ନୂଆଦିଲ୍ଲୀ,୨୦/୧୨: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି । ତାଙ୍କ ବିଚାରଧାରା ସବୁବେଳେ ସମୟଠୁ ବହୁ ଆଗରେ ଥାଏ । କେତେବେଳେ ସେ କହୁଛନ୍ତି, ଆଗାମି ଦିନରେ ମଣିଷକୁ ଅଫିସ୍ ଯାଇ ଚାକିରି କରିବାକୁ ପଡ଼ିବ ନାହିଁ, କାରଣ ଅଧିକାଂଶ କାମ ଏଆଇ କରିବ । ଆଉ କେତେବେଳେ ପୃଥିବୀ ବାହାରେ ମାନବ ବସତି ସ୍ଥାପନ କଥା କହୁଛନ୍ତି । ବିଶ୍ୱ ତାଙ୍କ କଥାକୁ ଗମ୍ଭୀରତାର ସହ ମଧ୍ୟ ଗ୍ରହଣ କରୁଛି । ମସ୍କ ଏବେ ପୁଣି ଥରେ ନିଜ ବୟାନ ଯୋଗୁ ଖବରରେ ।
ଏ ଥର ସେ ଦାବି କରିଛନ୍ତି, ଭବିଷ୍ୟତରେ ପୃଥିବୀରୁ ଦାରିଦ୍ର୍ୟ ସମ୍ପୂର୍ଣ୍ଣ ଦୂର ହୋଇଯିବ । ଅରବପତି ନିବେଶକ ରେ ଡେଲିଓ ‘ଟ୍ରମ୍ପ୍ ଆକାଉଣ୍ଟ୍ସ’ ପ୍ରସ୍ତାବକୁ ସମର୍ଥନ କରିବାର ପ୍ରତିକ୍ରିୟାରେ ମସ୍କ ଏପରି କହିଛନ୍ତି । ଏ ପ୍ରସ୍ତାବ ପିଲାଙ୍କ ପାଇଁ ନିବେଶ ଖାତା ଖୋଲିବା ସହ ଜଡ଼ିତ, ଯାହାକୁ ଟ୍ରମ୍ପ୍ ପ୍ରଶାସନ ଆଗକୁ ବଢ଼ାଉଛି । ମସ୍କ ଏହି ପ୍ରୟାସକୁ ଭଲ ପଦକ୍ଷେପ କହିଛନ୍ତି । ଏଥିସହ ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ଏହା ଆବଶ୍ୟକ ହେବ ନାହିଁ । ତାଙ୍କ ଅନୁସାରେ, ଆଗାମି ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୟୁନିଭର୍ସାଲ ହାଇ ଇନ୍କମ୍ ମିଳିବ ଏବଂ ଦାରିଦ୍ର୍ୟ ନାଁ ଇତିହାସ ପାଲଟିଯିବ । ୟୁନିଭର୍ସାଲ ହାଇ ଇନ୍କମ୍ର ଅର୍ଥ ଏଭଳି ପ୍ରଣାଳୀ ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିର ଆୟ ଏତେ ହେବ ଯେ ମୌଳିକ ଆବଶ୍ୟକତା ପାଇଁ ତାକୁ ସଂଘର୍ଷ କରିବାକୁ ପଡ଼ିବ ନାହିଁ ।
ମସ୍କଙ୍କ ଅନୁସାରେ, ଏଆଇ ଓ ଟେକ୍ନୋଲୋଜି ସାହାଯ୍ୟରେ ଉତ୍ପାଦନ ଏତେ ଶସ୍ତା ଓ ଦ୍ରୁତ ହେବ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନଜନକ ଓ ଉଚ୍ଚ ଆୟ ମିଳିବ । ମସ୍କଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ଜଣେ ୟୁଜର୍ ଲେଖିଛନ୍ତି- ଯଦି ସବୁକିଛି ହାରାହାରି ମାଗଣା ହୋଇଯିବ, ତେବେ ଲୋକେ ଉତ୍ପାଦ ନିର୍ମାଣ ପାଇଁ କାହିଁକି ପ୍ରେରିତ ହେବେ? ଏହା ପୂର୍ବରୁ ମସ୍କ କାମ ଓ ରୋଜଗାରକୁ ନେଇ ଏଭଳି ବୟାନ ଦେଇଥିଲେ । ୨୦୨୪ରେ ପ୍ୟାରିସ୍ରେ ଆୟୋଜିତ ଭିଭା ଟେକ୍ନୋଲୋଜି ସମ୍ମିଳନୀରେ ସେ କହିଥିଲେ, ସବୁକିଛି ସକାରାତ୍ମକ ରହିଲେ, ବୋଧହୁଏ ଆମ ମଧ୍ୟରୁ କାହା ପାଖରେ ଚାକିରି ରହିବ ନାହିଁ ।