ଭୁବନେଶ୍ବର, ୧୭।୯ : ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ମୃତଦେହ ପୁଲିସ ଉଦ୍ଧାର କରିଛି। କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଅଖାରେ ବନ୍ଧାଯାଇଥିବା ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଦୀପକ ରାଉତକୁ ନେଇ ପୁଲିସ ସିନ୍ ରିକ୍ରିଏସନ କରିଥିଲା। ଏହ ା ପରେ ଜଙ୍ଗଲ ଭିତରେ ଜେସିବିରେ ଖୋଳି ପୋଲିସ ଶୁଭମିତ୍ରାଙ୍କ ମୃତଦେହ ବାହାର କରିଛି। ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ବିବାହିତ ଥିଲେ ଅଭିଯୁକ୍ତ ଦୀପକ । ୨୦୨୨ରେ ଦୀପକଙ୍କ ପତ୍ନୀ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହାପରେ ପତ୍ନୀଙ୍କ ନାଁରେ ଥିବା ଇନ୍ସ୍ୟୁରାନ୍ସ କମ୍ପାନୀରୁ ୧ କୋଟି ଟଙ୍କା ପାଇଥିଲେ ଦୀପକ । ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଦୀପକଙ୍କ ସହ ଶୁଭମିତ୍ରାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରବର୍ତ୍ତି ସମୟରେ ଉଭୟ ବିବାହ କରିଥିଲେ ବୋଲି ମ୍ୟାରେଜ ସାର୍ଟିଫିକେଟରୁ ଜଣାପଡିଛି। ୨୩ ଜୁଲାଇ ୨୦୨୪ରେ ଶୁଭମିତ୍ରାକୁ ରେଜିଷ୍ଟ୍ରି ମ୍ୟାରେଜ୍ କରିଥିଲା ଦୀପକ । ଖଣ୍ଡଗିରିରେ ଥିବା ରେଜିଷ୍ଟ୍ରି ମ୍ୟାରେଜ୍ ଅଫିସରେ ଦୁହେଁ ବିବାହ କରିଥିଲେ । ୩ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ଦୀପକଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲାରେ ଏବଂ ଶୁଭମିତ୍ରାଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡିଛି । ଦୀପକ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ସରକାରୀ କ୍ବାର୍ଟରରେ ରହୁଥିଲେ ।
ଏହି ସମୟରେ ଦୀପକ ଶୁଭମିତ୍ରାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଶୁଭମିତ୍ରା କିନ୍ତୁ ଅନ୍ୟ ଜଣେ ଯୁବକ ସହ ସମ୍ପର୍କ ରଖିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହା ଜାଣିବା ପରେ ଦୀପକ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ୬ ତାରିଖ ଅପରାହ୍ନ ୨ଟାରେ ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରୁ ଶୁଭମିତ୍ରାଙ୍କୁ ଏକ କାର୍ରେ ନେଇ କୁଆଡେ ଚାଲି ଯାଇଥିଲା ଦୀପକ । ସେହିଦିନ ଭୁବନେଶ୍ବରରେ ହିଁ ଶୁଭମିତ୍ରାଙ୍କୁ ଦୀପକ ହତ୍ୟା କରିଥିଲା । ଶୁଭମିତ୍ରାଙ୍କ ମୃତଦେହକୁ କାର୍ ଯୋଗେ ଘଟଗାଁ ନେଇ ଯାଇଥିଲା । ଘଟଗାଁ ଅଞ୍ଚଳର ଏକ ଜଙ୍ଗଲରେ ଶୁଭମିତ୍ରାଙ୍କ ମୃତଦେହ ପୋତି ଦେଇଥିଲା । ଏହି ଘଟଣାରେ ଦୀପକଙ୍କ ସମ୍ପର୍କୀୟ ଭାଇ ବିନୋଦ ଭୂୟାଁ ସହାୟତା କରିଥିଲା।
ସୂଚନାଯୋଗ୍ୟ ଯେ ଗତ ୬ ତାରିଖରୁ ଶୁଭମିତ୍ରାଙ୍କ ପତ୍ତା ମିଳିନଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାରେ ଛାନ୍ଭିନ୍ କରିଥିଲା । ମହିଳା କନେଷ୍ଟବଳ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ଦୀପକ ବାବଦରେ ପୁଲିସ ଜାଣିବାକୁ ପାଇଥିଲା । ପରେ ତାଙ୍କୁ ମାରାଥନ ଜେରା କରିଥିଲା । ଏହି ଜେରା ସମୟରେ ଦୀପକ ସବୁ ସତ ମାନି ଯାଇଥିଲା।