ମୁମ୍ବାଇ ୨୩/୦୫: ସନ୍ଦୀପ ରେଡ୍ଡୀ ଭାଙ୍ଗା ନିଜର ଅପ୍‌କମିଙ୍ଗ ଫିଲ୍ମ ‘ସ୍ପିରିଟ୍‌’ ର ନାୟିକା ଭାବେ ଦୀପିକା ପାଦୁକୋନଙ୍କୁ କାଷ୍ଟ କରିଥିଲେ। କିନ୍ତୁ ଏବେ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଛି। ଏହା ପଛରେ ଦୀପିକାଙ୍କ  ମାତ୍ରାଧିକ ପାରିଶ୍ରମିକ ଦାବି ରହିଛି ବୋଲି ଚର୍ଚ୍ଚା ହେଉଛି। ଆଠ ଘଣ୍ଟାର ଶିଫ୍ଟ, ମୋଟା ଅଙ୍କର ପାରିଶ୍ରମିକ, ଲାଭରେ ଭାଗିଦାରୀ ଏବଂ ତେଲୁଗୁରେ ଡାଇଲଗ୍‌ ନ କହିବା  ଭଳି ଦାବି ଦୀପିକା କରିଥିଲେ। ଗତ ସେପ୍ଟେମ୍ବରରେ ଦୀପିକା ମା’ ହୋଇଛନ୍ତି। ସେଥିପାଇଁ ସପ୍ତାହରେ ୫ ଦିନ ୮ ଘଣ୍ଟାର ଶିଫ୍ଟରେ କାମ କରିବାକୁ ସେ ଚାହୁଁଥିଲେ। ଏସବୁ ଦାବିରେ ସନ୍ଦୀପ ଖୁସି ନଥିଲେ।  ଦୀପିକାଙ୍କୁ ଫିଲ୍ମରୁ ହଟାଇବା ପରେ ସନ୍ଦୀପ ଏବେ ନୂଆ ଫିମେଲ୍‌ ଲିଡ୍‌ଙ୍କ ଅନ୍ୱେଷଣରେ ଅଛନ୍ତି। 

୨୦୨୪, ଶେଷ ବେଳକୁ ‘ସ୍ପିରିଟ୍‌’ ର ସୁଟିଂ ହେବାର ଥିଲା। କିନ୍ତୁ ଦୀପିକା ଗର୍ଭାବସ୍ଥା ପାଇଁ  ସୁଟିଂକୁ ବାତିଲ କରାଗଲା। ମା’ ହେବା ପରେ ବ୍ୟସ୍ତତା ଯୋଗୁ ଫିଲ୍ମ କରିବାକୁ ଦୀପିକା ମନା କରିଥିଲେ। କିନ୍ତୁ ସନ୍ଦୀପଙ୍କର ଏକମାତ୍ର ପସନ୍ଦ ଦୀପିକା ଥିଲେ। କିନ୍ତୁ ଦୀପିକାଙ୍କ ହିସାବରେ ସୁଟିଂ ସମୟକୁ ସେ ବଦଳାଇଲେ। ତାପରେ ଦୀପିକା ଫିଲ୍ମ କରିବାକୁ ରାଜି ହେଲେ। କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା  ‘ସ୍ପିରିଟ୍‌’ ପାଇଁ ଦୀପିକାଙ୍କୁ  ୨୦ କୋଟି ଟଙ୍କା ଦିଆଯାଇଛି। ପ୍ରଭାସଙ୍କ ଅପୋଜିଟରେ  ସେ ନଜର ଆସିଥାନ୍ତେ। ଏବେ ସନ୍ଦୀପଙ୍କ ଫିଲ୍ମ ଛାଡିବା ପରେ ଦୀପିକା ଆଟ୍‌ଲିଙ୍କ ଅପକମିଙ୍ଗ୍‌ ତେଲୁଗୁ ଫିଲ୍ମ  ସାଇନ୍‌ କରିଛନ୍ତି।  ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଲ୍ଲୁ ଅର୍ଜୁନ୍। ଶାହରୁଖଙ୍କ ‘କିଙ୍ଗ୍‌’ ର ସୁଟିଂ ଶେଷ କରିବା ପରେ ଦୀପିକା ଆଟ୍‌ଲିଙ୍କ ଫିଲ୍ମ ସୁଟିଂରେ ଯୋଗ ଦେବେ।