ଭୁବନେଶ୍ୱର,୦୧/୦୩: ଦିନଜନ ତାରିବାରୁ ନାମ ଦିନ ବନ୍ଧୁ, କୃପାର ସାଗର ହରି ନାମ କୃପା ସିନ୍ଧୁ.....ଜୟ ଜୟ ହେ ଶଙ୍କର.... । ଏହିଭଳି ଗୀତ ଗାଇ ଦାସକାଠିଆ ବଜାଉଛନ୍ତି ଆଉ ଦହିବରା ବିକୁଛନ୍ତି । ଯାହାକୁ ଶୁଣିବାକୁ ତାଙ୍କ ପାଖରେ ଭିଡ଼ ଜମୁଛି । ସେ ହେଉଛନ୍ତି ଅଭୟ ମାଣ୍ଡୋଇ ।

ଜଗସିଂହପୁରର ଅଭୟ ଗତ ୧୬ ବର୍ଷ ହେବ ସେ ଦହିବରା ବେପାର କରୁଛନ୍ତି । ପୁରୁଣା ଭୁବନେଶ୍ୱର ବାବା ଲିଙ୍ଗରାଜ ମାର୍କେଟ୍ କମ୍ପେ୍ଲକ୍ସ ନିକଟରେ ତାଙ୍କ ଠେଲା ଦେଖିବାକୁ ମିଳେ । ଅଞ୍ଚଳବାସୀରେ ତାଙ୍କୁ ସମସ୍ତେ ଦାସକାଠିଆ ଦହିବରାବାଲା ବୋଲି ଅଧିକ ଜାଣନ୍ତି । ଦହିବରା ସହିତ ଦିଲଖୁସ୍ ଉପମା, ରିମ୍ଝିମ୍ ଚଟଣି, ମୁଣ୍ଡଫଟା ବରା, ବାଡ଼ିଆ ଇଟିଲି ନାମ ଥିବା ଜଳଖିଆ ମଧ୍ୟ ସେ ଲୋକମାନଙ୍କୁ ବାଢ଼ିଦିଅନ୍ତି । ତାଙ୍କୁ ଯଦି କେଉଁ ଗ୍ରାହକ ପଚାଦିଅନ୍ତି ଭାଇ ଜଳଖିଆ ଦାମ କେତେ, ସେତେବେଳେ ସେ ଢଗ ଗାଇ କୁହନ୍ତି, ୩୦ ଟଙ୍କାରେ ପେଟେ, ଭୋକ ନ ହବ ମୋଟେ, ଯଦି ହବ ଭୋକ, ପିନିଆ ଭାଇ ବୁଝିବ ଦୁଃଖ । ଉପମା ଖାଅ, ଇଟିଲି ଖାଅ, ଦହିପାଣି ଟିକେ ପିଇକି ଯାଅ.... ।

ମଧୁର ଢଗ ଶୁଣାଇବା ସହିତ ହସ ହସ ମୁହଁରେ ଲୋକଙ୍କୁ ଖାଇବାକୁ ଦିଅନ୍ତି । ଦହିବରା ଆଳୁଦମ୍ ବେପାରୀ ଅଭୟ କୁହନ୍ତି, ମୋ ଜେଜେବାପା ଦାସକାଠିଆ ବଜାଉଥିଲେ । ତଙ୍କପାଖରୁ ମୁଁ ଏହି କଳା ଶିଖିଛି । ଏବେ ମୋତେ ଦାସକାଠିଆରେ ସହଯୋଗ କରୁଛନ୍ତି ମନୋଜ କୁମାର ପ୍ରହରାଜ ।

ଅଧିକ ପଢ଼ନ୍ତୁ :- ଆନ୍ତର୍ଜାତିକ ହ୍ୱିଲ୍ଚେୟାର ଦିବସ; ଜୀବନ ଯୁଦ୍ଧରେ ଅପରାଜେୟ ପ୍ରଫୁଲ,ଅସମ୍ଭବକୁ ସମ୍ଭବ କରିଛନ୍ତି ପ୍ରମିଳା