ଭୁବନେଶ୍ୱର,୨୨/୧୦:  ରାସ୍ତାରେ ହୋର୍ଡିଂ ଝୁଲୁଛି । ନେତାଙ୍କ  ମାଳମାଳ ହାତଯୋଡା ହୋର୍ଡିଂ ଗଦା  ହୋଇଛି । ଦୁର୍ଗାପୂଜା ସପ୍ତାହେ ହେଲା ଗଲାଣି । ଏବେ ବି ଏକାଧିକ ସ୍ଥାନରେ  ତୋରଣ ଖୋଲା ହୋଇନି । ମୁଣ୍ଡ  ଉପରେ ବାତ୍ୟା । ଦଲକାଏ ପବନ ହେଲେ ଜୀବନ ଯିବା ଥୟ। 

ବଙ୍ଗୋପସାଗରେ ସୃଷ୍ଟି ଘୁର୍ଣ୍ଣିବଳୟ  ବାତ୍ୟାର ରୂପ ନେବ । ପବନର ବେଗ  ଘଣ୍ଟା ପ୍ରତି ପାଖାପାଖି ୧୦୦ରୁ ୧୨୦ କିମି  ରହିବ । ପ୍ରଭାବ ରାଜଧାନୀରେ ମଧ୍ୟ ପଡିବ । ହେଲେ ସହର ପାଇଁ ସବୁଠୁ ବଡ ବିପଦ  ହୋଇ ଉଭା ହୋଇଛି ବେଆଇନ ହୋର୍ଡିଂ ।  

ଦୁର୍ଗା ପୂଜା ପାଇଁ ଭୁବନେଶ୍ୱରରେ ସବୁ ପ୍ରମୁଖ ପୂଜା ମଣ୍ଡପରେ ବିରାଟ  ତୋରଣ ନିର୍ମାଣ ହୋଇଥିଲା ।  ସେଥିମଧ୍ୟରୁ ଏକାଧିକ ତୋରଣ ବର୍ତ୍ତମାନ ସୁଦ୍ଧା ଖୋଲା ସରିନି । ଯଦି  ତୁରନ୍ତ ଏସବୁ ତୋରଣ ଖୋଲା ନ  ଯାଏ ତାହାଲେ ବିପଦକୁ ଏଡାଇ  ଦେଇ ହେବନି । ନିକଟରେ କଟକ  ଖାନନଗରରେ ପବନରେ ତୋରଣ  ରାସ୍ତାରେ ଭୁସୁଡ଼ି ପଡିଥିଲା ।  ଭୁବନେଶ୍ୱରରେ ମଧ୍ୟ ସମାନ ପରିସ୍ଥିତି  ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି ।  

ବର୍ତ୍ତମାନ ଗଜଲକ୍ଷ୍ମୀ ପୂଜା  ଚାଲିଛି । ସେଥିପାଇଁ ବିଭିନ୍ନ ପୂଜା  ମଣ୍ଡପରେ ତୋରଣ, ଲାଇଟ୍‌ ଗେଟ୍‌  ବନ୍ଧା ହୋଇଛି । ବିଭିନ୍ନ ସାମାଜିକ ସଙ୍ଗଠନ, ରାଜନୈତିକ ଦଳ ପକ୍ଷରୁ  ନେତାମାନେ ହୋର୍ଡିଂ ମାରି ପୂଜା  ଶୁଭେଚ୍ଛା ଜଣାଇଛନ୍ତି । 

ବାତ୍ୟାବେଳେ  ଏସବୁ ହୋର୍ଡିଂ ବି କାଳ ସାଜି ପାରେ ।  ହୋର୍ଡିଂ ହଟାଇବାକୁ ବିଏମ୍‌ସି  ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ରହିଛି । ହେଲେ ଆଜି  ସୁଦ୍ଧା ଏକାଧିକ ସ୍ଥାନରେ ହୋର୍ଡିଂ ହଟି  ନଥିବାବେଳେ ବିଏମ୍‌ସିର ଜଣେ ବରିଷ୍ଠ  ଅଧିକାରୀ କହିଛନ୍ତି ଯେ, ଟିମକୁ ତୁରନ୍ତ  ହୋଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।