ଭୁବନେଶ୍ବର, ୧୫।୩ : ବିଜେଡି ନିକଟରେ କଂଗ୍ରେସ ବନ୍ଧା ପଡିଛି। ପ୍ରାର୍ଥୀ ଚୟନ ପୂର୍ବରୁ ବିଧାୟକଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ। ରାଜ୍ୟସଭା ନିର୍ବାଚନରେ ମତଦାନ କରିବି କି ନାହିଁ କିମ୍ବା କାହା ସପକ୍ଷରେ ମତଦାନ କରିବି, ତାହା ମୋର ବିବେକ ଅନୁଯାୟୀ ନିଷ୍ପତ୍ତି ନେବି । କଂଗ୍ରେସର କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ଦାଶରଥୀ ଗାମାଙ୍ଗ। ଏଥିସହ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ତଥ୍ୟହୀନ, ଅବିଚାରମୂଳକ ଏବଂ ମୋର ରାଜନୈତିକ ଆଦର୍ଶର ସମ୍ପୂର୍ଣ୍ଣ ବିରୋଧୀ ବୋଲି ବିବେଚନା କରୁଛି ବୋଲି ଦାଶରଥୀ କହିଛନ୍ତି।

ଦାଶରଥୀ ଉତ୍ତରରେ ଦର୍ଶାଇଛନ୍ତି ଯେ, ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ମୁଁ ନିଃସ୍ୱାର୍ଥପର ଭାବେ ମୋର ନିର୍ବାଚନ ମଣ୍ଡଳୀ ମୋହନାର ବିକାଶ ପାଇଁ କାର୍ଯ୍ୟ କରି ଆସିଛି । ମୋର ନିର୍ବାଚନ ମଣ୍ଡଳୀର ଭୋଟରମାନେ ମୋ ଉପରେ ଅଖଣ୍ଡ ବିଶ୍ବାସ ଓ ଆସ୍ଥା ସ୍ଥାପନ କରିଛନ୍ତି । ବିଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ମୋହନା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଅବିରତ ଉଦ୍ୟମ ଜାରି ରଖୁଛି । କଂଗ୍ରେସର ରାଜ୍ୟ ନେତୃତ୍ବ ମୋର ସୁଖ-ଦୁଃଖରେ କେବେ ସାଥ୍ ଦେଇନାହାନ୍ତି ଏବଂ ମୋର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେମାନଙ୍କର କୌଣସି ଉଲ୍ଲେଖନୀୟ ଅବଦାନ ନାହିଁ।

୨୦୧୯ରୁ ୨୦୨୪ ମଧ୍ୟରେ ବିଜେଡି ଦଳର ନିଷଠୁର ଦୃଷ୍ଟି ଯୋଗୁଁ ମୋର ନିର୍ବାଚନ ମଣ୍ଡଳୀର ସାମୂହିକ ବିକାଶ ବାଧାପ୍ରାପ୍ତ ହୋଇଛି I ମୋର ବାରମ୍ବାର ଅନୁରୋଧ ସତ୍ତ୍ବେ ରାଜ୍ୟ କିମ୍ବା କେନ୍ଦ୍ର ନେତୃତ୍ବ ମୋ ଅଞ୍ଚଳର ବିକାଶ ପାଇଁ କୌଣସି ପ୍ରୟାସ କରିନଥିଲେ ; ସହଯୋଗ ତ ଦୂରର କଥା ବୋଲି ସେ କହିଛନ୍ତି। ୨୦୧୪ ନିର୍ବାଚନରେ ମୁଁ ବିଜୟ ଲାଭକରିଥିବା ସତ୍ତ୍ବେ  ବିଜେଡି ଚକ୍ରାନ୍ତ କରି ମୋର ପ୍ରତିଦ୍ବନ୍ଦୀ ବାସନ୍ତୀ ମଲ୍ଲିକଙ୍କୁ ମାତ୍ର ୧୧୪ ଭୋଟରେ ବିଜୟୀ ଘୋଷଣା କରାଇଥିଲା। ଏହା ବିରୁଦ୍ଧରେ ମୁଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି। କିନ୍ତୁ ଦଳ ସେଥିରେ କୌଣସି ସହାୟତା କରିନଥିଲା । ତଥାପି ବିଜେଡି ସହ ସଂଘର୍ଷ କରି ୨୦୧୯ ନିର୍ବାଚନରେ ମୁଁ ପୁଣି ବିଜୟ ହାସଲ କରିଥିଲି I ମୋ ଅଞ୍ଚଳବାସୀଙ୍କର ମହତ୍ତ୍ବପୂର୍ଣ୍ଣ ଆକାଂକ୍ଷା ପୂରଣ ପାଇଁ ମୋର କ୍ଷୁଦ୍ର ପ୍ରୟାସ ଜାରି ରହିଛି I

