ନୂଆଦିଲ୍ଲୀ,୨୭।୨: ଦିନକର ଅବକାଶ ପରେ ଦିଲ୍ଲୀ ବିଧାନସଭା ଅଧିବେଶନ ପୁଣିଥରେ ଆରମ୍ଭ ହୋଇଛି। ପ୍ରଥମ ଓ ଦ୍ବିତୀୟ ଦିନ ଅପେକ୍ଷା ଗୁରୁବାରର ଦୃଶ୍ୟ ଖୁବ୍ ଅଲଗା ଥିଲା। ଗୃହରେ କେବଳ ବିଜେପିର ୪୮ ବିଧାୟକ ଥିଲେ। ଅନ୍ୟପକ୍ଷେ ଆପ୍ ପକ୍ଷରୁ କେବଳ ଓଖଲା ବିଧାୟକ ଅମାନତୁଲ୍ଲା ଖାନ୍‌ ହିଁ ଗୃହରେ ଉପସ୍ଥିତ ଥିଲେ। ଆମ ଆଦମୀ ପାର୍ଟିର ୨୧ ବିଧାୟକ ନିଲମ୍ବନ କାରଣରୁ ବିଧାନସଭାରେ ଉପସ୍ଥିତ ନଥିଲେ। ଏଭଳି ଏକ କାର୍ଯ୍ୟାନୁଷ୍ଠାନ ପରେ ଆଜି ଦିଲ୍ଲୀ ବିଧାନସଭାରେ ବିରୋଧି ପୁରା ଖାଲିଥିଲେ। ଉଲ୍ଲେଖନୀୟ ଯେ, ଆଜି ମଦ ଦୁର୍ନୀତି ନେଇ ଆସିଥିବ କେଗ୍‌ର ପ୍ରଥମ ରିପୋର୍ଟ ଉପରେ ବିଧାନସଭାରେ ଚର୍ଚ୍ଚା ହେବ।

ଦିଲ୍ଲୀ ବିଧାନସଭାର ତୃତୀୟ ଦିନ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାପରେ ଗୃହ ଭିତରେ ବିରୋଧିଙ୍କ ଖାଲି ସିଟ୍ ଦେଖିବାକୁ ମିଳିଥିଲ। ୨୫ ଫେବୃଆରୀରେ ୩ ଦିନ ପାଇଁ ୨୧ ଆପ୍ ବିଧାୟକଙ୍କୁ ନିଲମ୍ବିତ କରିବା ପରେ ଏକାକୀ ଓଖଲା ବିଧାୟକ ଅମାନତୁଲ୍ଲାହ ଖାନ୍ ବସିଥିଲେ। ନିଲମ୍ବନ ବିରୋଧରେ ବିରୋଧି ଦଳ ନେତ୍ରୀ ଆତିଶିଙ୍କ ନେତୃତ୍ବରେ ମଧ୍ୟ ସବୁ ୨୧ ବିଧାୟକ ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆତିଶି ଅଭିଯୋଗ କରିଛନ୍ତି, ଅଧ୍ୟକ୍ଷଙ୍କ ନିର୍ଦେଶରେ ପୋଲିସ, ଆପ୍ ବିଧାୟକଙ୍କୁ ବିଧାନସଭା ପରିସରକୁ ଯିବାକୁ ଦେଇନଥିଲେ। ସେ କହିଛନ୍ତି, ଆମେ (ଆପ୍ ବିଧାୟକ) ବିଧାନସଭାରୁ ନିଲମ୍ବିତ ଅଛନ୍ତି ତେଣୁ ଆମକୁ ବିଧାନସଭା ପରିସରକୁ ପ୍ରବେଶ କରିବାକୁ ଦିଆଯାଉନି।

ଆତିଶି କହିଛନ୍ତି, ଏହ ଅଣ-ଲୋକତାନ୍ତ୍ରିକ ଓ ଅଣ ସମ୍ବିଧାନିକ। ଆଜି ପର୍ଯ୍ୟନ୍ତ ଦେଶର ଇତିହାସରେ ଏଭଳି କେବେ ବି ହୋଇଛି। କୌଣସି ବିଧାନସଭାରେ ନିର୍ବାଚିତ ବିଧାୟକଙ୍କୁ କେବେ ବି ରୋକା ଯାଇନି। ସଂସଦରେ ଗାନ୍ଧୀଙ୍କ ପ୍ରତିମା ତଳେ ନିଲମ୍ବିତ ହେବାକୁ ନେଇ ମଧ୍ୟ ବିରୋଧ ହେଉଛି। ଆତିଶି ପଚାରିଛନ୍ତି ଆମକୁ କାହିଁକି ରୋକା ଯାଉଛି ? ଆମେ ଅଧ୍ୟକ୍ଷଙ୍କ ସହ କଥା ହେବାର ଚେଷ୍ଟା କରିଥିଲୁ, କିନ୍ତୁ କଥା ହୋଇପାରିଲୁନି।   

ଉଲ୍ଲେଖନୀୟ ଯେ,୨୫ ଫେବୃଆରୀରେ ସିଏମ୍ ଅଫିସ ଭିତରେ ବାବା ସାହେବ ଆମ୍ବେଦକର ଓ ଭଗତ ସିଂହଙ୍କ ଫଟୋ ହଟାଇବା ଅଭିଯୋଗରେ ହଙ୍ଗାମା କାରଣରୁ ସ୍ପିକର ବିଜେନ୍ଦ୍ର ଗୁପ୍ତା ଆତିଶିଙ୍କ ସହ ୨୧ ବିଧାୟକଙ୍କୁ ନିଲମ୍ବିତ କରି ଦେଇଛନ୍ତି। ନିଲମ୍ବନ ୩ ଦିନ ପାଇଁ ରହିଛି। ୨୫ ଫେବୃଆରୀରେ ସେତେବେଳେ ଆପ୍‌ର ଓଖଲା ବିଧାୟକ ଅମାନତୁଲ୍ଲା ଖାନ୍ ଉପସ୍ଥିତ ନଥିଲେ। ଅମାନୁତୁଲ୍ଲାହ ଖାନ୍‌ଙ୍କ ଉପରେ ଜାମିୟା ନଗର ଥାନା ଅଞ୍ଚଳରେ  ହତ୍ୟା ଅଭିଯୁକ୍ତଙ୍କୁ ଫେରାର କରିବା ଅଭିଯୋଗରେ ମାମଲା ଚାଲିଥିଲା।  ଏହି ମାମଲାରେ ସେ ୨୫ ଫେବୃଆରୀରେ ଗୃହର କାର୍ଯ୍ୟରେ ଭାଗ ନେଇପାରିନଥିଲେ। ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଏବେ ତାଙ୍କୁ ଏହି ମାମଲାରେ ଅଗ୍ରୀମ ଜାମିନ୍ ଦେଇଛନ୍ତି। ତେବେ ତାଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ହେବ। କୋର୍ଟଙ୍କ ନିର୍ଦେଶ ପରେ ଗୁରୁବାର  ଅମାନତୁଲ୍ଲାହ ଖାନ୍‌ ଗୃହ ଭିତରେ ଉପସ୍ଥିତ ଥିଲେ।