ସମ୍ବଲପୁର,୩୧/୦୭:  ଦେବଝରଣ ଜଳଭଣ୍ଡାର ଜମି ବିକ୍ରି ଘଟଣାକୁ ନେଇ ଶେଷରେ ସମ୍ବଲପୁର କ୍ଷୁଦ୍ର ଜଳସେଚନ ବିଭାଗର ଚେତା ପଶିଛି। ‘ପ୍ରମେୟ’ରେ ଖବର ପ୍ରକାଶ  ପାଇବା ପରେ ଦୀର୍ଘ ୯ ମାସ ଧରି ଜାଣି ଅଜଣା ସାଜିଥିବା ଅଧିକାରୀ ତତ୍ପରତା ଦେଖାଇଛନ୍ତି । ୧୯୭୯ରେ  ହୋଇଥିବା ଜମି ଅଧିଗ୍ରହଣ ରେକର୍ଡ ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ରେକର୍ଡ ଖୋଜି ବୁଧବାର ଉପ- ଜିଲ୍ଲାପାଳଙ୍କ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଜମିର ପଟ୍ଟା ଖାରଜ ପାଇଁ ଦରଖାସ୍ତ ଆବେଦନ କରିଛନ୍ତି । 

ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ ଭୋଇ କହିଛନ୍ତି, ୧୯୭୯ ମସିହାରେ ଏହି ଜମି ଅଧିଗ୍ରହଣ ହୋଇଥିଲା । ହିତାଧିକାରୀ ସରକାରଙ୍କଠାରୁ ଟଙ୍କା ମଧ୍ୟ ପାଇଥିଲେ । କିନ୍ତୁ ସେତେବେଳେ ଜମିର ରେକର୍ଡ଼ କ୍ଷୁଦ୍ର ଜଳସେଚନ ବିଭାଗ ନାମକୁ ଆସି ନ ଥିଲା । ଯାହାର ଫାଇଦା ନେଇ ଏହି ଜମିକୁ ଜଗନ୍ନାଥ ଭୋଏ ବିକ୍ରି କରିଦେଇଥିଲେ । ବୁଧବାର ଉପ-ଜିଲ୍ଲାପାଳଙ୍କ କୋର୍ଟରେ ଜମିର ପଟ୍ଟା ଖାରଜ ପାଇଁ ଦରଖାସ୍ତ ଆବେଦନ କରିଛି କ୍ଷୁଦ୍ର ଜଳସେଚନ ବିଭାଗ । ଖୁବ୍‌ଶୀଘ୍ର ପଟ୍ଟା ଖାରଜ ହୋଇ ସରକାରଙ୍କ ଖାତାକୁ ଆସିବ । ୧୯୭୯ ମସିହାରେ ଯୁଯୁମୁରା ନିକଟ ଦେବଝରଣ ଜଳପ୍ରପାତର ଜଳକୁ ସଂରକ୍ଷଣ କରିବାକୁ ଜଳଭଣ୍ଡାର ତିଆରି କରାଗଲା । ସମ୍ବଲପୁର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ପ୍ରାୟ ୭୦ ଏକରରୁ ଅଧିକ ଜାଗାରେ ଏହି  ଜଳଭଣ୍ଡାର ତିଆରି ହୋଇଛି । ହେଲେ ସେହି ଜଳଭଣ୍ଡାର  ଭିତରର ୮.୭ ଏକର ଜାଗାକୁ ଦଖଲକୁ ନେବାକୁ ଦାବି  କରୁଛନ୍ତି ରାଜେନ୍ଦ୍ର କୁମାର ସୋରେନ୍‌ । 

ଗତବର୍ଷ ସେ ଏହି  ଜମିକୁ ଜଗନ୍ନାଥ ଭୋଏଙ୍କ ଠାରୁ କିଣିଥିଲେ । ୨୦୨୪  ନଭେମ୍ବର ୧୩ରେ ଏହି ଜମି ତାଙ୍କ ନାଁରେ ରେକର୍ଡ  ହୋଇଥିଲା । କେସ ନମ୍ବର ୧୦୦୧/୨୦୨୪ ଆଦେଶ  ଅନୁସାରେ ଖତିଆନ କ୍ରମିକ ନମ୍ବର ୨ର ପ୍ଲଟ ନମ୍ବର ‘୪୩  ଏ’କୁ ଖାରଜ କରି ଖତିଆନ ନମ୍ବର ୪/୫ରେ ରେକର୍ଡ  କରାଯାଇଥିଲା । ରାଜେନ୍ଦ୍ର ଏବେ ନିଜ ଜମିକୁ ଦଖଲକୁ  ନେବା ସହ ନିର୍ମାଣ କାମ ଆରମ୍ଭ କରିଥିଲେ । ସେଠାରେ  ବେସରକାରୀ ଇକୋ ଟୁରିଜିମ କରାଯିବାକୁ ଯୋଜନା ଥିଲା ।  ଏନେଇ ‘ପ୍ରମେୟ’ରେ ଖବର ପ୍ରକାଶ ପାଇବା ପରେ କ୍ଷୁଦ୍ର  ଜଳସେଚନ ବିଭାଗ ଚେତିଛି । ୯ ମାସ ପୂର୍ବରୁ ରେକର୍ଡ  ସରିଥିଲେ ମଧ୍ୟ ଶେଷରେ ଭୂଅର୍ଜନ ବିଭାଗରେ ଘଣ୍ଟା ଘଣ୍ଟା  ଖୋଜିବା ପରେ ସମସ୍ତ ରେକର୍ଡ ପାଇଛନ୍ତି ।   

ସୂଚନାଯୋଗ୍ୟ, ଏଭଳି ସମାନ ଘଟଣା ରେଢ଼ାଖୋଲ  ଅଞ୍ଚଳରେ ଘଟିଥିଲା । ୨୦ ବର୍ଷ ପୂର୍ବରୁ ଅଧିକୃତ ଏକ  ଜମିକୁ ବିକ୍ରି କରି ଦିଆଯାଇଥିଲା । ଘଟଣା ସାମ୍ନାକୁ ଆସିବା  ପରେ ଜମି ମାଲିକଙ୍କୁ ଗିରଫ କରାଯାଇଥିଲା । ଦେବଝରଣ  ଜଳଭଣ୍ଡାର ଘଟଣାରେ ମଧ୍ୟ ଉଭୟ କ୍ରେତା ଓ ବିକ୍ରେତାଙ୍କୁ  ଗିରଫ କରିବାକୁ ଦାବି ହୋଇଛି । କାରଣ ଜଳଭଣ୍ଡାର ଜମି  ହୋଇଥିବା ଜାଣି ବି ଦୁହେଁ ଜାଲିଆତି କରିଛନ୍ତି ।

ବିଚିତ୍ର ସରକାରୀ ବ୍ୟବସ୍ଥା: ବିକ୍ରି ହୋଇଗଲା ଦେବଝରଣ ଜଳଭଣ୍ଡାର ଟାପୁ, ଡ୍ୟାମ୍‌ର ୯ ଏକର ଜମି ଉପରେ ବ୍ୟକ୍ତିଗତ ମାଲିକାନା ଦାବି