ଭୁବନେଶ୍ଵର, ୦୨/୧୧ : ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ତଥା ଗାୟକ ଭିକାରୀ ବଳଙ୍କର ଆଜି ତିରୋଧାନ ଦିବସ। ଭଜନ ସମ୍ରାଟ ନାମରେ ସେ ପରିଚିତ। ଉତ୍କଳର ଅନେକ ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ ଓ ପ୍ରାଚୀନ କବିତାକୁ ରୂପାନ୍ତର କରି ସେ ନିଜ ସୁମଧୁର ସ୍ୱରରେ ସଜାଇଛନ୍ତି।
୧୯୨୯ ମସିହା, ମେ ୨୫ ତାରିଖରେ କେନ୍ଦ୍ରାପଡ଼ାର ସୋବଳା ଗ୍ରାମରେ ତାଙ୍କର ଜନ୍ମ। ପ୍ରାଥମିକ ଶିକ୍ଷା ପରେ ସେ କେନ୍ଦ୍ରାପଡ଼ା ଜିଲ୍ଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ। ସେଠାରେ ନବମ ଶ୍ରେଣୀ ଯାଏ ପଢ଼ିଲେ। ତା’ପରେ ଗାଁ ଯାତ୍ରା ଦଳରେ ଯୋଗ ଦେଲେ। ସେଠାରେ ଗୀତ ଗାଇବା, ହାରମନିୟମ୍ ବାଦନ, ଅଭିନୟ ଆଦି ଶିଖିଲେ। ଏହାପରେ ନିକଟସ୍ଥ ଏକ ସ୍କୁଲରେ ସଙ୍ଗୀତ ଶିକ୍ଷକ ଭାବେ ନିଯୁକ୍ତ ହେଲେ । ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ଭିକାରୀ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ। କୋଠ ଭୋଗଖିଆ ଗୀତ ପାଇଁ ସେ ଲୋକପ୍ରିୟତା ପାଇଲେ, ଯାହା ୭୦ ଦଶକରେ ସବୁଠୁ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା।
ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳୀ ଓ ସାଲବେଗ ଆଦି ପୁରାତନ କବିଙ୍କ ଏକାଧିକ ଭଜନରେ ସେ କଣ୍ଠଦାନ କରିଛନ୍ତି। ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି । ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ତାଙ୍କୁ ଭଜନ ସମ୍ରାଟ ଉପାଧିରେ ଭୂଷିତ କରିଥିଲେ । ୨୦୦୫ର ‘ଚଗଲା’ ମନ ଥିଲା ତାଙ୍କ ଶେଷ ଆଲବମ୍ ଭଜନ । ୨୦୧୦, ନଭେମ୍ବର ୨ ତାରିଖରେ ଭିକାରୀ ବଳଙ୍କ ପରଲୋକ ହୋଇଥିଲା ।