ନୂଆଦିଲ୍ଲୀ ୧୦/୦୬: ଭାରତୀୟ ଗ୍ରୋସରୀ ଡେଲିଭରୀ ଷ୍ଟାର୍ଟଅପ୍‌ କିରାନାପ୍ରୋ ଉପରେ ବଡ଼ ଧରଣର ସାଇବର୍‌ ହମ୍‌ଲା । ଏହା ଦ୍ୱାରା କେବଳ କମ୍ପାନିର ଆପ୍‌ ବନ୍ଦ ହୋଇଛି ତାହା ନୁହେଁ, ୟୁଜର୍‌ଙ୍କ ସମ୍ବେଦନଶୀଳ ତଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ଡିଲିଡ୍‌ ହୋଇଯାଇଛି । କମ୍ପାନିର ପ୍ରତିଷ୍ଠାତା ଦୀପକ ରବିନ୍ଦ୍ରନ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ହ୍ୟାକର୍‌ ସିଷ୍ଟମ୍‌ରେ ଏଣ୍ଟ୍ରି କରି ଆପ୍‌ର କୋଡ୍‌, ଗ୍ରାହକଙ୍କ ତଥ୍ୟ, ନାଁ, ଠିକଣା ଓ ଦେୟ ସହ ଜଡ଼ିତ ସୂଚନା ସମ୍ପୂର୍ଣ୍ଣ ଡିଲିଟ୍‌ କରିଦେଇଛନ୍ତି । 

ଡିସେମ୍ବର, ୨୦୨୪ରେ କିରାନାପ୍ରୋ ଲଞ୍ଚ୍‌ ହୋଇଥିଲା, ଯାହା ଏକ ଅଭିନବ ସ୍ୱର-ଆଧାରିତ ଅର୍ଡରିଂ ଆପ୍‌ । ହିନ୍ଦୀ, ତାମିଲ, ମାଲାୟାଲମ୍‌ ଓ ଇଂରାଜୀ ଭଳି ଭାଷାରେ ଅର୍ଡର୍‌ ଦେବାର ସୁବିଧା ଏହା ପ୍ରଦାନ କରୁଥିଲା । ଏହି ଆପ୍‌ ଦେଶର ୫୦ ସହରରେ ସ୍ଥାନୀୟ ସଉଦା ଦୋକାନ ଜରିଆରେ ଗ୍ରାହକଙ୍କ ସହ ଯୋଡ଼ି ହେଉଥିଲା । ପ୍ରତିଦିନ ପ୍ରାୟ ୨୦୦୦ ଅର୍ଡର୍‌ ପ୍ରୋସେସ୍‌ କରୁଥିଲା । ଆଗାମି ୧୦୦ ଦିନରେ ନେଟ୍‌ୱର୍କକୁ ଦୁଇଗୁଣ କରିବାକୁ କମ୍ପାନି ଯୋଜନା କରୁଥିଲା । କିନ୍ତୁ ଗତ ୨୬ ମେ’ରେ ହୋଇଥିବା ସାଇବର ଆଟାକ୍‌ ପୂରା ସିଷ୍ଟମ୍‌କୁ ଠପ୍‌ କରିଦେଲା ।

କମ୍ପାନିର ଟିମ୍‌ ଆମାଜନ୍‌ ୱେବ୍‌ ସର୍ଭିସେସ୍‌ ଆକାଉଣ୍ଟ୍‌ରେ ଲଗ୍‌ଇନ୍‌ କରି ନ ପାରିବାରୁ ସାଇବର ଆଟାକ୍‌ ବିଷୟରେ ଜଣାପଡ଼ିଲା । ହ୍ୟାକର୍‌ କମ୍ପାନିର ରୁଟ୍‌ ଆମାଜନ୍‌ ୱେବ୍‌ ସିର୍ଭିସେସ୍‌ ଓ ଗିଟ୍‌ହବ୍‌ ଆକାଉଣ୍ଟ୍‌କୁ ଅଧିଗ୍ରହଣ କରିଥିଲେ । ଜଣେ ପୂର୍ବତନ କର୍ମଚାରୀଙ୍କ ଲଗ୍‌ଇନ୍‌ କ୍ରେଡେନ୍‌ଶିୟାଲ୍ସ ଜରିଆରେ ଏହା କରାଯାଇଥିଲା । ସାଇବର ଆଟାକ୍‌ରେ ସମସ୍ତ ଭର୍ଚୁଆଲ ମସିନ୍‌କୁ ଡିଲିଟ୍‌ କରିଦିଆଯାଇଛି । କମ୍ପାନି ଟୁ-ଫ୍ୟାକ୍ଟର ଅଥେନ୍‌ଟିକେଶନ୍‌ର ଉପଯୋଗ କରୁଥିଲା । ଏହା ସତ୍ତେ୍ୱ ହ୍ୟାକର୍‌ ସିଷ୍ଟମ୍‌କୁ ହ୍ୟାକ୍‌ କରିଦେଲେ । କମ୍ପାନି ଏବେ ଗିଟ୍‌ହବ୍‌ ସହ ମିଶି ଠକକୁ ଖୋଜିବାକୁ ଚେଷ୍ଟା କରୁଛି ଏବଂ ଏଥିରେ ସମ୍ପୃକ୍ତ ପୂର୍ବ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ବଡ଼ ଧରଣର ସାଇବର୍‌ ହମ୍‌ଲା ପରେ କମ୍ପାନିର ପରବର୍ତ୍ତୀ ପଦକ୍ଷେପ ଖୁବ୍‌ ଚାଲେଞ୍ଜିଂ ହେବ ।