ଭୁବନେଶ୍ବର, ୨୭।୧୧ : ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି। କୌଣସି ଡ୍ରୋନ୍ କାର୍ଯ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ। ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଉପସ୍ଥିତ ରହିବେ ମୋଦି।
ସୂଚନାଯୋଗ୍ୟ ଯେ ୨୯, ୩୦ ଏବଂ ଡିସେମ୍ବର ୧ ରେ ଓଡିଶାରେ ଡିଜି ସମ୍ମିଳନୀ ଅନୁଷ୍ଠିତ ହେବ। ୩ ଦିନ ଧରି ହେବାକୁ ଥିବା ଡିଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଡିଜି ସମ୍ମିଳନୀ ଶେଷ ହେବା ଯାଏଁ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ । ୨୯ ତାରିଖ ଅପରାହ୍ନ ୪ଟା୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ହେବ। ଏହାପରେ ଏୟାରପୋର୍ଟ ରୁ ରାଜଭବନ ଯାଏଁ ରୋଡ଼ ଶୋ’ ହେବ। ଏହା ପରେ ପାର୍ଟି ଅଫିସ ପ୍ରଧାନମନ୍ତ୍ରୀ ଆସିବେ। ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ। ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ ଆଲୋଚନା କରିବେ। ପରେ ଡିଜି ସମ୍ମିଳନୀରେ ଯୋଗ ଦେବେ ।