କେସିଙ୍ଗା,୦୧/୦୭: ଓଡିଶା ଆଦର୍ଶ ବିଦ୍ୟାଳୟର ସ୍ଥାପନ ହେବାର ଅନେକ ବର୍ଷ ପରେ ବି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ ନିର୍ମାଣ କାମ ସରୁନାହିଁ । ଫଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ହୋଇପାରୁନାହିଁ । ତେଣୁ ଦୂର ଦୂରାନ୍ତରୁ ପାଠ ପଢିବାକୁ ଆସୁଥିବା ଛାତ୍ରମାନେ ଅସୁବିଧାର ସମ୍ମୁଖୀଲ ହେଉଛନ୍ତି । ତେବେ କଚ୍ଛପ ଗତିରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ କେବେ ସରିବ ତାକୁ ନେଇ ଉଠିଛି ପ୍ରଶ୍ନ ।
ହଷ୍ଟେଲ ସୁବିଧା ପାଇଁ ବିଲ୍ଡିଂ ନିର୍ମାଣ ନିମନ୍ତେ ପୂର୍ବ ସରକାର ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଲଇତରା ପଞ୍ଚାୟତ ମଶାଣିମୁଣ୍ଡା ମୌଜାରେ କେସିଙ୍ଗା ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ ରହିଥିବା ବେଳେ ସେଠାରେ ଛାତ୍ରମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏକ ତିନି ମହଲା ହଷ୍ଟେଲ ବିଲ୍ଡିଂ ନିର୍ମାଣ ପାଇଁ ଗତ ୨୪/୬/୨୦୨୪ ରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନିର୍ମାଣ କାମ ପାଇଁ ରାସ୍ତା ଏବଂ ବ୍ରିଜ୍ ବିଭାଗକୁ ଅନୁଦାନ ଯୋଗାଇ ଦିଆଯାଇଥିଲା । ନିର୍ମାଣକାରୀ ବିଭାଗ ଟେଣ୍ଡର କରି ଜନୈକ ଠିକାଦାରଙ୍କ ନାମରେ ଏଗ୍ରିମେଣ୍ଟ କରିଥିବା ବେଳେ ବିଲ୍ଡିଂ କାମ କିନ୍ତୁ ଅନ୍ୟ ଜଣେ ପେଟି ଠିକାଦାରଙ୍କ ଦ୍ୱାରା କାମ ହେଉଥିବା ଦେଖିବାକୁ ମିଳିଛି ।
ହେଷ୍ଟଲ ନିର୍ମାଣ କାମ ଆରମ୍ଭ ହେବାର ପ୍ରାୟ ଦେଢ଼ ବର୍ଷ ପରେ ମଧ୍ୟ ପ୍ଲିନ୍ଥ ଲେବୁଲରେ ଅଟକିଛି । କୋଟି କୋଟି ଟଙ୍କାରେ ଚାଲିଥିବା ହଷ୍ଟେଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ବି ନାହିଁ । ତେଣୁ କାର୍ଯ୍ୟ ତାହା କେବେ ଆରମ୍ଭ ହୋଇଥିଲା ଏବଂ କେବେ ସମ୍ପୂର୍ଣ୍ଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।
ନିର୍ମାଣ କାମ ବିଷୟରେ ରାସ୍ତା ଓ ସେତୁ ନିର୍ମାଣ ବିଭାଗର ଏସଡିଓ ଭୁବନେଶ୍ୱର ଶବରଙ୍କୁ ପଚାରିବାରୁ ପାଖାପାଖି ୧୦ ହଜାର ବର୍ଗଫୁଟ ବିଶିଷ୍ଟ ବିଲ୍ଡିଂ ନିର୍ମାଣ କାମ ପାଇଁ ପ୍ରାୟ ୪ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି ବୋଲି କହିଛନ୍ତି । ନିର୍ମାଣ କାମରେ ବିଳମ୍ବ ହେଉଥିବା ଅଭିଯୋଗକୁ ସେ ମଧ୍ୟ ସ୍ୱୀକାର କରିଛନ୍ତି । ଅପରପକ୍ଷରେ ହଷ୍ଟେଲ ନିର୍ମାଣ କାର୍ଯ୍ୟ ବିଳମ୍ୱକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।