ଡେରାଡୁନ,୨୪/୧୧: ଆସନ୍ତାବର୍ଷ ଏପ୍ରିଲରେ ଉତ୍ତରାଖଣ୍ଡର ଡେରାଡୁନ ଅନ୍ତର୍ଗତ ରାଜପୁର ରୋଡ୍‌ରେ ଥିବା ରାଷ୍ଟ୍ରପତି ଆଶିୟାନା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେଶ ପରେ ପ୍ରସ୍ତୁତି  ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ପ୍ରମୁଖ ସଚିବ ଡକ୍ଟର ରାକେଶ ଗୁପ୍ତା ଡେରାଡୁନ  ଗସ୍ତ କରି ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ  ସହ ଏ ନେଇ ଏକ ଉଚ୍ଚସ୍ତରୀୟ  ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।  ବୈଠକରେ ପିବିଜିର କମାଣ୍ଡିଂ ଅଫିସର  କର୍ଣ୍ଣେଲ ଅମିତ ବରୱାଲ ଓ ରାଷ୍ଟ୍ରପତିଙ୍କ  ସଚିବାଳୟର ଅଫିସର ଅନ୍‌ ସ୍ପେଶାଲ  ଡ୍ୟୁଟି ସ୍ୱାତୀ ଶାହି ପ୍ରମୁଖ ଉପସ୍ଥିତ  ଥିଲେ । 

୧୮୬ ବର୍ଷ ତଳର ତଥା ୨୧  ଏକର ପରିମିତ ଏହି ବଙ୍ଗଳା ଓ ତାର  ପରିସରକୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ  ଅଙ୍ଗରକ୍ଷୀ ରେଜିମେଣ୍ଟ ବ୍ୟବହାର କରିଆସୁଛନ୍ତି । ପରିଦର୍ଶକଙ୍କୁ ମୁଖ୍ୟ  ଅଟ୍ଟାଳିକା ସହ ସେଠାରେ ଥିବା ୨୫୧ ବର୍ଷ ତଳର ପିବିଜି ରେଜିମେଣ୍ଟର ଐତିହ୍ୟ  ଏବଂ ୧୮୬ ବର୍ଷ ତଳର ଅଶ୍ୱାରୋହୀ  ବ୍ୟବସ୍ଥା ବୁଲି ଦେଖିପାରିବେ । ଏଥିସହ  ଉକ୍ତ ବଙ୍ଗଳା ପରିସରରେ ଏକ ସୁନ୍ଦର  ଉଦ୍ୟାନ, କଫିଘର, ପାର୍କିଂ ଏବଂ ବିଦ୍ୟୁତ ସୁବିଧା ରହିଛି । ଦେଶବ୍ୟାପୀ  ବିଭିନ୍ନ ସ୍ଥାନରେ ଥିବା ରାଷ୍ଟ୍ରପତି ନିବାସ  ଓ ନିଳୟ ସାଧାରଣ ଲୋକଙ୍କ ପାଇଁ  ଖୋଲିବାକୁ ଶ୍ରୀମତୀ ମୁର୍ମୁ ଆଗ୍ରହ  ପ୍ରକାଶ କରିବା ପରେ ଏଭଳି ପଦକ୍ଷେପ  ନିଆଯାଉଛି । 

ହାଇଦ୍ରାବାଦରେ ରାଷ୍ଟ୍ରପତି  ନିଳୟମ ଓ ମାସୋବ୍ରାରେ ରାଷ୍ଟ୍ରପତି  ନିବାସ ଭଳି ପ୍ରେସିଡେନ୍‌ସିଆଲ  ଇଷ୍ଟେଟ ମଧ୍ୟ ରହିଛି । ତେବେ ରାଷ୍ଟ୍ରପତି ଆଶିୟାନା ହେବ ପ୍ରଥମ  ପ୍ରେସିଡେନ୍‌ସିଆଲ ଇଷ୍ଟେଟ ଯାହାକି  ସକ୍ରିୟ ଥିବା ପିବିଜିକୁ ସାଧାରଣ ଲୋକଙ୍କ  ପାଇଁ ଖୋଲାଯାଉଛି। ଦର୍ଶକମାନେ ଏଠାରୁ  ଭାରତର ରାଷ୍ଟ୍ରପତି ଓ ସାମରିକ ଐତିହ୍ୟ  ସମ୍ପର୍କରେ ବହୁ କିଛି ଜାଣିପାରିବେ ।