ମୁମ୍ବାଇ ୧୫/୦୬: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସ୍ପିରିଟ୍‌’ରୁ ବାହାରିବା ପରଠୁ ଚର୍ଚ୍ଚାରେ ରହିଛନ୍ତି ଦୀପିକା ପାଦୁକୋନ । ଭାଙ୍ଗାଙ୍କ ‘ସ୍ପିରିଟ୍‌’ ଅନ୍ୟତମ ସବୁଠୁ ବଡ଼ ପାନ୍‌ ଇଣ୍ଡିଆ ପ୍ରୋଜେକ୍ଟ, ଯାହାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମରେ ହିରୋ ଭୂମିକାରେ ଅଛନ୍ତି ପ୍ରଭାସ । ଏଥିରେ ଅନେକ ଅନ୍ତର୍ଜାତୀୟ କଳାକାରଙ୍କ କାଷ୍ଟିଂକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି । 

ଏହି ସ୍ଥିତିରେ ଦୀପିକା ହଠାତ୍‌ ଏହି ଫିଲ୍ମରୁ ବାହାରିବା ଚର୍ଚ୍ଚାର ବିଷୟ ହେଲା । କିନ୍ତୁ ଦୀପିକା ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଲେ ନାହିଁ । ଇତିମଧ୍ୟରେ ଦୀପିକାଙ୍କ ନୂଆ ପ୍ରୋଜେକ୍ଟ ଘୋଷଣା ହୋଇଛି । ଏହାକୁ ଦେଶର ଅନ୍ୟତମ ସବୁଠୁ ବଡ଼ ଫିଲ୍ମ ବୋଲି କୁହାଯାଉଛି । ଏହା ଦୀପିକାଙ୍କ ଷ୍ଟାର୍‌ଡମ୍‌ର ପ୍ରଭାବ । ତାଙ୍କ ପାଖରେ ଏବେ ଏକାଧିକ ପ୍ରୋଜେକ୍ଟ ରହିଛି । ଶାହରୁଖ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘କିଙ୍ଗ୍‌’ରେ ସେ ନଜର ଆସିବେ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ଶାହରୁଖ୍‌ଙ୍କ ସହ ଝିଅ ସୁହାନା ବି ନଜର ଆସିବେ । ଏହା ଏକ ବିଗ୍‌ ବଜେଟ୍‌ ଆକ୍ସନ୍‌-ଏଣ୍ଟରଟେନର୍‌ ହେବ । ଅଭିଷେକ ବଚ୍ଚନ, ଅରଶଦ ୱାରସୀ, ଅନିଲ କପୁର, ଜ୍ୟାକି ଶ୍ରଫ୍‌, ଜୟଦୀପ ଅହଲାୱତ ଓ ରାନୀ ମୁଖାର୍ଜୀ ଏଥିରେ ନଜର ଆସିବେ । 

‘କଲ୍‌କି ୨୮୯୮ ଏଡି’ର ସିକ୍ୱେଲରେ ଦୀପିକା ସ୍କ୍ରିନ୍‌ ଶେୟାର କରିବେ । ଏହା ବି ମୂଳ ଫିଲ୍ମ ଭଳି ବଡ଼ ବଜେଟ୍‌ର ପାନ୍‌-ଇଣ୍ଡିଆ ପ୍ରୋଜେକ୍ଟ । ରଣବୀର କପୁରଙ୍କ ‘ବ୍ରହ୍ମାସ୍ତ୍ର’ ବଲିଉଡ୍‌ର ସୁପରହିରୋ ଫିଲ୍ମ ଥିଲା, ଯେଉଁଥିରେ ଅମୃତା ଚରିତ୍ରରେ ଦୀପିକାଙ୍କ ଝଲକ୍‌ ଦେଖିବାକୁ ମିଳିଥିଲା । ସିକ୍ୱେଲର କାହାଣୀ ଅମୃତା ଓ ଦେବର ଚରିତ୍ର ଉପରେ ଫୋକସ୍‌ କରିବ ବୋଲି ଜଣାପଡ଼ିଛି । ନିକଟରେ ‘ଯୱାନ’ ନିର୍ଦ୍ଦେଶକ ଆଟଲି ନିଜର ଅପ୍‌କମିଙ୍ଗ ଗ୍ରାଣ୍ଡ୍‌ ପ୍ରୋଜେକ୍ଟ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ସହ ସେ ଫିଲ୍ମ ନିର୍ମାଣ କରିବେ । ଦୀପିକା ତାଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିବେ । ଏହି ଘୋଷଣା ଦର୍ଶକଙ୍କ ଉତ୍ସାହ ବଢ଼ାଇଛି । ଅନ୍ୟପକ୍ଷେ, ୟଶ ରାଜ ଫିଲ୍ମସର ସ୍ପାଇ ୟୁନିଭର୍ସ ଫିଲ୍ମରେ ଅଛି ‘ପଠାନ୍‌୨’ । ଏଥିରେ ମଧ୍ୟ ଶାହରୁଖ୍‌-ଦୀପିକାଙ୍କ ଯୋଡ଼ି ଦେଖିବାକୁ ମିଳିବ । ଏ ସମସ୍ତ ବହୁଭାଷୀ ଫିଲ୍ମର ଦେଶର ଶୀର୍ଷ ଫିଲ୍ମ ତାଲିକାରେ ସାମିଲ ହେବାର ସାମର୍ଥ୍ୟ ରହିଛି । ଏହା ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହେଲେ, ଦୀପିକା ଭାରତର ଶୀର୍ଷ ଅଭିନେତ୍ରୀ ହୋଇଯିବେ ।