ବ୍ୟୁରୋ ୨୫/୦୭ : ମୃତ୍ୟୁର ନାଚ ! ଯେବେ ଭୂତାଣୁ ନୁହେଁ, ‘ନୃତ୍ୟ’ ସାଜିଥିଲା ମହାମାରୀ ... ଇତିହାସର ସବୁଠାରୁ ବଡ଼ ରହସ୍ୟ । କଳ୍ପନା କରନ୍ତୁ ଏମିତି ଏକ ସହର ଯେଉଁଠି ଲୋକେ ହଠାତ୍ ନାଚିବାକୁ ଲାଗିଲେ। ସଙ୍ଗୀତ ନାହିଁ ଖୁସିର କାରଣ ନାହିଁ ତଥାପି ପାଦ ଅଟକୁ ନାହିଁ । ନାଚୁ ନାଚୁ ଦେହ କ୍ଳାନ୍ତ ହେଉଛି, ଗୋଡ଼ରୁ ରକ୍ତ ବାହାରୁଛି, ଆଖିରେ ମୃତ୍ୟୁର ଭୟ, ତଥାପି ନୃତ୍ୟ ଅବିରତ... ଏହା କୌଣସି ହରର୍ ଫିଲ୍ମର କାହାଣୀ ନୁହେଁ, ବରଂ ମାନବ ଇତିହାସର ସବୁଠାରୁ ଅଦ୍ଭୁତ ଏବଂ ଭୟଙ୍କର ସତ୍ୟ। ଆମେ ଅନେକ ମହାମାରୀ ବିଷୟରେ ଶୁଣିଛେ ଯାହା ଭୂତାଣୁ କିମ୍ବା ଜୀବାଣୁ ଯୋଗୁଁ ବ୍ୟାପିଥାଏ। କିନ୍ତୁ ୧୫୧୮ ମସିହାରେ ଘଟିଥିବା"ନୃତ୍ୟ ପ୍ଲେଗ" (Dancing Plague)ଥିଲା ସମ୍ପୂର୍ଣ୍ଣ ଅଲଗା। ଏଠାରେ ମୃତ୍ୟୁର କାରଣ କୌଣସି ଜ୍ୱର ନଥିଲା, ଥିଲା ଅନିୟନ୍ତ୍ରିତ ନୃତ୍ୟ।

ଏକ ରହସ୍ୟମୟ ସାଇକୋସିସ୍ ଯୋଗୁଁ ଶହ ଶହ ଲୋକ ରାସ୍ତାରେ ନାଚି ନାଚି ନିଜ ଜୀବନ ହାରିଥିଲେ । କାହିଁକି ଏମିତି ହେଲା ? ଏହା କୌଣସି ଅଭିଶାପ ଥିଲା ନା ଏକ ଅଜଣା ମାନସିକ ରୋଗ ? ୫୦୦ ବର୍ଷ ପରେ ବି ବିଜ୍ଞାନ ପାଖରେ ଏହାର ସଠିକ୍ ଉତ୍ତର ନାହିଁ । ଆଜି ବି ସୋସିଆଲ ମିଡିଆରେ ଏହି ଅମୀମାଂସିତ ରହସ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ଯାହା ଶିହରଣ ସୃଷ୍ଟି କରୁଛି।

ଆହୁରି ପଢନ୍ତୁ ;- ଆଫ୍ରିକା ଦୁଇ ଭାଗରେ ବିଭକ୍ତ ! ଜନ୍ମ ନେବ ନୂଆ ମହାସାଗର, ବଦଳିଯିବ ବିଶ୍ୱ ମାନଚିତ୍ର

