ଭୁବନେଶ୍ୱର,୨୪/୧୦: ଗୁରୁବାର ରାତି  ସାଢ଼େ ୧୧ରୁ ଶୁକ୍ରବାର ଦିନ ସାଢ଼େ ୧୧ଟା ଯାଏଁ ବିପଦ ବେଶି । ବାତ୍ୟା ‘ଦାନା’ ଏହି ୧୨ ଘଣ୍ଟା ସର୍ବାଧିକ କୋପ ଦେଖାଇବ ଓଡ଼ିଶା ଉପକୂଳରେ । ବାତ୍ୟାର ୧୦୦ କିମି  ବ୍ୟାସାର୍ଦ୍ଧ ଯାଏଁ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିଲୋମିଟର ରହିବା ଆଶଙ୍କା ଅଛି । ଝଟ୍‌କା ୧୨୦ କିମି  ଛୁଇଁପାରେ ଏସବୁ ଅଞ୍ଚଳରେ । 

ଭୀଷଣ ବାତ୍ୟା ରୂପରେ ‘ଦାନା’ ଗୁରୁବାର ରାତି  ପ୍ରାୟ ସାଢ଼େ ୧୧ଟାବେଳକୁ ଧାମରାର ଦକ୍ଷିଣ ପୂର୍ବରେ  ପ୍ରାୟ ୫୦ରୁ ୫୫ କିମି ଦୂରରେ ସମୁଦ୍ର ଭିତରେ  ଥିବ । ସେଠାରୁ ଭିତରକନିକା ବି ବେଶି ଦୂରରେ ନ  ଥିବ । ବାତ୍ୟାର ବଳୟ ସେଥିରେ ଘଷି ହେଉଥିବ ।  ବାତ୍ୟାର କେନ୍ଦ୍ରୀୟ ବଳୟ ଭିତରେ ପବନ ପିଟୁଥିବ  ୧୦୦-୧୧୦ କିମି ବେଗରେ । ମଝିରେ ମଝିରେ  ଝଟ୍‌କା ଦେଉଥିବ ୧୨୦ କିମି ବେଗରେ । ହେଲେ  ଏହାପରେ ବାତ୍ୟାର ଗତି ଧିମେଇ ଯିବା ସମ୍ଭାବନା  ଅଛି । ଯେଉଁଥିପାଇଁ ବାତ୍ୟା ଆଗକୁ ବଢ଼ିବାକୁ ଢେର  ସମୟ ନେବ । ଧାମରାରୁ ବାସୁଦେବପୁର ନିକଟସ୍ଥ  ମାର୍କୋଣାର ଦୂରତା ପ୍ରାୟ ୫୦ କିମି ପାଖାପାଖି ହେବ ।  ସେଠାରେ ବାତ୍ୟାର କେନ୍ଦ୍ର ସ୍ଥଳ ପହଞ୍ଚିଲାବେଳକୁ ୨୫  ତାରିଖ (ଶୁକ୍ରବାର) ଦିନ ପ୍ରାୟ ସାଢ଼େ ୧୧ଟା ହେବ ।   

ଅର୍ଥାତ୍‌ ରାତି ସାଢ଼େ ୧୧ଟାରୁ ଦିନ ସାଢ଼େ ୧୧ଟା  ଭିତରେ (୧୨ ଘଣ୍ଟାରେ) ବାତ୍ୟା ମାତ୍ର ୯୦ରୁ ୧୦୦ କିମି  ଦୂରତା ଯିବ । ଏହି ସମୟରେ ବାତ୍ୟା ତା’ର ସର୍ବାଧିକ  ପ୍ରକୋପରେ ଥିବ । ଏହାର କେନ୍ଦ୍ରୀୟ ବଳୟ ଭିତରେ  ଯେଉଁ ସବୁ ଅଞ୍ଚଳ ରହିବ, ସେଠାରେ ବେଶି ପ୍ରଭାବ  ପଡ଼ିବ । ବାତ୍ୟା କେନ୍ଦ୍ରସ୍ଥଳରୁ ଦକ୍ଷିଣ ପଶ୍ଚିମରେ ୧୦୦  କିମି ପର୍ଯ୍ୟନ୍ତ ଓ ଉତ୍ତର ପଶ୍ଚିମରେ ୧୦୦ କିମି ପର୍ଯ୍ୟନ୍ତ  ପବନର ବେଗ ସର୍ବାଧିକ ରହିବ । ଧାମରା, ଚାନ୍ଦବାଲି,  କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, ଯାଜପୁର, ଜଗତସିଂହପୁର,  ପାରାଦୀପ, କଟକ, ଭୁବନେଶ୍ୱର, ଭଦ୍ରକ, ଧାମନଗର,  ପାଣିକୋଇଲି, ବ୍ୟାସନଗର, ବାସୁଦେବପୁର, ଚରମ୍ପା,  ସୋର, ସିମୁଳିଆ, ଆନନ୍ଦପୁର, ଘଟଗାଁ ଆଦି ଅଞ୍ଚଳରେ  ପବନ ମାଡ଼ ହେବ ୧୦୦ରୁ ୧୨୦ କିମି ବେଗରେ । ଏହି  ଅଞ୍ଚଳରେ ସର୍ବାଧିକ କ୍ଷତି ଆଶଙ୍କା ରହିଛି ।