ଭୁବନେଶ୍ୱର,୨୪/୧୦: ବାତ୍ୟା ‘ଦାନା’ ପାଇଁ ବିମାନ ଚଳାଚଳରେ ବାଧା  ଉପୁଜିପାରେ । ଏହାକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୧୬ ଘଣ୍ଟା  ପାଇଁ ବନ୍ଦ ରଖାଯିବ । ଶୁକ୍ରବାର ସନ୍ଧ୍ୟା ୫ଟାରୁ ୨୫ ତାରିଖ ସକାଳ ୯ଟା ଯାଏଁ ବିମାନ  ଚଳାଚଳ ବନ୍ଦ କରାଯାଇଛି । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ସାହୁ ଏହି ସୂଚନା  ଦେଇଛନ୍ତି । ବିମାନ ଚଳାଚଳ ବନ୍ଦ ଯୋଗୁ ପାଖାପାଖି ୫/୬ ହଜାର ଯାତ୍ରୀ ଅସୁବିଧାର ସାମ୍ନା  କରିବେ । ସେମାନଙ୍କ ଟିକଟକୁ ବାତିଲ୍‌ କରାଯାଇଛି । ଦାନା ମୁକାବିଲା ପାଇଁ ବିମାନବନ୍ଦରରେ  ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଜାରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଅନୁସାରେ ଭୁବନେଶ୍ୱର ବିମାନବନ୍ଦରକୁ ଆଲର୍ଟରେ ରଖାଯାଇଛି । ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ବାତ୍ୟା ପରେ କ’ଣ ସବୁ ପଦକ୍ଷେପ ନେବାକୁ ପଡିବ, ସେ ନେଇ ବିମାନ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି । ପାର୍କିଂସ୍ଥଳ ସହ ହ୍ୟାଙ୍ଗର୍‌ରେ ବିମାନଗୁଡି଼କୁ  ସୁରକ୍ଷିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବିମାନ କର୍ତ୍ତୃପକ୍ଷଙ୍କ ଛୁଟି ବାତିଲ କରାଯାଇଛି ।  ବିମାନବନ୍ଦରରେ ଲଜିଷ୍ଟିକ୍‌ ଓ ଟେକ୍ନିସିଆନମାନେ ଆଲର୍ଟ ରହିବାକୁ କୁହାଯାଇଛି ।