ଶଗଡ଼ଘାଟ,୧୫/୦୭: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ  ନିର୍ଯାତନା ଘଟଣା ସାରା ରାଜ୍ୟରେ ଚହଳ  ପକାଇଛି । ଏଭଳି ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡିଏଭି କଲେଜରେ ଜଣେ ବିଜ୍ଞାନ ଛାତ୍ରୀଙ୍କୁ ଅଧ୍ୟାପିକା ନିର୍ଯାତନା ଦେଇଥିବା  ଅଭିଯୋଗ ହୋଇଛି । ଅଧ୍ୟାପିକା ଜଣକ  ଛାତ୍ରୀଙ୍କୁ ବିଳମ୍ବରେ ଆସିଥିବା କହି ପ୍ରାକ୍ଟିକାଲ ପରୀକ୍ଷା ଦେବାରୁ ବାରଣ କରି ତଡ଼ିଦେବା ପରିବାର ସଦସ୍ୟ ଥାନାରେ ଅଭିଯୋଗ  କରିଛନ୍ତି । ହେଲେ କଲେଜ ଅଧ୍ୟକ୍ଷ ଆପୋସ ବୁଝାମଣା କରି ମାମଲାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।   

ସୂଚନାଯୋଗ୍ୟ, ଛାତ୍ରୀଙ୍କୁ ସମ୍ପୃକ୍ତ ଅଧ୍ୟାପିକା ବହୁଦିନରୁ ବିଭିନ୍ନ ଆଳରେ  ନିର୍ଯାତନା ଦେଇଆସୁଥିଲେ । ତିନିଦିନ  ତଳେ ଅଧ୍ୟାପିକା ଅଚାନକ ସକାଳ ୭ଟା  ୪୭ରେ ଛାତ୍ରୀଙ୍କୁ ମୋବାଇଲରେ ମେସେଜ୍‌  କରି ୯ଟାରେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ  ଆସିବାକୁ କହିଥିଲେ । ଛାତ୍ରୀ ଜଣକ ସାମାନ୍ୟ  ବିଳମ୍ୱରେ ଆସିବାରୁ ତାଙ୍କୁ ଗାଳିଗୁଲଜ  ସହ ପରୀକ୍ଷା ଦେବାରୁ ବାରଣ କରି ହଲ୍‌ରୁ  ବାହାର କରିଦେଇଥିଲେ । ଛାତ୍ରୀ ଜଣକ ପ୍ରାକ୍ଟିକାଲ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ।  ଅପମାନର ଶିକାର ଛାତ୍ରୀ ଘର ଲୋକଙ୍କୁ  ସମସ୍ତ ଘଟଣା କହିବା ପରେ ମା’,ବାପା ଓ  ଭଉଣୀ କଲେଜକୁ ଯାଇ ଅଧ୍ୟକ୍ଷଙ୍କୁ ଲିଖିତ  ଅଭିଯୋଗ କରିଥିଲେ । ଏଥିସହ ପୀଡ଼ିତା  ଛାତ୍ରୀ ଜଣକ ଟିଟିଲାଗଡ଼ ଥାନାରେ ମଧ୍ୟ  ଅଭିଯୋଗ କରିଛନ୍ତି । 

ହେଲେ ସୋମବାର  କଲେଜ କର୍ତ୍ତୃପକ୍ଷ ଏକ ବୈଠକ କରି  ମାମଲାକୁ ଚପାଇଦେବାକୁ ଉଦ୍ୟମ କରିଥିବା  ଜଣାପଡ଼ିଛି । କଲେଜ ଅଧ୍ୟକ୍ଷ ନ୍ୟାୟ ପ୍ରଦାନ  ବଦଳରେ ପୀଡ଼ିତା ଓ ପରିବାରବର୍ଗଙ୍କ  ଦସ୍ତଖତ ନେଇ ମାମଲାକୁ ଚପାଇଦେବାକୁ  ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ଖବର  ପାଇ ଗଣମାଧ୍ୟମ ପ୍ରତିନିଧି ପୀଡ଼ିତା ଛାତ୍ରୀ ଓ  ତାଙ୍କ ପରିବାର ସଦସ୍ୟଙ୍କ ସହ କଲେଜକୁ  ଯାଇ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ । ହେଲେ  ଅଧ୍ୟକ୍ଷ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା  ଦେବାକୁ ମନା କରିଦେଇଥିଲେ ।   ଏ ନେଇ ଥାନାଧିକାରୀ କଲ୍ୟାଣୀ  ବେହେରାଙ୍କୁ ପଚାରିବାରୁ ଘଟଣାର ତଦନ୍ତ  ଚାଲିଥିବା କହିଛନ୍ତି । ଜଣେ ଗରିବ ଛାତ୍ରୀ  ବିଜ୍ଞାନ ପାଠ ପଢ଼ୁଥିବାବେଳେ ତାଙ୍କୁ  ପ୍ରୋତ୍ସାହନ ଦେବା ବଦଳରେ ଅଧ୍ୟାପିକାଙ୍କ  ଗାଳିଗୁଲଜ ଅଭିଭାବକଙ୍କୁ ନିରାଶ କରିଛି ।  ଏଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେଇ  ପଦକ୍ଷେପ ନେବାକୁ ଦାବି ହେଉଛି ।