କଟକ,୨୮/୦୭: ଇଣ୍ଟର୍‌ନେଟ୍‌ର ବ୍ୟବହାର ବଢୁଥିଲା ବେଳେ ସାଇବର୍‌  ଲୁଟେରା ଏହା ମାଧ୍ୟମରେ ବିଭିନ୍ନ କୌଶଳରେ  ଲୁଟ୍‌ କରି ଚାଲିଛନ୍ତି । ବ୍ୟାପକ ସଚେତନତା  ସତ୍ତେ୍ୱ ନୂଆ ନୂଆ ବାଟରେ ସେମାନେ ଲୋକଙ୍କ ଆକାଉଣ୍ଟ ସଫା କରି ଦେଉଛନ୍ତି । ଏବେ  ଅର୍ଥ ରୋଜଗାର ପାଇଁ ବିଭିନ୍ନ ନିବେଶ ଓ  ନିଯୁକ୍ତି ସୁଯୋଗର ଲୋଭନୀୟ ବିଜ୍ଞାପନ ଦେଇ ସାଇବର ଠକମାନେ ଲୋକଙ୍କୁ ନିଜ  ଜାଲରେ ଫସାଉଛନ୍ତି । ବିଶେଷ କରି କଲେଜ ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ଉପାର୍ଜନର ସୁଯୋଗ ଦେବା ଆଳରେ ଲିଙ୍କ୍‌ ପଠାଇ ସେମାନଙ୍କ  ମୋବାଇଲ ହ୍ୟାକ୍‌ କରି ଲୁଟୁଛନ୍ତି । ୧୫  ମିନିଟ୍‌ରେ ୫ ହଜାରକୁ ୧୫ ହଜାର  ଟଙ୍କାରେ ପରିଣତ ହେବା ଭଳି ଲୋଭ ଦେଖି ଛାତ୍ରଛାତ୍ରୀମାନେ ସାଇବର ଲୁଟେରା  ପଠାଇଥିବା ଆପ୍‌ ଓ ଲିଙ୍କ ଡାଉନ୍‌ଲୋଡ୍‌  କରିଦେଉଛନ୍ତି । ପରେ ପେମେଣ୍ଟ୍‌ ଆପ୍‌  ଦ୍ୱାରା ସବୁ ଟଙ୍କା ଲୁଟି ନେଉଛନ୍ତି ଠକ । 

ଏବେ ସମସ୍ତ ହାତରେ ସ୍ମାର୍ଟ ଫୋନ୍‌  ରହିଛି । ଟଙ୍କା ଦେଣନେଣ ପ୍ରାୟ ଡିଜିଟାଲ୍‌  ମାଧ୍ୟମରେ କରାଯାଉଛି । ସମସ୍ତଙ୍କ  ମୋବାଇଲ୍‌ରେ ବିଭିନ୍ନ ପେମେଣ୍ଟ ଆପ୍‌  ରହିଛି । ତେବେ ସାଇବର ଠକମାନେ ଅଳ୍ପ  ଟଙ୍କା ନିବେଶ କରି ଅଧିକ ଲାଭ ମିଳିବ ବୋଲି  ବିଭିନ୍ନ ଆପ୍‌ ବ୍ୟବହାର କରିବାକୁ ବିଜ୍ଞାପନ  ଦେଉଛନ୍ତି । ମୋବାଇଲ୍‌ରେ ସେଭଳି ଆପ୍‌  ଡାଉନ୍‌ଲୋଡ୍‌ କରିବା ପରେ ସେଥିରୁ ମଧ୍ୟ  ବିଭିନ୍ନ ଲିଙ୍କ୍‌ ମୋବାଇଲ୍‌ ନମ୍ବରକୁ ଆସୁଛି ।  ଉଦାହରଣ ସ୍ୱରୂପ³ ହଠାତ୍‌ ମୋବାଇଲ୍‌କୁ  ମେସେଜ୍‌ ଆସୁଛି କି ଗରିବ ଛାତ୍ରଛାତ୍ରୀ ୫  ହଜାର ଟଙ୍କା ନିବେଶ କରନ୍ତୁ, ୪୫ ମିନିଟ୍‌  ଅପେକ୍ଷା କରନ୍ତୁ ଓ ୧୫ ହଜାର ଟଙ୍କା ପାଆନ୍ତୁ ।  

ଭ୍ୟୁ ପୋଷ୍ଟ୍‌ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ  ଯଦି କୌଣସି ଛାତ୍ରଛାତ୍ରୀ ଏହା ସରକାରଙ୍କ  ମେସେଜ୍‌ ଭାବି କ୍ଲିକ୍‌ କଲେ ସେଠାରେ ପେମେଣ୍ଟ୍‌ କରିବାକୁ ଅନୁମତି ମାଗୁଛି । ଥରେ  ଅନୁମତି ମିଳିଲେ ମୋବାଇଲ୍‌ ହ୍ୟାକ୍‌ କରି  ସାଇବର ଠକ ଗ୍ୟାଙ୍ଗ ଟଙ୍କା ସହ ମୋବାଇଲ୍‌ର ଅନେକ ଡାଟା ଚୋରି କରିନେଉଛନ୍ତି । କିଛି  ଆପ୍‌ରେ ଓଡି଼ଆରେ ଲେଖା ଆସୁଛି । ତେଣୁ  ଟଙ୍କା ରୋଜଗାର କରିବା ପ୍ରଲୋଭନରେ ଅନେକ ଫସିଯାଉଛନ୍ତି । ଏଥିରେ କଲେଜ  ଛାତ୍ରମାନେ ବେଶ୍‌ ମାତ୍ରାରେ ପ୍ରଭାବିତ  ହେଉଥିବା ଜଣାପଡିଛି । ଏ ନେଇ ସାଇବର୍‌  ବିଶେଷଜ୍ଞ ସଚେତନ ରହିବାକୁ ପରାମର୍ଶ  ଦେଇଛନ୍ତି । କୌଣସି ଅନାବଶ୍ୟକ ଆପ୍‌  ଡାଉନ୍‌ଲୋଡ୍‌ କରନ୍ତୁ ନାହିଁ କିମ୍ବା କୌଣସି  ଲିଙ୍କ ନବୁଝି ଖୋଲନ୍ତୁ ନାହିଁ ବୋଲି ସାଇବର  ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।