ସମ୍ବଲପୁର,୦୭/୧୦: କଟକ ଅଶାନ୍ତି ପରେ ସମ୍ବଲପୁରରେ ହାଇଆଲର୍ଟ । ସହରର ପ୍ରବେଶ ପଥକୁ ନାକାବନ୍ଦୀ କରାଯାଇଛି । ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଜଣା ତଥା ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଟୋଲ୍ଗେଟ୍ରେ ପାଟ୍ରୋଲିଂ ଟିମ୍କୁ ନିୟୋଜିତ କରାଯାଇଛି । ସହରର ସମ୍ବେଦନଶୀଳ ଅଞ୍ଚଳରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ସେହିଭଳି ଦଙ୍ଗା ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ୍ ଫୋର୍ସକୁ ମଧ୍ୟ ସଜାଗ କରି ସହର ମଧ୍ୟରେ ରଖାଯାଇଛି । ସହରର ବିଭିନ୍ନ ସ୍ଥାନରେ ଆଉ ୭ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ସମ୍ବଲପୁରର ସୁରକ୍ଷା ବ୍ୟବସ୍ଥା ବ୍ୟାପକ ବୃଦ୍ଧି କରାଯିବା ସହ ସମସ୍ତ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି ମୁକେଶ ଭାମ ।
ସମ୍ବଲପୁର ଏସ୍ପିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ, ସହରର ୫ଟି ସ୍ଥାନରେ ୨୪ ଘଣ୍ଟିଆ ପହରା ଦିଆଯାଉଛି । ଏସ୍ଆଇ, ଏଏସ୍ଆଇଙ୍କ ଅଧିନରେ ଏହି ଟିମ୍ ଲୋକଙ୍କ ଗତିବିଧି ଉପରେ ନଜର ରଖିବ । ସେହିଭଳି ଜିଲ୍ଲା ସ୍କୁଲ ଛକ-ପେନସନପଡ଼ା-ପୀରବାବା ଛକ-ମ୍ୟୁନିସପାଲଟି ଛକ- ଦଲେଇପଡ଼ା-ଟିନବାଡ଼ି, ମୁଦିପଡ଼ା ଅଞ୍ଚଳରେ ପାଟ୍ରୋଲିଂ ଗାଡ଼ି ପଇଁତରା ମାରିବ । ଆଉ ଗୋଟିଏ ଗାଡ଼ି ଭୁତାପଡ଼ା-ମୋତିଝରଣ-ସୁନାପାଲି-ଖେତିପଡ଼ା-ଧନକଉଡ଼ା-ସାକ୍ଷୀପଡ଼ା ଅଞ୍ଚଳରେ ପାଟ୍ରୋଲିଂ କରିବ । ମନ୍ଦିର, ମସଜିଦ ଥିବା ସ୍ଥାନରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ପଥରେ ସ୍ଥାନୀୟ ଥାନା ଦ୍ୱାରା ନାକାବନ୍ଦୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହର ପ୍ରବେଶ ପଥରେ ନାକାବନ୍ଦୀ କରାଯିବା ସହ ସ୍କାନରରେ ରଖାଯାଇଛି ।
ସେହିଭଳି କ୍ଷେତରାଜପୁର ଜଙ୍କସନ୍, ସିଟି ରେଳ ଷ୍ଟେସନ, ଅଇଁଠାପାଲି ବସ୍ ଟର୍ମିନାଲ୍, ଲକ୍ଷ୍ମୀଟକିଜ ଛକ ଏବଂ ନୀଲଡୁଙ୍ଗୁରୀ ଓ ହାତୀବାରି ଟୋଲ୍ ଗେଟ୍ରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ସମ୍ବଲପୁର ପୁଲିସ୍ ଓ ଓଏପିଏଫ୍ର ମିଳିତ ଟିମ୍ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସମସ୍ତ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଧନୁପାଲି, ଟାଉନ ଏବଂ କ୍ଷେତରାଜପୁର ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ୨ ଜଣ ଅତିରିକ୍ତ ଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ବଲପୁର ଏସ୍ଡିପିଓ ତୋଫାନ୍ ବାଗଙ୍କୁ ଆଇନଶୃଙ୍ଖଳା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି ।