"ମୁଁ ଦୟା ନଦୀ କହୁଛି... ଆଗଭଳି ଆଉ ମୋର ପ୍ରଖର ଜଳସ୍ରୋତ ନାହିଁ। ମୋ ଗର୍ଭରେ ଏବେ ଖାଲି କୁଢ କୁଢ ଅଳିଆ। ଆବର୍ଜନାର ଆଢୁଆଳରେ ମୋ ଅସ୍ତିତ୍ଵ ହଜିଗଲାଣି। ଦିନ ଥିଲା ଇତିହାସ ବହିରେ ମୁଁ ଐତିହ୍ୟ ବୋଲି ଆଲୋଚିତ ଥିଲି କିନ୍ତୁ ଆଜି ଅନେକଙ୍କ ଅଳିଆ ଆବର୍ଜନାର ପେଣ୍ଠସ୍ଥଳୀ ପାଲଟିଛି ମୁଁ। ପ୍ରାକୃତିକ ପରିବେଶରେ ମୋ ପରିଚୟ ଥିଲା ଅନନ୍ୟ। ଦରକାରରେ ଆସୁଥିଲି, କିନ୍ତୁ ଏବେ ଆବର୍ଜନାରେ ମୋତେ ପୋତି ଦେଇଛନ୍ତି। ରୁନ୍ଧି ହୋଇଗଲିଣି ମୁଁ। ସହର ଉପକଣ୍ଠରେ ରହି ମୁଁ ଶେଷ ନିଶ୍ଵାସ ଗଣୁଛି। ଏମିତି ହେଲେ ଆଗକୁ ଗଙ୍ଗୁଆ ନାଳ ଭଳି ମୁଁ ମଧ୍ୟ ପରିତ୍ୟକ୍ତ ନଦୀର ପରିଚୟ ପାଇବି। ମୁଁ ଦୟା ନଦୀ କହୁଛି..."
ଭୁବନେଶ୍ଵର, ୨୯/୦୫ : ଏ ହେଉଛି ଚିରସ୍ରୋତା ଦୟା ନଦୀର ଦୟନୀୟ ଅବସ୍ଥା। ଆଗଭଳି ଆଉ ଅଗଭୀର ଜଳରାଶି ନାହିଁ। ଖରାଦିନେ ପୁରାପୁରି ଶୁଖିଲା ପଡ଼ିଛି। ଯେତିକି ବି ଜଳ ବଞ୍ଚିଛି, ରାଜଧାନୀବାସୀ ତାକୁ ଆବର୍ଜନାରେ ପୋତି ଦେଉଛନ୍ତି। ଲିଙ୍ଗିପୁର ଛକ ନିକଟ ଦୟା ଓଭରବ୍ରିଜ୍ ତଳେ ଗଦା ହୋଇଛି କୁଢ କୁଢ ସାଲାଇନ୍, ଇଞ୍ଜେକ୍ସନ ଓ ଋତୁସ୍ରାବ ଆବର୍ଜନା। ଘରୁ ଯାହା ବାହାରୁଛି ସବୁ ଆଣି ଫିଙ୍ଗି ଦେଉଛନ୍ତି। ଦୟା ନଦୀର ସ୍ଵଚ୍ଛ ଜଳରାଶି ଦୂଷିତ ହୋଇଗଲାଣି। ଅଳିଆ ଆବର୍ଜନା ସବୁ ପଚି ସଢି ନଦୀ ଜଳକୁ ସଂକ୍ରମିତ କରୁଛି। ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ତଥାପି ଜଳସମ୍ପଦ ବିଭାଗର ଏଥିପ୍ରତି ନିଘା ନାହିଁ। ଦୁର୍ଭାଗ୍ୟର ବିଷୟ, ଭୁଆଶୁଣି ପାନୀୟ ଜଳ ପ୍ରକଳ୍ପରେ ଦୟା ନଦୀ ଜଳ ବିକି ଜଳସମ୍ପଦ ବିଭାଗ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି। ହେଲେ ନଦୀ ପ୍ରଦୂଷଣ ପ୍ରତି ବିଭାଗୀୟ ଯନ୍ତ୍ରୀ କିମ୍ଵା ଅଧିକାରୀଙ୍କ ଦୃଷ୍ଟି ପଡୁନି।
ଆହୁରି ପଢନ୍ତୁ- ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ସମ୍ପର୍କ ଦୁଷ୍କର୍ମ ନୁହେଁ, ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଛାଡ଼ିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କୁଆଖାଇରୁ ବାହାରିଥିବା ମହାନଦୀର ଶାଖା ନଦୀ ଦୟାନଦୀର ଲମ୍ଵ ପ୍ରାୟ ୬୦ କିଲୋମିଟର। ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ହୋଇ ବ୍ରହ୍ମଗିରିର ବଡ଼ଗୋଠଠାରେ ଏହା ଚିଲିକାରେ ମିଶିଛି। ଆଗରୁ ଗଙ୍ଗୁଆର ଆବର୍ଜନା ଜଳ ଦୟାନଦୀକୁ ପ୍ରଦୂଷିତ କରିଆସୁଛି। ଏହାର ସଂକ୍ରମିତ ଜଳ ବ୍ୟବହାର କରି ପିରୀ କଣାସର ୭ ଜଣଙ୍କ ଜୀବନ ଯାଇଛି। ବହୁ ବାଦବିବାଦ ପରେ ପ୍ରଶାସନିକ ଅଧିକାରୀଙ୍କ ଚେତା ପଶିଛି। ଗଙ୍ଗୁଆ ଜଣକୁ ବିଶୋଧନ କରି ଦୟାକୁ ଛାଡ଼ିବାକୁ କଣ୍ଟି ନିକଟରେ ଏକ ବଡ଼ ବିଶୋଧନ ପ୍ରକଳ୍ପ ବସାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁଠୁ ସାଙ୍ଘାତିକ୍ କଥା ଦୟା ନଦୀରେ ବିଷାକ୍ତ ଆର୍ସେନିକ୍ ଥିବା ସରକାରୀ ଗବେଷଣାରୁ ଜଣାପଡ଼ିଛି। ଏସବୁ ସତ୍ତ୍ଵେ ଲୋକମାନେ କିଭଳି ନଦୀକୁ ଅଳିଆ ଆବର୍ଜନା ନଫିଙ୍ଗିବେ ସେଥିପ୍ରତି ଧ୍ୟାନ ଦିଆଯାଉନି।