ମାଲକାନଗିରି,୪/୧୨ : କେନ୍ଦୁପତ୍ର ବନଖଣ୍ଡ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ୧୪୫ଜଣ ପତ୍ର ତୋଳାଳୀ ଓ ସାମୟିକ କର୍ମଚାରୀଙ୍କୁ ୨କୋଟି ୯୦ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜୟପୁର କେନ୍ଦୁପତ୍ର ଡିଏଫଓ ଉମା ମହେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ଜିଲ୍ଲା କର୍ମନିୟୋଜନ ଅଧିକାରୀ ଗୁପ୍ତ ମାଢି, ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡା, ସମାଜ ସେବୀ ଦୁର୍ଯ୍ୟୋଧନ ପାତ୍ର ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରକୃତିର ଅବଦାନ କେନ୍ଦୁପତ୍ର ହେଉଛି ଜଙ୍ଗଲର ସବୁଜ ହୀରା, ଏହାକୁ ସଂଗ୍ରହ ଓ ବିକ୍ରି କରି ଅନେକ ଗରିବ ଲୋକେ ଆର୍ଥିକ ସ୍ୱଛଳତା ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି କହିଥିଲେ ।
ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ଥିବା ୬ଟି କେନ୍ଦୁପତ୍ର ରେଞ୍ଜ ଅଧୀନରେ କାର୍ଯ୍ୟ କରୁଥିବା ୧୩୭ଜଣ ପତ୍ର ତୋଳାଳି ଓ ୮ ଜଣ ସାମୟିକ କର୍ମଚାରୀଙ୍କ ମୃତ୍ୟୁକାଳୀନ ସହାୟତା ରାଶି ଜଣଙ୍କ ପିଛା ଦୁଇ ଲକ୍ଷ ଟଙ୍କା ଲେଖା ମୋଟ ଦୁଇ କୋଟି ୯୦ଲକ୍ଷ ଟଙ୍କା ମୃତପରିବାରଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କତା ମେଟା କେନ୍ଦୁଲିଫ ରେଞ୍ଜର ବେତାଳ ଜୟରାମ ମଞ୍ଚ ପରିଚାଳନା କରୁଥିବାବେଳେ ମାଲକାନଗିରି କେନ୍ଦୁଲିଫ ରେଞ୍ଜ ଅଫିସର ରଜନୀକାନ୍ତ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଥିଲି ରେଞ୍ଜର ପ୍ରଶାନ୍ତ କୁମାର ପଣ୍ଡା, ବାଲିମେଳା ରେଞ୍ଜର, ଅନିଲ ଵାଲା, କାଲିମେଳା ରେଞ୍ଜର ଦୁର୍ଗା ପ୍ରଦାଦ ନାୟକ, ଏମଭି ୭୯ ରେଞ୍ଜର ଆସୁ ତୋଷ ସିଂ, ମାଲକାନଗିରି ରେଞ୍ଜର ରଜନୀ କାନ୍ତ ଷଡ଼ଙ୍ଗୀ, କତାମେଟା ରେଞ୍ଜର ବେତାଳ ଜୟରାମ, କେନ୍ଦୁଲିଫ କର୍ମଚାରି ଓ ଶତାଧିକ କେନ୍ଦୁପତ୍ର ତୋଳାଳୀ, ସାମୟିକ କର୍ମଚାରିମାନେ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ୬ଟି କେନ୍ଦୁପତ୍ର ରେଞ୍ଜ ଅଧୀନରେ ପ୍ରାୟ ୬୦ହଜାର ପତ୍ର ତୋଳାଳୀ ଅଛନ୍ତି । ଗତ ୪ବର୍ଷ ମଧ୍ୟରେ ୧୪୫ଜଣ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳୀ ଓ ସମୟିକ କର୍ମଚାରିଙ୍କ ମୃତ୍ୟୁ ଘଟିଛି। ଆଜି ସ୍ୱତନ୍ତ୍ରସଭାର ଆୟୋଜନ କରାଯାଇ ପ୍ରତି ପରିବାରଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଥିବାରୁ କେନ୍ଦୁପତ୍ର ତୋଳାଳୀଙ୍କ ମନରେ ଖୁସିର ଲାହାରୀ ଖେଳିଯାଇଛି । ସମସ୍ତ ପରିବାର କେନ୍ଦୁପତ୍ର ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।