ଭୁବନେଶ୍ଵର : ଶରୀର ପାଇଁ ପ୍ରୋଟିନ୍ ଖୁବ୍ ଦରକାରୀ। ଏହା ଓଜନ କଣ୍ଟ୍ରୋଲ୍ କରେ, ରକ୍ତଚାପ ନିୟନ୍ତ୍ରଣ ରଖେ, ଇମ୍ୟୁନିଟି ବଢାଏ। ଭାରତୀୟ ଖାଦ୍ୟରେ ଡାଲି ଏବଂ ଚଣା ଭେଜିଟରିଆନ୍ ପାଇଁ ଦୁଇଟି ପ୍ରୋଟିନ୍ ଯୁକ୍ତ ଖାଦ୍ୟ। ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟ, ଡାଲି ନା ଚଣା କେଉଁଥିରେ ଅଧିକ ପ୍ରୋଟିନ୍ ? ପ୍ରୋଟିନ୍‌ ର ସର୍ବଶ୍ରେଷ୍ଠ ସୋର୍ସ ଜାଣିବାପାଇଁ ପଢନ୍ତୁ ଏହି ଖବର... 

କେତେ ପ୍ରୋଟିନ୍ ମିଳେ ?
୧୦୦ ଗ୍ରାମ୍ କଞ୍ଚା ଡାଲିରେ ପ୍ରାୟ ୨୨ ରୁ ୨୫ ଗ୍ରାମ୍ ପ୍ରୋଟିନ୍ ଥାଏ। ସେହିପରି ୧୦୦ ଗ୍ରାମ୍ କଞ୍ଚା ଚଣାରେ ପ୍ରାୟ ୧୯-୨୧ ଗ୍ରାମ ପ୍ରୋଟିନ୍ ଥାଏ। ହେଲେ ଡାଲି ଓ ଚଣାକୁ ରାନ୍ଧିବା ପରେ ଏଥିରେ ୮ ରୁ ୯ ଗ୍ରାମ୍ ପ୍ରୋଟିନ୍ ହୋଇଯାଏ। ଅର୍ଥାତ୍ ଡାଲି ଓ ଚଣା ତରକାରିରେ ବରାବର ପ୍ରୋଟିନ୍ ଥାଏ। 

କେଉଁଟା ଖାଇବା ଉଚିତ୍ ?
ସାଧାରଣତଃ ଡାଲି ଶୀଘ୍ର ହଜମ ହୋଇଯାଏ। ଏଥିପାଇଁ ଛୋଟ ପିଲା, ବୃଦ୍ଧ ଏବଂ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଉପଯୁକ୍ତ। ସେହିପରି ଚଣାରେ ଫାଇବର ଏବଂ ରେସିଷ୍ଟାଣ୍ଟ ଷ୍ଟାର୍ଚ ଅଧିକ ଥାଏ। ତେଣୁ ଅଧିକ ସମୟ ଯାଏ ଭୋକ ଲାଗେ ନାହିଁ। ତେବେ ଅଧିକ ମାତ୍ରାରେ ଚଣା ଖାଇବା ଦ୍ଵାରା ଗ୍ୟାସ୍ ହୁଏ, ପେଟ ଫୁଲିଯାଏ। ତେଣୁ ହଜମ କରିପାରୁନଥିବା ବ୍ୟକ୍ତି ଚଣା ଅପେକ୍ଷା ଡାଲି ଖାଇବା ଉଚିତ୍। ଡାଲି କମ୍ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ଏହା ଡାଇଟ୍ ରେ ଫିଟ୍ ହୋଇଯାଏ। ତେବେ ଭୋକ ନିୟନ୍ତ୍ରଣ କରିବାକୁ ଚଣା ଓ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଡାଲି ସବୁଠୁ ଉପଯୁକ୍ତ।