ପୁରୀ,୧୦/୧୨ : ସାଇବର ଅପରାଧୀମାନେ ସେମାନଙ୍କ ଜାଲ ବିଛାଇ ବସିଥାନ୍ତି । ଯିଏ ଲୋଭାସକ୍ତ ହୋଇ ତାହାକୁ ଗ୍ରହଣ କରେ ସେ ଅନଲାଇନ ଲୁଟର ଶିକାର ହୁଏ । ଏହାକୁ କେବଳ ସତର୍କତା ଓ ସଚେତନତା ଦ୍ଵାରା ପ୍ରତିହତ କରାଯାଇପାରିବ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ।
ବୁଧବାର ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ବେଟୀ ବଚାଓ ବେଟୀ ପଢାଓ ଅଧିନରେ ସାଇବର ସତର୍କତା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେଠୀ ଆଜିର ସମୟରେ ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଇନଷ୍ଟାଗ୍ରାମ, ହ୍ବାଟ୍ସଅପ, ଫେସବୁକ ଇତ୍ୟାଦି ବିବିଧ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଛନ୍ତି । ତେବେ ଅପରାଧୀମାନେ ମଧ୍ୟ ସକ୍ରିୟ ହୋଇ ପ୍ରତି କ୍ଷେତ୍ରରେ ଠକେଇ ପାଇଁ ଉଦ୍ୟମ କରୁଛନ୍ତି । ଆମେ ଲୋଭ ଛାଡ଼ି, ସଠିକତା ଅନୁଭବ କରି ଯଦି ସତର୍କ ହେବା ତେବେ ସାଇବର ଠକାମୀରୁ ବର୍ତ୍ତି ପାରିବା ବୋଲି ସେ କହିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପୁଲିସ ସାଇବର ସେଲର ଆଇଆଇସି ଯୋଗମାୟା ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିବକ୍ତା ଶୁଭ୍ରାନ୍ତ ମିଶ୍ର, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ସାଇବର ଅପରାଧର ସଂଜ୍ଞା, କି କି ପ୍ରକାର ଠକାମୀ, ତାହାର ନିରାକରଣ, ସଚେତନତା ଓ ସତର୍କତା ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ ଓ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
କର୍ମଶାଳାରେ ଉପସ୍ଥିତ ଦର୍ଶକମାନେ ନିଜ ଅଭିଜ୍ଞତାରୁ କିପରି ଲୋଭନୀୟ ଅଫର ଆସିଥିବା ଓ ସତର୍କତା ଯୋଗୁଁ ସେଥିରୁ ବର୍ତ୍ତି ଯାଇଥିଲେ ସେ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ଚନ୍ଦ୍ରପ୍ରଭା ଦେଇ ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ବାଲ୍ୟବତୀ ମହାନ୍ତି, ସିଡିପିଓ, ସୁପରଭାଇଜର କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।