ଭୁବନେଶ୍ୱର, ୨୪/୦୫: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ସୁନୟନା ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଚତୁର୍ଥ ପଦ୍ମାବତୀ ଉତ୍ସବ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟାଙ୍ଗନା ଲୀନା ନନ୍ଦଙ୍କୁ ଚତୁର୍ଥ ପଦ୍ମାବତୀ ସମ୍ମାନରେ ମାନପତ୍ର, ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ଟ୍ରଷ୍ଟର ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ବୃନ୍ଦ ଓଡ଼ିଶୀ ନୃତ୍ୟ ମଙ୍ଗଳାଚରଣ ପରିବେଷଣରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାପରେ ଓଡ଼ିଶୀ ନୃତ୍ୟାଙ୍ଗନା ଲୀନା ନନ୍ଦ ଏକକ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ କଳାବିକାଶ କେନ୍ଦ୍ର ଦ୍ୱାରା ବୃନ୍ଦ ନୃତ୍ୟ ପରିବେଷଣ ହୋଇଥିଲା । ଅରୁଣଜ୍ୟୋତି ଏକକ ନୃତ୍ୟାଭିନୟ କରିଥିଲେ । ନୃତ୍ୟାଙ୍ଗନା ଭୁବନେଶ୍ୱରର କଳାକାରମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ।
ଅନୁଷ୍ଠାନର ନିର୍ଦ୍ଦେଶିକା ଗୁରୁ ସାଗରିକା ପରିଡ଼ାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଶ୍ୱଜିତ୍ ବଳିଆରସିଂହ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂହ, ଏମ୍ଜିଏମ୍ ମିନେରାଲ୍ସ ଲିଃ.ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ବିଶିଷ୍ଟ ନୃତ୍ୟାଙ୍ଗନା ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି ଓ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସ ଯୋଗଦେଇ ଟ୍ରଷ୍ଟର ଉଦ୍ୟମକୁ ପ୍ରଶଂସା କରିଥିଲେ ।