କଟକ,୨୮/୦୭: ଇଣ୍ଟର୍ନେଟ୍ର ବ୍ୟବହାର ବଢୁଥିଲା ବେଳେ ସାଇବର୍ ଲୁଟେରା ଏହା ମାଧ୍ୟମରେ ବିଭିନ୍ନ କୌଶଳରେ ଲୁଟ୍ କରି ଚାଲିଛନ୍ତି । ବ୍ୟାପକ ସଚେତନତା ସତ୍ତେ୍ୱ ନୂଆ ନୂଆ ବାଟରେ ସେମାନେ ଲୋକଙ୍କ ଆକାଉଣ୍ଟ ସଫା କରି ଦେଉଛନ୍ତି । ଏବେ ଅର୍ଥ ରୋଜଗାର ପାଇଁ ବିଭିନ୍ନ ନିବେଶ ଓ ନିଯୁକ୍ତି ସୁଯୋଗର ଲୋଭନୀୟ ବିଜ୍ଞାପନ ଦେଇ ସାଇବର ଠକମାନେ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି । ବିଶେଷ କରି କଲେଜ ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ଉପାର୍ଜନର ସୁଯୋଗ ଦେବା ଆଳରେ ଲିଙ୍କ୍ ପଠାଇ ସେମାନଙ୍କ ମୋବାଇଲ ହ୍ୟାକ୍ କରି ଲୁଟୁଛନ୍ତି । ୧୫ ମିନିଟ୍ରେ ୫ ହଜାରକୁ ୧୫ ହଜାର ଟଙ୍କାରେ ପରିଣତ ହେବା ଭଳି ଲୋଭ ଦେଖି ଛାତ୍ରଛାତ୍ରୀମାନେ ସାଇବର ଲୁଟେରା ପଠାଇଥିବା ଆପ୍ ଓ ଲିଙ୍କ ଡାଉନ୍ଲୋଡ୍ କରିଦେଉଛନ୍ତି । ପରେ ପେମେଣ୍ଟ୍ ଆପ୍ ଦ୍ୱାରା ସବୁ ଟଙ୍କା ଲୁଟି ନେଉଛନ୍ତି ଠକ ।
ଏବେ ସମସ୍ତ ହାତରେ ସ୍ମାର୍ଟ ଫୋନ୍ ରହିଛି । ଟଙ୍କା ଦେଣନେଣ ପ୍ରାୟ ଡିଜିଟାଲ୍ ମାଧ୍ୟମରେ କରାଯାଉଛି । ସମସ୍ତଙ୍କ ମୋବାଇଲ୍ରେ ବିଭିନ୍ନ ପେମେଣ୍ଟ ଆପ୍ ରହିଛି । ତେବେ ସାଇବର ଠକମାନେ ଅଳ୍ପ ଟଙ୍କା ନିବେଶ କରି ଅଧିକ ଲାଭ ମିଳିବ ବୋଲି ବିଭିନ୍ନ ଆପ୍ ବ୍ୟବହାର କରିବାକୁ ବିଜ୍ଞାପନ ଦେଉଛନ୍ତି । ମୋବାଇଲ୍ରେ ସେଭଳି ଆପ୍ ଡାଉନ୍ଲୋଡ୍ କରିବା ପରେ ସେଥିରୁ ମଧ୍ୟ ବିଭିନ୍ନ ଲିଙ୍କ୍ ମୋବାଇଲ୍ ନମ୍ବରକୁ ଆସୁଛି । ଉଦାହରଣ ସ୍ୱରୂପ³ ହଠାତ୍ ମୋବାଇଲ୍କୁ ମେସେଜ୍ ଆସୁଛି କି ଗରିବ ଛାତ୍ରଛାତ୍ରୀ ୫ ହଜାର ଟଙ୍କା ନିବେଶ କରନ୍ତୁ, ୪୫ ମିନିଟ୍ ଅପେକ୍ଷା କରନ୍ତୁ ଓ ୧୫ ହଜାର ଟଙ୍କା ପାଆନ୍ତୁ ।
ଭ୍ୟୁ ପୋଷ୍ଟ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଯଦି କୌଣସି ଛାତ୍ରଛାତ୍ରୀ ଏହା ସରକାରଙ୍କ ମେସେଜ୍ ଭାବି କ୍ଲିକ୍ କଲେ ସେଠାରେ ପେମେଣ୍ଟ୍ କରିବାକୁ ଅନୁମତି ମାଗୁଛି । ଥରେ ଅନୁମତି ମିଳିଲେ ମୋବାଇଲ୍ ହ୍ୟାକ୍ କରି ସାଇବର ଠକ ଗ୍ୟାଙ୍ଗ ଟଙ୍କା ସହ ମୋବାଇଲ୍ର ଅନେକ ଡାଟା ଚୋରି କରିନେଉଛନ୍ତି । କିଛି ଆପ୍ରେ ଓଡି଼ଆରେ ଲେଖା ଆସୁଛି । ତେଣୁ ଟଙ୍କା ରୋଜଗାର କରିବା ପ୍ରଲୋଭନରେ ଅନେକ ଫସିଯାଉଛନ୍ତି । ଏଥିରେ କଲେଜ ଛାତ୍ରମାନେ ବେଶ୍ ମାତ୍ରାରେ ପ୍ରଭାବିତ ହେଉଥିବା ଜଣାପଡିଛି । ଏ ନେଇ ସାଇବର୍ ବିଶେଷଜ୍ଞ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । କୌଣସି ଅନାବଶ୍ୟକ ଆପ୍ ଡାଉନ୍ଲୋଡ୍ କରନ୍ତୁ ନାହିଁ କିମ୍ବା କୌଣସି ଲିଙ୍କ ନବୁଝି ଖୋଲନ୍ତୁ ନାହିଁ ବୋଲି ସାଇବର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।