କେନ୍ଦୁଝର,୧୯/୦୩: ପ୍ରକୃତିର ବରଦାନ କେନ୍ଦୁଝର । ସବୁଜ ବନାନୀ ଜଙ୍ଗଲ, ଝରଣା, ଡ୍ୟାମ୍ ତା’ ସାଙ୍ଗକୁ ଉଚ୍ଚ ଉଚ୍ଚ ପାହାଡ଼ । ବନ୍ୟଜନ୍ତୁଙ୍କୁ ନିକଟରୁ ଦେଖିବା ପାଇଁ ସଫାରୀର ବ୍ୟବସ୍ଥା । ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ବିଶେଷ କରି ଅଟେଇ ଜଙ୍ଗଲ ପ୍ରକୃତିପ୍ରେମୀଙ୍କ ପାଇଁ ବରଦାନ । ସବୁଜିମା ଜଙ୍ଗଲ ଓ ବିଭିନ୍ନ ବିରଳ ବୃକ୍ଷ ପର୍ଯ୍ୟଟକଙ୍କୁ ଏଠାକୁ ଟାଣୁଛି । ବର୍ଷସାରା ସେଥିପାଇଁ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସୁଛନ୍ତି । ଘଟଗାଁ ନିକଟରେ ସଂରକ୍ଷିତ ଜଙ୍ଗଲ ଅଟେଇ ହେଉଛି ମହାବଳ ବାଘଙ୍କ ଘର । ଏହାକୁ ଦୃଷ୍ଟିରେ ରଖି ଅଟେଇ ଜଙ୍ଗଲରେ ସଫାରୀ ବ୍ୟବସ୍ଥା ଗତବର୍ଷ ଠାରୁ ଆରମ୍ଭ କରାଯାଇଛି । ପର୍ଯ୍ୟଟକଙ୍କୁ ବୁଲାଇବା ପାଇଁ ବନବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ହୋଇଛି । ମୁର୍ଗାପାହାଡ଼ି ଠାରୁ କଦାବାହାଳି ପର୍ଯ୍ୟନ୍ତ ୪୦ କିମି ଦୂରତ୍ୱ ଜଙ୍ଗଲରେ ସ୍ୱତନ୍ତ୍ର ଗାଡିରେ ବୁଲିବାର ବ୍ୟବସ୍ଥା ହୋଇଛି । ଏହାସହ ଦରଗଡ଼ିଶିଳାରେ ରାତ୍ରିଯାପନ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାୟୀ ଶିବିର ନିର୍ମାଣ କରାଯାଉଛି । ୧ କୋଟି ଟଙ୍କା ବିନିଯୋଗରେ ଏହାର ଭିତ୍ତିଭୂମି କରାଯାଉଛି ।

ନିକଟରେ ଗ୍ଲୋବାଲ ଟେଣ୍ଡର ହେବା ପରେ ରାଜସ୍ଥାନର ଏକ ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଇଲେକ୍ଟ୍ରି ସଂଯୋଗ ବ୍ୟବସ୍ଥା ସହିତ ରାସ୍ତା କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଏବଂ ଆଦିବାସୀ ସଭ୍ୟତାରେ ପରିପୂର୍ଣ୍ଣ ଇକୋ ରିଟ୍ରିଟ୍‌ ଗୁଡିକ ବେଶ୍‌ ଆକର୍ଷଣୀୟ କରାଯାଉଛି । ମେ’ ମାସ ଠାରୁ ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ ବୁକିଂ କରି ରାତ୍ରିଯାପନ କରିବେ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ଡିଏଫ୍‌ଓ ଧନରାଜ ଏଚ୍‌ଡି କହିଛନ୍ତି । ଦରଗଡ଼ିଶିଳାରେ ଏହି ଇକୋ ରିଟ୍ରିଟ୍‌ ପରିଚାଳନା ଦାୟିତ୍ୱ ସ୍ଥାନୀୟ ବନସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବ । ରାତିରେ ରହଣୀ ସମୟରେ ସଂପୂର୍ଣ୍ଣ କେନ୍ଦୁଝର ଖାଦ୍ୟ ପରିବେଷଣ କରାଯିବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କ ମନମୋହିବା ଭଳି ପଦକ୍ଷେପ ନିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଆମୋଦପ୍ରମୋଦ ପାଇଁ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।

ସେହିପରି କାଞ୍ଜିପାଣି ସହିତ ସାନଘାଗରାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଆହୁରି କରାଯାଉଛି । କେନ୍ଦୁଝର ବନଖଣ୍ଡରେ ୩ଟି ସ୍ଥାନରେ ନେଚର କ୍ୟାମ୍ପ୍‌ ପର୍ଯ୍ୟଟକଙ୍କ ପାଇଁ ନୂଆ ସମ୍ଭାବନା ସହିତ ଭରପୂର ମଜା ଉଠାଇବା ପାଇଁ ସଜେଇ ହେଉଛି । ଏହାସହିତ ପର୍ଯ୍ୟଟକମାନେ ଆଗ୍ରହୀ ହେଲେ ଆଦିବାସୀ ନୃତ୍ୟ ଉପଭୋଗ କରିବା ସହିତ ୱାଇଲ୍ଡ ଲାଇଫ୍‌ ମୁଭି(ଦେୟ ଯୁକ୍ତ)ର ବ୍ୟବସ୍ଥା କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଡିଏଫ୍‌ଓ ଧନରାଜ ଏଚଡି କୁହନ୍ତି, ସାନଘାଗରା ପ୍ରକୃତି ନିବାସରେ ବର୍ଷସାରା ପର୍ଯ୍ୟଟକମାନେ ବୁକିଂ କରି ରାତ୍ରୀଯାପନ କରୁଛନ୍ତି । କାଞ୍ଜିପାଣି ଏବଂ ଦରଗଡିଶିଳାରେ ମଧ୍ୟ ରାତ୍ରୀଯାପନର ନିଆରା ଅନୂଭୁତି ପର୍ଯ୍ୟଟକ ନେବା ଭଳି ବ୍ୟବସ୍ଥା କରାଯାଉଛି । ଏପ୍ରିଲ ମାସ ସୁଦ୍ଧା ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଯିବ ବୋଲି ଡିଏଫ୍‌ଓ କହିଛନ୍ତି ।

ଅଧିକ ପଢ଼ନ୍ତୁ-ବେପାରୀଙ୍କ ଜୁଲମ୍, ଅଭାବୀ ବିକ୍ରିର ଚାଷୀ ଶିକାର: ଶୀତଳଭଣ୍ଡାର ନାହିଁ, ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ​​​​​​​