ବ୍ରହ୍ମବରଦା,୨୪/୦୭: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଅରାବଳ ପଞ୍ଚାୟତ ମହନପୁର ନିକଟସ୍ଥ କେଲୁଅ ନଦୀପଠାରୁ ଗୁରୁବାର ସକାଳେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ୧୫ ଦିନରୁ ଅଧିକ ପୁରୁଣା ହେବ ବୋଲି ଜଣାପଡିଛି । ମୃତଦେହରେ ଏକ ଧୋତି ଲାଗି ଥିବା ବେଳେ ଏହା ଜଣେ ପୁରୁଷଙ୍କ ଶବ ବୋଲି ଅନୁମାନ କରାଯାଉଛି ।
ସୂଚନା ମୁତାବକ, ଗୁରୁବାର ସକାଳେ କେଲୁଅ ନଦୀପଠାରେ ଏକ ମୃତଦେହ ଭାସି ଆସି ମହାନପୁର ନିକଟରେ ଲାଗିଥିଲା । ଏହାକୁ ସ୍ଥାନୀୟ ଲୋକେ ଦେଖି କୋତପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପଠାଇଛନ୍ତି । ଏହାଛଡ଼ା ଅଜଣା ମୃତଦେହର ପରିଚୟ ଜାଣିବାକୁ ଅଧିକ ତଦନ୍ତ ଚଳାଇଛନ୍ତି ।