ନୂଆଦିଲ୍ଲୀ ୦୪/୦୨: ଦିଲ୍ଲୀ ବିଧାନସଭା ନିର୍ବାଚନ  ଲାଗି ସୋମବାର ସନ୍ଧ୍ୟାରେ  ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ସବୁ ରାଜନୈତିକ ଦଳ ପକ୍ଷରୁ  ମତଦାତାଙ୍କ ମନ ଜିଣିବାକୁ  ଜୋରଦାର ପ୍ରଚାର କରାଯାଇଥିଲା ।  ବିଜେପି ପକ୍ଷରୁ ୨୨ଟି ରୋଡ୍‌ ଶୋ’ ଓ ରାଲି କରାଯାଇଥିବାବେଳେ ଆପ୍‌-କଂଗ୍ରେସ ମଧ୍ୟ ଅନେକଗୁଡିଏ ରାଲି,  ରୋଡ୍‌ ଶୋ’ କରିଥିଲେ । 

ଆସନ୍ତା ୫ ତାରିଖରେ(ବୁଧବାର) ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୭୦ଟି  ଆସନରେ ମତଦାନ ଅନୁଷ୍ଠିତ ହେବ । ୮ ତାରିଖରେ ଫଳାଫଳ ସାମ୍ନାକୁ ଆସିବ । ଦିଲ୍ଲୀରେ ଏଥରକ ୧.୫୬ କୋଟି ମତଦାତା ୧୩,୭୬୬ଟି ମତଦାନ କେନ୍ଦ୍ରରେ ସେମାନଙ୍କର ମତାଧିକାର ପ୍ରୟୋଗ କରିବେ । ସେମାନଙ୍କ ମଧ୍ୟରୁ ୮୩.୭୬  ଲକ୍ଷ ହେଉଛନ୍ତି ପୁରୁଷ, ୭୨.୩୬ ଲକ୍ଷ  ହେଉଛନ୍ତି ମହିଳା । ୧୨୫୭ ଜଣ ତୃତୀୟ ଲିଙ୍ଗୀ ବି ସାମିଲ । ଦିବ୍ୟାଙ୍ଗମାନଙ୍କ ଲାଗି  ୭୩୩ଟି ମତଦାନ କେନ୍ଦ୍ର ନିର୍ଦ୍ଧାରିତ  କରାଯାଇଛି । 

ମୁସଲିମ ଭୋଟବ୍ୟାଙ୍କକୁ ନେଇ ଆପ୍-କଂଗ୍ରେସ ଭିତରେ ମତଭେଦ, ତ୍ରିକୋଣୀୟ ମୁକାବିଲାର ଫାଇଦା ଉଠାଇବ କି ବିଜେପି?

ଏଥର ଦିଲ୍ଲୀରେ ଆମ୍‌  ଆଦ୍‌ମୀ ପାର୍ଟି(ଆପ୍‌), ବିଜେପି ଓ  କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ  ମିଳିବ । ସେଥିମଧ୍ୟରୁ  ଆପ୍‌ ଶେଷ ଦୁଇ ଥର ୨୦୧୫ ଓ ୨୦୨୦ରେ  ବିଧାନସଭା ନିର୍ବାଚନ  ଜିତିଥିଲା । ସୁଶାସନ ଓ  ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଦ୍ୱାହି ଦେଇ ଦଳ ତୃତୀୟ  ଥର ରାଜଧାନୀ ଦଖଲ କରିବାକୁ ଆଶାୟୀ  ରହିଛି । ଆପ୍‌ ପୂର୍ବରୁ କଂଗ୍ରେସ ୧୫ ବର୍ଷ  ଧରି ଦିଲ୍ଲୀରେ କ୍ଷମତାରେ ଥିଲା । ଦଳ ଏଥରକ ପୁଣି ଥରେ ଦିଲ୍ଲୀ ଦଖଲ କରିବା  ଦାବି କରିଛି । ସେହିଭଳି ବିଜେପି ୨୫  ବର୍ଷ ହେଲା ଦିଲ୍ଲୀରେ କ୍ଷମତାରୁ ଦୂରେଇ ଥିବାବେଳେ ଏଥରକ କ୍ଷମତା ହାସଲ  କରିବାକୁ ଆପ୍ରାଣ ଉଦ୍ୟମ କରୁଛି ।