କାମାକ୍ଷାନଗର, ୧୦।୩ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଉର୍ବେଙ୍ଗି -କନ୍ଧରା ରାସ୍ତାର ଉର୍ବେଙ୍ଗୀ ଗାଁ ନିକଟରେ ଥିବା ଏକ ପୋଲ ତଳୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ କେରଜୋଳି ପଞ୍ଚାୟତ କେନ୍ଦୁମୁଣ୍ଡା ଗାଁର ରାଜେଶ ବାରିକ ।
ରାଜେଶ ଗତକାଲି ରାତିରେ କେନ୍ଦୁମୁଣ୍ଡା ଗ୍ରାମରୁ ବରଯାତ୍ରୀ ଭାବେ କନ୍ଧରା ଗ୍ରାମ କଲବୁଦ୍ଧିଆ ସାହିକୁ ଆସି ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି କିଛି ସନ୍ଧାନ ପାଇନଥିଲେ। ଆଜି ରାଜେଶଙ୍କ ମୃତଦେହର ଫଟୋ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିଲା। ପରିବିର ଲୋକେ ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦେଖିଲାବେଳକୁ ରାଜେଶଙ୍କ କ୍ଷତବିକ୍ଷତ ମୃତଦେହ ପୋଲ ତଳୁ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ କରି ଫେରିଛି। ଏପଟେ ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି କଙ୍କଡାହାଡ ପୋଲିସ। ପରିବାର ଲୋକେ ତୁରନ୍ତ ହତ୍ୟାକରୀକୁ ଧରିବାକୁ ଦାବି କରିଛନ୍ତି।