ଜୁଲାଇ ୧୫୧୮ରେ ସେତେବେଳର ପବିତ୍ର ରୋମାନ୍ ସାମ୍ରାଜ୍ୟର ଅଂଶ ଥିବା ଫରାସୀ ସହର ଷ୍ଟ୍ରାସବର୍ଗରେ ଏହି ବିଚିତ୍ର ଘଟଣା ଦେଖିବାକୁ ମିଳିଥିଲା। ଏହି ମହାମାରୀରେ ପ୍ରଥମ ଆକ୍ରାନ୍ତ ହେଇଥିବା ଫ୍ରାଉ ଟ୍ରୋଫିଆ ନାମକ ଜଣେ ମହିଳା ହଠାତ୍ ରାସ୍ତା ମଝିରେ ବିନା କୌଣସି ସଙ୍ଗୀତରେ ନାଚିବା ଆରମ୍ଭ କରିଥିଲେ। ସେ ସ୍ରୋତହୀନ ଭାବେ ଗୋଟିଏ ସପ୍ତାହ ଧରି ନିରନ୍ତର ନାଚି ଚାଲିଲେ। କିଛି ଦିନ ମଧ୍ୟରେ ଅନ୍ୟ ସାଧାରଣ ଲୋକମାନେ ମଧ୍ୟ ତାଙ୍କ ସହ ଯୋଗ ଦେବାକୁ ଲାଗିଲେ। ଗୋଟିଏ ମାସ ମଧ୍ୟରେ ଏହି ସଂଖ୍ୟା ୪୦୦ରୁ ଅଧିକ ହୋଇଯାଇଥିଲା। ଏହାର ପରିଣାମଲୋକମାନେ କ୍ଳାନ୍ତ ହୋଇ ପଡ଼ୁଥିଲେ ମଧ୍ୟ ନାଚ ବନ୍ଦ କରିପାରୁ ନଥିଲେ। ନାଚି ନାଚି ଗୋଡ଼ରୁ ରକ୍ତସ୍ରାବ ହେବା ସହ ଅନେକ ଲୋକ ଏବଂ ଅତ୍ୟାଧିକ କ୍ଲାନ୍ତି ଯୋଗୁଁ ପ୍ରାଣ ହରାଇଥିଲେ।

ଏହି ବିଚିତ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେତେବେଳର ପ୍ରଶାସନ ଓ ଚିକିତ୍ସକମାନେ ଯେଉଁ ପଦକ୍ଷେପ ନେଇଥିଲେ, ତାହା ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା । ସେତେବେଳର ଡାକ୍ତରମାନେ ଏହାକୁ"ହଟ ବ୍ଲଡ଼୍ ରୋଗ"ବୋଲି ଆଖ୍ୟା ଦେଇଥିଲେ। ଏବଂ ଧାର୍ମିକ ନେତାମାନେ ଏହା ପଛରେ ସଇତାନର ପ୍ରଭାବ କିମ୍ବା କୌଣସି ଅଭିଶାପ ଥିବା ବୋଲି ଦାବି କରିଥିଲେ।

ସହର ଅଧିକାରୀମାନେ ଭାବିଥିଲେ ଯେ ଲୋକମାନେ ନାଚି ନାଚି କ୍ଳାନ୍ତ ହୋଇଗଲେ ଆପେ ଆପେ ବନ୍ଦ ହୋଇଯିବେ। ଏଥିପାଇଁ ସେମାନେ ନାଚିବାକୁ ଉତ୍ସାହିତ କରିବା ପାଇଁ ସଂଗୀତଜ୍ଞମାନଙ୍କୁ ଡାକି ବାଜା ବଜାଇଥିଲେ। କିନ୍ତୁ ଏହି ପ୍ରୟାସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇଥିଲା।

ଆଜିର ବୈଜ୍ଞାନିକ ଏବଂ ଇତିହାସକାରମାନେ ଏହାକୁ ଏକ ସାମୂହିକ ମାନସିକ ରୋଗ ବୋଲି ବିବେଚନା କରନ୍ତି। ସେହି ସମୟରେ ଅଞ୍ଚଳରେ ଅନାହାର, ଦାରିଦ୍ର୍ୟ, ଚାପ ଏବଂ ସିଫିଲିସ୍ ପରି ଭୟାନକ ରୋଗ ବ୍ୟାପିଥିଲା। ରାଇ ଶସ୍ୟରେ ମିଳୁଥିବା ଏହି ଫଙ୍ଗସ୍ ଖାଇବା ଦ୍ୱାରା LSD ନିଶା ଦ୍ରବ୍ୟ ଭଳି ମାନସିକ ଭ୍ରମ ସୃଷ୍ଟି ହୋଇଥାଏ, ଯାହା ଏହି ଅସାମାନ୍ୟ ବ୍ୟବହାରର କାରଣ ହୋଇଥାଇପାରେ।

କିଛି ମାସର ତାଣ୍ଡବ ପରେ, ଲୋକମାନେ ଧୀରେ ଧୀରେ ନାଚିବା ବନ୍ଦ କଲେ ଏବଂ ଅବସ୍ଥା ସ୍ୱାଭାବିକ ହୋଇଥିଲା। ଏହି ଐତିହାସିକ ଘଟଣା ଆମକୁ ଚେତାବନୀ ଦିଏ ଯେ ବିଜ୍ଞାନ ଏବଂ ସଠିକ୍ ବୁଝାମଣା ବିନା ଅନ୍ଧବିଶ୍ୱାସ, ଅତ୍ୟାଧିକ ମାନସିକ ଚାପ ସମାଜ ପାଇଁ କେତେ ଭୟାବହ ହୋଇପାରେ।