ହରଭଙ୍ଗା, ୪।୧୨ : ମାର୍ଗଶିର ମାସର ପଞ୍ଚମ ଗୁରୁବାର ହରଭଙ୍ଗା ବ୍ଲକରେ ଡାଲଖାଇ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହା ଏକ କୃଷି ଭିତ୍ତିକ ପର୍ବ। ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା । ଯାହାକି ଡାଲ୍ ଖାଇ ପର୍ବ ଭାବେ ପରିଚିତ। ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ହରଭଙ୍ଗା ବ୍ଲକରେ ଏହି ଡ଼ାଲଖାଇ ଯାତ୍ରା ।

ବୁଧବାର ମହିଳା ପୁରୁଷ ମିଶି ଯେଉଁ ଠାରେ ଡ଼ାଲ୍ ଖାଇ ପୂଜା ଅନୁଷ୍ଠିତ ହୁଏ ସେହି ସ୍ଥାନକୁ ଯାଇ ପୀଠକୁ ଲିପା ପୋଛା କରିଥାନ୍ତି। ବିଭିନ୍ନ ରଙ୍ଗୀନ କାଗଜ ଫୁଲରେ ଉକ୍ତ ସ୍ଥାନକୁ ସଜାଇଥାନ୍ତି। ଗୁରୁବାର ଦିନ ଗ୍ରାମରୁ ଏକ ବିରାଟ ପଟୁଆରରେ ଢୋଲ ମହୁରୀ, ନିଶାନ, ତରାସ , ଧରି ପହଁଞ୍ଚିଥାନ୍ତି ପୀଠରେ। ସେଠାରୁ ପୂଜାର୍ଚ୍ଚନା ସାରି ନାଚ ଗୀତ କରି ଗ୍ରାମ ଭିତରକୁ ପ୍ରବେଶ କରିଥାନ୍ତି। ଗ୍ରାମରେ ପ୍ରତି ଘରେ ପୂର୍ଣ୍ଣ କଳସ, ଦୀପ, ଲଗାଇ ବନ୍ଦାଣ କରିଥାନ୍ତି ଏବଂ ଗ୍ରାମର ଦେହୁରୀ ବାହାକଙ୍କ ଦ୍ବାରା ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ହରଭଙ୍ଗା ବ୍ଲକର ବୁକେଶୀଙ୍ଗା, ଖରଭୁଇ, ଠୀଡିକା ଜୋର୍ , ସାତ ଖଣ୍ଡ, ଗଣ୍ଡିଶ୍ୱର୍, କଣ୍ଟିସର୍, କଣ୍ଟିଆପଦର, ଡାକପଦର, ଖାଲଗାଡୁ, ସୁରୁନ୍ଦୀ ଆଦି ସ୍ଥାନ ମାନଙ୍କରେ ଏହି ଡାଲଖାଇ ଯାତ୍ରା ମହା ଧୁମଧାମରେ ପାଳିତ ହୋଇଥାଏ। ପୁଣି ଏହି ଦିନରେ ବିଭିନ୍ନ ଅପେରା ପୌରାଣିକ ନାଟକ ଆଦି ମଞ୍ଚସ୍ଥ ହୋଇ ଥାଏ।