କାଶୀପୁର - ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରୁ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ଜଣେ ଶ୍ରମିକଙ୍କ ଗତକାଲି ଶୋଚନୀୟ ମୃତ୍ୟୁ ହୋଇଛି। ଡ଼ଙ୍ଗାସିଲ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଅତ୍ରୁ ମାଝୀଙ୍କ ପୁଅ ରୁପୁ ମାଝୀ (୨୨)ଙ୍କର ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଛି। କୌଣସି ଏକ ଗାଡ଼ି ଧକ୍କାରେ ରୁପୁ ମାଝୀର ମୃତ୍ୟୁ ହୋଇ ଥିବାର ଖବର ମିଳିଛି।
ମୃତ ଯୁବକଙ୍କ ଶବକୁ ଗାଁକୁ ଆଣିବା ପାଇଁ ଗରିବ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ରୁପୁ ମାଝୀ ଗତ କିଛି ମାସ ତଳେ ନିଜର ସାନ ଭାଇ ଏବଂ ଗ୍ରାମର ଆଉ କିଛି ଜଣଙ୍କ ସହିତ କାମ କରିବା ପାଇଁ ଆନ୍ଧ୍ର ପ୍ରଦେଶର ନେଲୁର ଯାଇ ଥିଲେ। ସେଠାରେ ଥିବା ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ।
ଗତକାଲି ସନ୍ଧ୍ୟାରେ ରୁପୁ ଚାଲି ଚାଲି କ୍ୟାମ୍ପକୁ ଫେରୁ ଥିବା ସମୟରେ କୌଣସି ଏକ ଗାଡ଼ି ଧକ୍କାରେ ମୃତ୍ୟୁ ହୋଇ ଥିବାର ପରିବାର ଲୋକଙ୍କୁ ଖବର ମିଳିଛି। ଆନ୍ଧ୍ରପ୍ରଦେଶରୁ ନିଜ ଗାଁକୁ ଶବ ଆଣିବା ଏବଂ ମୃତକ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।