ଭୁବନେଶ୍ୱର,୧୮/୧୦: ଅକ୍ଟୋବର ମାସ ଆସିଲେ ବାତ୍ୟା ଡର ମାଡ଼ି ଆସେ ଓଡ଼ିଶାକୁ । ୧୯୯୯  ମହାବାତ୍ୟାରୁ ନେଇ ପରବର୍ତ୍ତୀ ସମୟରେ ଫାଇଲିନ୍‌, ହୁଡ୍‌ହୁଡ୍‌ ଓ ତିତ୍‌ଲି ବାତ୍ୟାର ପ୍ରକୋପ ସହିଛି ଓଡ଼ିଶା । ଏଥର ପୁଣି ଅକ୍ଟୋବରରେ ଓଡ଼ିଶା ମୁହାଁ ଆଉ ଏକ ବାତ୍ୟା ଆସିବାର ଆଶଙ୍କା ଦେଖା ଦେଇଛି । 

୧୯୯୯ ଅକ୍ଟୋବର ୨୯ରେ ପ୍ରଳୟଙ୍କରୀ  ମହାବାତ୍ୟା ମାଡ଼ ହେଲା ପାରାଦୀପ ଉପକୂଳରେ । ପବନ ବେଗ ୨୬୦ କିଲୋମିଟରୁ ଅଧିକ ଥିଲା ।  ସମଗ୍ର ଉପକୂଳ ଓଡ଼ିଶା ଧ୍ୱଂସ ସ୍ତୁପ ପାଲଟି  ଯାଇଥିଲା । ୨୪ ଘଣ୍ଟାରୁ ଅଧିକ ସମୟ ଧରି  ମହାବାତ୍ୟା ଦେଖାଇଥିଲା ଭୟଙ୍କର ପ୍ରକୋପ ।  ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକରେ କ୍ଷୟକ୍ଷତି  ଥିଲା ଅତି ଭୟଙ୍କର । ଜଗତସିଂହପୁର ସମୁଦ୍ର  ତଟ ଅଞ୍ଚଳରେ ହଜାର ହଜାର ମୃତଦେହ ଏଠି  ସେଠି ପଡ଼ିଥିଲା । ସରକାରୀ ହିସାବରେ ମୃତ୍ୟୁ  ସଂଖ୍ୟା ୧୦ ହଜାର ଥିଲା । ସେଇ ବର୍ଷଠାରୁ  ଅକ୍ଟୋବର ଆସିଲେ ବାତ୍ୟା ମନେ ପଡ଼ିଯାଏ ।

ପରବର୍ତ୍ତୀ ସମୟରେ ୨୦୧୩ ଅକ୍ଟୋବର  ୧୨ରେ ଗୋପାଳପୁର ପାଖରେ ମାଡ଼ ହୋଇଥିଲା  ଅତି ଭୀଷଣ ବାତ୍ୟା ‘ଫାଇଲିନ୍‌’ । ପବନ  ବେଗ ୧୮୫ କିମି ଛୁଇଁଥିଲା ଗୋପାଳପୁରରେ ।  ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଦକ୍ଷିଣ ଉପକୂଳ ଓଡ଼ିଶାରେ। ଏହା ପ୍ରଭାବରେ ଲଗାଣ ବର୍ଷା  ଆଣିଥିଲା ବାଲେଶ୍ୱରରେ ପ୍ରଳୟଙ୍କରୀ ବନ୍ୟା ।  ତା’ ପରବର୍ଷ ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା  ହୁଡ୍‌ହୁଡ୍‌ ମାଡ଼ ହେଲା ଦକ୍ଷିଣ ଓଡ଼ିଶା ପାଖ  ଆନ୍ଧ୍ରର ବିଶାଖାପାଟଣାରେ । ଏହାର ବେଶ୍‌ ପ୍ରଭାବ  ପଡ଼ିଥିଲା ଓଡ଼ିଶାରେ । ୨୦୧୮ ଅକ୍ଟୋବରରେ  ଆସିଥିଲା ତିତ୍‌ଲି ବାତ୍ୟା । ଓଡ଼ିଶାରେ ସିଧା  ମାଡ଼ ହୋଇନଥିଲା । ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ  ଓଡ଼ିଶାରେ ଆତଙ୍କ ଖେଳାଇଥିଲା । ଗଜପତି  ଜିଲ୍ଲାରେ ଏଭଳି ଲଗାଣ ବର୍ଷା ହେଲା ଯେ  ଭୂସ୍ଖଳନରେ ଅନେକ ଜୀବନ ଚାଲିଗଲା ।  ଏବେ ପୁଣି ଅକ୍ଟୋବରରେ ବାତ୍ୟା ସମ୍ଭାବନା  ଖବର ଉପକୂଳ ଓଡ଼ିଶାରେ ଡର ବଢ଼ାଇଲାଣି ।