ବିଜେଡି ଓଡ଼ିଶା ରାଜନୀତିରେ କଂଗ୍ରେସର ଚିରଶତ୍ରୁ ଭାବେ ପରିଚିତ। ମୋର ବ୍ୟକ୍ତିଗତ ରାଜନୈତିକ ଜୀବନ ଏକ ସଂଘର୍ଷପୂର୍ଣ୍ଣ କାହାଣୀ। ବିଜେଡିର କ୍ରମାଗତ ନିର୍ଯାତନା ମୋର ରାଜନୈତିକ ଜୀବନକୁ ଗଭୀର ଭାବେ ପ୍ରତିହତ କରିଛି I ଏବେ ବି ମୁଁ ମୋ ଅଞ୍ଚଳରେ ବିଜେଡି ବିରୁଦ୍ଧରେ ଲଢ଼େଇ ଜାରି ରଖୁଛି I ବିଜେଡି  ଦ୍ବାରା ପ୍ରକାଶିତ ତାଲିକାରୁ ଜଣାପଡ଼ିଛି ଯେ, ଦତ୍ତେଶ୍ବର ହୋତା ରାଜ୍ୟସଭା ନିର୍ବାଚନରେ ବିଜେଡିର ସମର୍ଥନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଏବଂ କଂଗ୍ରେସ ତାଙ୍କୁ ସମର୍ଥନ ଜଣାଉଛି। କଂଗ୍ରେସର ଏଭଳି ଏକପାଖଆ ନିଷ୍ପତ୍ତି ବିଧାୟକ ଦଳ ବୈଠକରେ ଆଲୋଚନା ହୋଇନାହିଁ କିମ୍ବା ନିର୍ବାଚିତ ବିଧାୟକମାନଙ୍କର ମତାମତ ନିଆଯାଇ ନାହିଁ।

ବିଜେଡି-କଂଗ୍ରେସର ଏହି ମଧୁ-ଚନ୍ଦ୍ରିକା ସମ୍ପର୍କ କେବଳ ମୋହନା ନୁହେଁ, ସମଗ୍ର ରାଜ୍ୟର କଂଗ୍ରେସ କର୍ମୀ, କଂଗ୍ରେସ ପ୍ରେମୀ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ନେତୃବୃନ୍ଦଙ୍କୁ ବ୍ୟଥୀତ କରିଛି। କଂଗ୍ରେସ ଏକ ଘରୋଇ ଅନୁଷ୍ଠାନ କିମ୍ବା କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କର ହସ୍ତମୁଦି ନୁହେଁ, ଏହା ଏକ ମହାନ୍ ଜାତୀୟ ଦଳ ଯାହା ଗଣତନ୍ତ୍ରକୁ ସର୍ବଦା ସମ୍ମାନ ଦେଇ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୯୬୯ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟପ୍ରାର୍ଥୀ ନିଲମ୍ ସଞ୍ଜୀବ ରେଡ୍ଡୀଙ୍କୁ ଭୋଟ୍ ଦେବା, ନ'ଦେବା, ବିଧାୟକ ଓ ସାଂସଦମାନଙ୍କର ବିବେକ ଉପରେ ନିର୍ଭର କରେ ବୋଲି ଆହ୍ୱାନ ଦେଇଥିଲେ I ଏହି ମହାନ୍ ଦଳର ଆଦର୍ଶ ଓ ପରମ୍ପରା ଆଜି ବି ଉଜ୍ଜଳ ରହିଛି ।

ମୁଁ କଂଗ୍ରେସର ଆଦର୍ଶ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ରାଜନୀତି ଆରମ୍ଭ କରିଥିଲି ଏବଂ ଏବେବି କଂଗ୍ରେସ ରକ୍ତ ମୋ ଧମନୀ ପ୍ରବାହିତ । କଂଗ୍ରେସର ଆଦର୍ଶ ସହିତ ଧାର ଧାରି ନ' ଥିବା କିଛି ବ୍ୟକ୍ତି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବିଜେଡି ସହ ହାତ ମିଶାଇ କଂଗ୍ରେସକୁ ଧ୍ବଂସ କରିବାର ବୃହତ୍ ଷଡ଼ଯନ୍ତ୍ର ରଚୁଛନ୍ତି। ଏହି ଷଡ଼ଯନ୍ତ୍ରରୁ ଦୂରେଇ ରହିବା ପାଇଁ ମୁଁ ମୋର ଭୂମିକା ସ୍ପଷ୍ଟ କରୁଛି ।

ରାଜ୍ୟସଭା ନିର୍ବାଚନରେ ମତଦାନ ଦଳୀୟ ଶୃଙ୍ଖଳା ସହିତ ସମ୍ପର୍କିତ ନୁହେଁ । ରାଜ୍ୟସଭା ନିର୍ବାଚନରେ ମତଦାନ କରିବି କି ନାହିଁ କିମ୍ବା କାହା ସପକ୍ଷରେ ମତଦାନ କରିବି, ତାହା ମୋର ବିବେକ ଅନୁଯାୟୀ ନିଷ୍ପତ୍ତି ନେବି । ଏଥିରେ ଦଳୀୟ ହୁଇପ କାର୍ଯ୍ୟକାରୀ ହୁଏ ନାହିଁ ଏବଂ ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଭଳି କାର୍ଯ୍ୟ ନୁହେଁ ।ମୁଁ ଆଶା ଓ ବିଶ୍ବାସ କରୁଛି ଯେ, ରାଜ୍ୟ ନେତୃତ୍ୱରେ ସଦବଦ୍ଧି ଉଦୟ ହେବ । ଏଭଳି ଏକପାଖିଆ ଓ ଚିନ୍ତାବିହୀନ କାରଣ ଦର୍ଶାଅ ନୋଟିସକୁ ପ୍ରତ୍ୟାହାର କରି ନେବାକୁ ଦାଶରଥୀ କହିଛନ୍ତି।