ମାଲକାନଗିରି,୦୪/୧୨: ପୋଟେରୁ ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ମାଲକାନଗିରି ଜିଲ୍ଲାର ରାଖେଲଗୁଡା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ଦିନକ ପୂର୍ବରୁ ଉକ୍ତ ଗ୍ରାମର ନିଖୋଜ ମହିଳାଙ୍କର ମୃତଦେହ ହୋଇ ଥାଇପାରେ ପୁଲିସ ସନ୍ଦେହ କରୁଛି ।
ସୂଚନା ମୁତାବକ, କୋରକୁଣ୍ଡା ଥାନା ନିକସ୍ଥ ରାଖେଲଗୁଡା ଗ୍ରାମର ସ୍ୱର୍ଗତ ମୁକା ପଡିଆମୀଙ୍କ ପତ୍ନୀ ଲାକେ ପଡିଆମୀ ନିଖୋଜ ହୋଇ ଥିବାର ତାଙ୍କ ପୁଅ ରବି ପଡିଆମୀ ସଦର କୋରକୁଣ୍ଡା ଥାନାରେ ଏତଲା ଦେଇଥିଲେ। ଗତକାଲି ଠାରୁ ପୁଲିସ ବିଭିନ୍ନ ସ୍ଥାନରେ ଖୋଜୁଥିଲା। ହେଲେ ଆଜି ସକାକୁ ପ୍ରାୟ ଦୁଇ କିଲୋମିଟର ଦୂର ଡୁଡାମେଟଲା ଗାଁ ନିକଟ ପୋଟେରୁ ନଦୀରେ ଏକ ମୁଣ୍ଡବିହୀନ ମହିଳାଙ୍କର ମୃତଦେହ ଭାସୁଥିବାର ବାଲିଘାଟର ଲୋକେ ଦେଖି ଗ୍ରାମ ବାସୀଙ୍କୁ ଜଣାଇଥିଲେ । ରାଖେଲଗୁଡା ଗ୍ରାମର ନିଖୋଜ ମହିଳାଙ୍କ ପରିବାର ଓ ଆଖପାଖ ଆଦିବାସୀ ଗ୍ରାମର ଲୋକେ ସେଠାରେ ପହଞ୍ଚି ପୁଲିସକୁ ଜଣାଇ ନଦୀରୁ ମୃତ ଶରୀର ଉଦ୍ଧାର କରିଛନ୍ତି। ତେବେ ପିନ୍ଧା ଲୁଗାରୁ ମୃତଦେହଟି ନିଖୋଜ ମହିଳାଙ୍କର ହୋଇଥାଇପାରେ ଏବଂ କେହି ଦୁର୍ବୁତ୍ତ ମହିଳାଙ୍କ ମୁଣ୍ଡ କାଟି ହତ୍ୟା କରି ନଦୀରେ ଭସାଇ ଦେଇ ଥାଇ ପାରେ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ସନ୍ଦେହ କରୁଛନ୍ତି।
ସେପଟେ ନଦୀରେ ଅଧିକ ପାଣି ଥିବାରୁ ମୁଣ୍ଡ ଖୋଜିବା ସମ୍ଭବ ହେଉ ନଥିବାରୁ ଅଗ୍ନିଶମ ବିଭାଗକୁ ଖୋଜିବା ନିମନ୍ତେ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଶରୀର ଜବତ କରି ତଦନ୍ତ ଜାରି ରଖିଛି। ତେବେ ଆଜି ସକାଳୁ ନଦୀ ରେ ଓ ଆଖ ପାଖ ଅଞ୍ଚଳ ରେ ପୁଲିସ ପକ୍ଷରୁ ମୁଣ୍ଡ ଖୋଜା ଚାଲିଛି ବୋଲି କୋରକୁଣ୍ଡା ସଦରଥାନା ଆଇଆଇସି ହିମାଂଶୁ ଶେଖର ବାରିକ ସୂଚନା ଦେଇଛନ୍ତି।ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।