ବାଉଁଶୁଣୀ, ୬/୧୨ : ଜାତୀୟ ରାଜପଥ ୫୭ ନଂର ମନମୁଣ୍ଡା ଥାନା ଚୌରୀଆପଦର ନିକଟରେ ଶନିବାର ଅପରାହ୍ନ ୪ଟା ସମୟରେ ଘଟିଛି ସଡ଼କ ଦୁର୍ଘଟଣା । କାର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲାବେଳେ ଦୁଇ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ମନମୁଣ୍ଡା ଥାନା ଚୌରୀଆପଦର ଗ୍ରାମର ଲିଙ୍ଗରାଜ ମେହେର ନିଜ ସାଇକେଲ ଯୋଗେ ଶନିବାର ସାପ୍ତାହିକ ବଜାରକୁ ପରିବା କିଣିବା ପାଇଁ ଯାଉଥିଲେ । ଏହି ସମୟରେ ଚୌରୀଆପଦର ଓ ଦହ୍ୟା ସୀମାବର୍ତ୍ତୀ ପୋଖରୀ ନିକଟରେ ସମାନ ଦିଗରୁ ଆସୁଥିବା ଏକ କାର ଧକ୍କା ଦେଇ ଫେରାର ହୋଇଯାଇଥିଲା l ରାସ୍ତାରେ ଯାଉଥିବା ଅନ୍ୟ ଦୁଇଟି ସାଇକେଲ ଆରୋହୀଙ୍କୁ ମଧ୍ୟ ଧକ୍କା ଦେବାରୁ ସେମାନେ ଆହତ ହୋଇଛନ୍ତି । ଧକ୍କା ଦେଇ କାରଟି ଫେରାର ହେଉଥିବାବେଳେ ବହିରା ନିକଟ ସଦେଇପୁର ଛକ ନିକଟରେ ଲୋକଙ୍କ ଦ୍ବାରା ଅଟକ ରହିଛି ।
ଧକ୍କା ଦେଇଥିବା ସାଇକଲକୁ ଘୋଷାଡ଼ିଘୋଷାଡି କାରଟି ୧୧କିଲୋମିଟର ଦୂରକୁ ଧରି ଆସିଥିବା ଦେଖିବାକୁ ମିଳିଛି l ଖବରପାଇ ବାଉଁଶୁଣୀ ପୁଲିସ କାରକୁ ଅଟକ ରଖିଥିବାବେଳେ ଡ୍ରାଇଭର କୌଶଳକ୍ରମେ ଫେରାର ହୋଇଯାଇଛି । ଅନ୍ୟ ଜଣକୁ ପୁଲିସ୍ ଅଟକ ରଖିଛି l ଦୁର୍ଘଟଣାସ୍ଥଳରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।