ମୁମ୍ବାଇ,୨୩/୧୦ : କମ୍ପାନିଗୁଡ଼ିକର ଦୁର୍ବଳ ପ୍ରଦର୍ଶନ ଏବଂ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ଙ୍କ ଦ୍ୱାରା ପୁଞ୍ଜି ବହିଃପ୍ରବାହ ଯୋଗୁ ଆଜି ଭାରତୀୟ ଇକ୍ୱିଟି ବଜାରରେ ବଡ଼ ଧରଣର ଝଡ଼ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ୯୦୦ ପଏଣ୍ଟରୁ ଊଦ୍ଧ୍ୱର୍ ସଂକୁଚିତ ହୋଇଥିବାବେଳେ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ୨୪,୫୦୦ ପଏଣ୍ଟ ତଳକୁ ଖସିଆସିଛି । ଆଜିର ଏହି ହ୍ରାସ ଫଳରେ ଦଲାଲ ଷ୍ଟ୍ରିଟ୍‌ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଗୋଲ୍‌ ହୋଇଯାଇଛି ।  କାରବାର ଶେଷରେ ସେନ୍‌ସେକ୍ସରେ ୯୩୦ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୮୦,୨୨୦ ପଏଣ୍ଟରେ ବନ୍ଦ ହୋଇଛି। 

ଅନ୍ୟପକ୍ଷରେ, ନିଫ୍‌ଟିରେ ୩୦୯ ପଏଣ୍ଟ ହ୍ରାସ ଘଟିଛି । ଏହା ୨୪,୪୭୨ ପଏଣ୍ଟରେ ବନ୍ଦ ହୋଇଛି । ବଜାରରେ ଏହି ହ୍ରାସ ଫଳରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ମୂଲ୍ୟ ୯.୩୪ ଲକ୍ଷ କୋଟି ଟଙ୍କା ସଂକୁଚିତ ହୋଇଛି । ଫଳରେ ଏହା ୪୪୪.୩୧ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଏସ୍‌ବିଆଇ ଏବଂ ଏଲ୍‌ ଆଣ୍ଡ୍‌ ଟି ଏକତ୍ର ଭାବେ ସେନ୍‌ସେକ୍ସକୁ ୫୦୫ ପଏଣ୍ଟ ଖସାଇଛନ୍ତି । ସେହିଭଳି ଟିସିଏସ୍‌, ଏନ୍‌ଟିପିସି, ଟାଟା ମୋଟର୍ସ, ଏକ୍ସିସ୍‌ ବ୍ୟାଙ୍କ ଏବଂ ପାୱାର୍‌ଗ୍ରୀଡ୍‌ର ସେୟାର ମୂଲ୍ୟରେ ବି ହ୍ରାସ ଦେଖିବାକୁ ମିଳିଛି । ନିଫ୍‌ଟି ସ୍ମଲ୍‌କ୍ୟାପ୍‌ ୧୦୦ ସୂଚକାଙ୍କ ୩.୭% ଖସିଥିବାବେଳେ ନିଫ୍‌ଟି ମିଡ୍‌କ୍ୟାପ୍‌ ୧୦୦ ୨.୩% ହ୍ରାସ ପାଇଥିବା ଜଣାପଡ଼ିଛି । ନିଫ୍‌ଟି ପିଏସ୍‌ୟୁ ବ୍ୟାଙ୍କ ଏବଂ ରିୟଲିଟି ଯଥାକ୍ରମେ ୪.୨% ଏବଂ ୩.୩% ହ୍ରାସ ପାଇଥିବାବେଳେ ନିଫ୍‌ଟି ଅଟୋ, ମିଡିଆ, କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ ତୈଳ ଓ ଗ୍ୟାସ ଷ୍ଟକ୍‌ ୨%ରୁ ଅଧିକ ହ୍ରାସ ଘଟିଛି । 

ବଜାର ଖସିବାର ଅନେକ କାରଣ ରହିଛି । ଲଗାତର ୪ ବର୍ଷ ଧରି ମଜଭୁତ ଦୁଇ ଅଙ୍କ ଅଭିବୃଦ୍ଧି ପରେ କମ୍ପାନିଗୁଡ଼ିକର ଦୁର୍ବଳ ପ୍ରଦର୍ଶନ ନିବେଶକଙ୍କୁ ନିରାଶ କରିଛି । ଅନେକ ବ୍ଲୁ-ଚିପ୍‌ ଏବଂ ଅନ୍ୟାନ୍ୟ କମ୍ପାନିଗୁଡ଼ିକର ନିରାଶଜନକ ଦ୍ୱିତୀୟ ତ୍ରୟମାସିକ ଫଳାଫଳ ପୁଞ୍ଜି ବଜାର ସୂଚକାଙ୍କଗୁଡ଼ିକୁ ଚାପଗ୍ରସ୍ତ କରିଥିଲା । ଫଳରେ ନିବେଶକ ହତୋତ୍ସାହିତ ହେବାରୁ ବଜାରରେ ହ୍ରାସ ଘଟିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବିଶ୍ୱର ବିଭିନ୍ନ ସେୟାର ବଜାରରେ ମଧ୍ୟ ପତନ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଘରୋଇ ବଜାରରେ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଆମେରିକା ନିର୍ବାଚନ ଯୋଗୁ ମଧ୍ୟ ଅନିଶ୍ଚିତତାର ମାହୋଲ ବଜାରରେ ରହିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଭାରତ ବଜାରରୁ ପୁଞ୍ଜି କାଢ଼ିନେବା ମଧ୍ୟ ଇକ୍ୱିଟି ବଜାରକୁ ପ୍ରଭାବିତ କରିଛି । ଏନ୍‌ଏସ୍‌ଡିଏଲ୍‌ ଅନୁସାରେ ଅକ୍ଟୋବର ୨୧ ସୁଦ୍ଧା ଏଫ୍‌ଆଇଆଇମାନେ ୮୮,୨୪୪ କୋଟି ଟଙ୍କାର ପୁଞ୍ଜି ଭାରତ ବଜାରରୁ କାଢ଼ି ନେଇଛନ୍ତି ।