ଭୁବନେଶ୍ଵର, ୧୮/୦୨ : ବିଧାନସଭାରେ ବିଜେଡି-ବିଜେପି ଇନପୁଟ୍ ସବସିଡି କଳି। ଇନପୁଟ୍ ସହାୟତା ନେଇ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ ଦଳ ଉପନେତା। ୮୦୦ ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ପଚାରିଲେ ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ଯେ, ଚାଷୀଙ୍କୁ ୮୦୦ ଟଙ୍କା ଦେବେ ବୋଲି ବିଜେପି ସରକାର ଘୋଷଣା କରିଥିଲେ, ହେଲେ ୭୩୧ ଟଙ୍କା କାହିଁକି ଦେଉଛନ୍ତି। ଚାଷୀଙ୍କୁ ୬୯ ଟଙ୍କା କାହିଁକି ବଞ୍ଚିତ କରାଯାଉଛି ?
ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଯୋଗ ପରେ ବିଜେପିର ଅଶ୍ଵିନୀ ଷଡ଼ଙ୍ଗୀ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ଯିଏ ୧୦୦ ଟଙ୍କା ଘୋଷଣା କରି ଦେଇନଥିଲେ, ସେମାନେ କେଉଁ ମୁହଁରେ ୮୦୦ ଟଙ୍କା କଥା କହୁଛନ୍ତି। ଆମେ ନିର୍ବାଚନ ବେଳେ ୩୧୦୦ ଟଙ୍କା ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ।
ସୂଚନା ଥାଉକି, ଚାଷୀଙ୍କୁ କେତେ ଟଙ୍କା ଇନପୁଟ୍ ସବସିଡି ମିଳୁଛି ବୋଲି ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ପ୍ରଶ୍ନ କରିଥିଲେ। ଯୋଗାଣ ମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ, ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ ୭୩୧ ଟଙ୍କା ଇନପୁଟ୍ ସବସିଡି ମିଳୁଛି। କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ୭୩୧ ଟଙ୍କା ଦେଉଛନ୍ତି। ଯଦି ସରକାର ୮୦୦ ଟଙ୍କା ଦେଇଥାନ୍ତେ ତାହେଲେ ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ। ତେବେ ଏନେଇ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିଛି।
ଏହି ଖବରଟିକୁ ପଢନ୍ତୁ- ଧାନ ମଣ୍ଡି ପ୍ରସଙ୍ଗରେ ଉଠିଲା ପଡ଼ିଲା ବିଧାନସଭା, ଗୃହରେ ଧାନ ରଖି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