ନୂଆଦିଲ୍ଲୀ,୨୨/୧୦: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ମୁକାବିଲା କରିବା ପାଇଁ ରାଜ୍ୟରେ ସମସ୍ତ ପ୍ରକାର ବ୍ୟବସ୍ଥା ତଥା ପ୍ରସ୍ତୁତି ସରିଛି। ବାତ୍ୟା ପରର ପରିସ୍ଥିିତିକୁ ମୁକାବିଲା କରିବାକୁ ଅର୍ଥାତ୍ ରାସ୍ତାରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକୁ କାଟିବା ପାଇଁ ଏବଂ ରିଲିଫ୍ ପ୍ରଦାନ କରିବା ତଥା ଲୋକଙ୍କୁ ତଇଥାନ ଆଦି କରିବା ପାଇଁ ଅଗ୍ନୀଶମବାହିନୀ, ଏନ୍ଡିଆର୍ଏଫ୍ ଦଳ ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ଗତକାଲି ରାଜ୍ୟ ସରକାର ପରାମର୍ଶ ଦେଇଥିଲେ।
ଏଥିସହିତ ସହିତ ବାତ୍ୟା ଆଶଙ୍କା ଦୂର ନ ହେବା ପର୍ଯ୍ୟନ୍ତ ପୁରୀକୁ କୌଣସି ପର୍ଯ୍ୟଟକ ଯେପରି ନ ଆସିବେ ଜିଲ୍ଲାପାଳ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଥିଲା। ଯେଉଁମାନେ ବାହାରୁ ଆସିଛନ୍ତି ସେମାନେ ତୁରନ୍ତ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ତମାମ ନିର୍ଦ୍ଦେଶକୁ ନଜରରେ ରଖି, ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ପୁରୀରୁ ପଳାଇଯାଇଛନ୍ତି। ସେପଟେ ପୂରୀରେ କାର୍ତ୍ତିକ ବ୍ରତ କରୁଥିବା ହବିଷ୍ୟାଳି ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।
ସୂଚନାଥାଉକି, ସମ୍ଭାବ୍ୟ ବାତ୍ୟା ‘ଦାନା’ ଆଜି ସକାଳେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହା ବାତ୍ୟାର ରୂପ ଏବଂ ପରେ ଏହା ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।
ଅକ୍ଟୋବର ୨୪ ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରି ଆଇଏମଡି ଏକ ରେଡ ଆଲର୍ଟ ଜାରି କରିଛି। ସେହିଭଳି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କେଉଁଝର, ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।