍ର ମଶା ମରା ତେଲ ।  ବିଶେଷକରି ବଡ଼ ବଡ଼ ଡ୍ରେନ୍‌ ଓ ଖାଲି ସ୍ଥାନରେ  ଏହାକୁ ସିଞ୍ଚନ କରାଯିବାକୁ ଯୋଜନା ହୋଇଛି ।  ତେବେ ଭୁବନେଶ୍ୱରରେ ଗତ କିଛି ବର୍ଷ ତଳେ  ଏହା ଆରମ୍ଭ ହୋଇ ସଫଳ ହୋଇ ନ ଥିଲାବେଳେ  କଟକରେ ଏହା କେତେ ଦୂର ସଫଳ ହେବ ତାକୁ  ନେଇ ସନ୍ଦେହ ଉପୁଜିଛି । ଏଣୁ ସିଏମ୍‌ସିରେ ମଶା  ମୁକାବିଲା କେବଳ ଏକ ପ୍ରକାରର ଭେଳିକି ପାଲଟିଛି । 

ପ୍ରତିବର୍ଷ ଶୀତ ଋତୁ ଆସିବା ମାତ୍ରେ ସହରରେ  ମଶାଙ୍କ ଉତ୍ପାତ ବଢ଼େ । ପ୍ରାୟ ୩ମାସ ପର୍ଯ୍ୟନ୍ତ  ଲୋକେ କଲବଲ ହୁଅନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ  କେଉଁଠି ବସାଇ ଉଠାଇ ଦିଅନ୍ତି ମଶା । ଏଭଳି ସ୍ଥିତିରେ  ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ କେବଳ ଲକ୍ଷ ଲକ୍ଷ ଟଙ୍କା  ଖର୍ଚ୍ଚ କରି ନିନ୍ଦା ମୁଣ୍ଡାଏ । ଚଳିତ ବର୍ଷ ମଧ୍ୟ ସମାନ  ସ୍ଥିତି । କାରଣ ବୁସ୍‌ କଟିଂ କେବଳ ଲୋକଦେଖାଣିଆ  ଢଙ୍ଗରେ ହୋଇଥିଲାବେଳେ ୱାର୍ଡରେ ଖାଲି ସ୍ଥାନ  ଗୁଡ଼ିକ ଜଙ୍ଗଲରେ ପରିଣତ ହୋଇଯାଇଛି । ଠିକା  ସଂସ୍ଥାକୁ ବୁସ୍‌ କଟିଂ ପାଇଁ ବାର୍ଷିକ କୋଟି କୋଟି  ଟଙ୍କା ପୈଠ ହେଉଛି । କେବଳ ସେତିକି ନୁହେଁ,  ସିଏମ୍‌ସି ନିଜସ୍ୱ ସୁଇପର୍‌ଙ୍କୁ ଧରି ବୁସ୍‌ କଟିଂ କରୁଛି ।  

ଏହାପରେ ଡ୍ରେନ୍‌ରେ ପଡୁଥିବା  ଏମ୍‌ଏଲ୍‌ ତେଲ ଦ୍ୱାରା ଲାର୍ଭା  ନ ମରିବାରୁ ଏବେ ମଶାଙ୍କ  ଘନତ୍ୱ ବଢ଼ିବାରେ ଲାଗିଛି ।  ତେବେ ମଶା ଧୂଆଁରେ  ଯଦିଓ ନ ମରିଥାନ୍ତି କିନ୍ତୁ  ସେମାନଙ୍କୁ କିଛି ସମୟ  ଗୋଟିଏ ସ୍ଥାନରୁ ଅନ୍ୟ ଏକ  ସ୍ଥାନକୁ ଘୋଡ଼ାଇବାକୁ ଦୈନିକ  ଲକ୍ଷାଧିକ ଟଙ୍କା ଉଡ଼ାଉଛନ୍ତି  କର୍ତ୍ତୃପକ୍ଷ । କାରଣ ଦୈନିକ  ୱାର୍ଡରେ ୧୦ଲିଟର ଡିଜେଲ୍‌  ଓ ୨ଲିଟର ପେଟ୍ରୋଲ ହିସାବରେ ୫୯ଟି ୱାର୍ଡରେ  ୫୯୦ ଲିଟର ଡିଜେଲ୍‌ ଓ ୧୧୮ଲିଟର ପେଟ୍ରୋଲ  ଖର୍ଚ୍ଚ ହେଉଛି । ଯାହାର ଆନୁମାନିକ ମୂଲ୍ୟ ୬୮  ହଜାର ଟଙ୍କା । ଏହାସତ୍ତେ୍ୱ ମଶା ଘନତ୍ୱ କମିବାର  କୌଣସି ନା ଗନ୍ଧ ନାହିଁ । କିନ୍ତୁ ଏସବୁ ତଦାରଖ  କରିବାକୁ ୱାର୍ଡରେ ଫାଇଲେରିଆ ଇନ୍ସପେକ୍ଟରଙ୍କ  ଦେଖା ମିଳୁ ନ ଥିଲାବେଳେ କର୍ପୋରେଟର୍‌ଙ୍କ  ଦସ୍ତଖତରେ ସବୁ ବିଲ୍‌ ହୋଇଯାଉଥିବା  ଦେଖିବାକୁ ମିଳିଛି । କିଛି ୱାର୍ଡରେ କର୍ପୋରେଟର୍‌  ଏ ସମ୍ପର୍କରେ ଅବଗତ ନ ଥିଲେ ମଧ୍ୟ ସିଏମ୍‌ସି  ଏବେ କର୍ପୋରେଟର୍‌ଙ୍କ ଦସ୍ତଖତ ଆଳରେ ପାର୍‌  ହେବାକୁ ବସିଛି । କାରଣ ମଶା ଧୂଆଁ ଏକ ପ୍ରକାରର  ସୋସିଆଲ୍‌ ମିଡିଆର ଫଟୋରେ ସୀମିତ ରହିଛି । 

 ଏନେଇ ସିଏମ୍‌ସି କମିସନର ଅନାମ ଚରଣ  ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଅନେକ  ସ୍ଥାନକୁ ଯାଇ ତେଲ ପକାଇବା ମୁସ୍କିଲ ହେଉଛି ।  ଏହା ବଡ଼ ସମସ୍ୟା ପାଲଟିଛି । ତେଣୁ ଏହାର  ସମାଧାନ ପାଇଁ ଭୁବନେଶ୍ୱର ଭଳି ଡ୍ରୋନ୍‌ ଦ୍ୱାରା  ମଶା ତେଲ ସିଞ୍ଚନ କରାଯିବ । ଏଥିପାଇଁ ଖୁବ୍‌ ଶୀଘ୍ର  ଏକ ବୈଠକ କରାଯାଇ ପଦକ୍ଷେପ ନିଆଯିବ ।