ନୂଆଦିଲ୍ଲୀ,୨୯/୧୧; ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣର ତଦନ୍ତ ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ହାତରେ ବଡ଼ ସୁରାକ ଲାଗିଛି । ଆତଙ୍କୀ ଡାକ୍ତର ଶାହିନର ଆଲମିରାରୁ ନଗଦ ୧୮ ଲକ୍ଷ ଟଙ୍କା କ୍ୟାସ ଜବତ ହୋଇଛି  । ଏହି ନଗଦ ଟଙ୍କା ଶାହିନର ରୁମ ନମ୍ବର ୨୨ରେ ଥିବା ଏକ ଆଲମିରାରୁ ମିଳିଛି । ପଲିଥିନ୍‌ରେ ଲୁଚାଇ ରଖାଇଯାଇଥିଲା କ୍ୟାସ୍ ।  

ତଦନ୍ତରୁ ଜଣାପଡିଛି ଯେ, ଶାହିନ ଏହି ନଗଦକୁ ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଏକ ବ୍ରେଜା କାର କିଣିବା ପାଇଁ ବ୍ୟବହାର କରିଥିଲେ । NIA ବର୍ତ୍ତମାନ ତଦନ୍ତ କରୁଛି ଯେ, ଶାହିନ ପାଖରେ ଏତେ ପରିମାଣର ନଗଦ ଟଙ୍କା କେଉଁଠୁ କିପରି ଆସିଲା । ଏହା ସହିତ, ଏନଆଇଏ ଅଲ୍ ଫଲାହର ଏକାଡେମିକ ବ୍ଲକରେ ଶାହିନଙ୍କ ଲକର ଯାଞ୍ଚ କରିଛି । ସମସ୍ତ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏଜେନ୍ସି  ।

ଆତଙ୍କବାଦୀ ଡାକ୍ତର ଶାହିନ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ କହିଛନ୍ତି ଯେ, ସେ ଡକ୍ଟର ମୁଜାମ୍ମିଲଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀ ମଡ୍ୟୁଲରେ ଯୋଗ ଦେଇଥିଲେ ଏବଂ ମୁଜାମ୍ମିଲ ତାଙ୍କୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଥିଲେ ତାହା କରିଥିଲେ । ଏହା ବ୍ୟତୀତ, ଏଜେନ୍ସିଗୁଡ଼ିକ ତାଙ୍କ ହ୍ୟାଣ୍ଡଲର ଡକ୍ଟର ଆବୁ ଉକାଶାଙ୍କ ଟେଲିଗ୍ରାମ ଆକାଉଣ୍ଟ ମଧ୍ୟ ପାଇଥିଲେ । ଏହି ଆକାଉଣ୍ଟ ମାଧ୍ୟମରେ ୨୦୨୨ ମସିହାରେ ଡାକ୍ତର ମୁଜାଫର, ଡାକ୍ତର ଉମର ଏବଂ ଡାକ୍ତର ଆଦିଲ ତୁର୍କୀ ଯାଇଥିଲେ । ଶାହିନଙ୍କ ପରିବାର ଲକ୍ଷ୍ନୌର ଡାଲିଗଞ୍ଜର ୧୨୧ ନମ୍ବର ଘରେ ରହୁଥିଲେ । ତାଙ୍କ ବାପା କହିଛନ୍ତି  ଶାହିନଙ୍କ ତିନି ଭାଇଭଉଣୀ ଅଛନ୍ତି । ଶାହିନ ଆହ୍ଲାବାଦରେ ଡାକ୍ତରୀ ପାଠ ପଢ଼ିଥିଲେ । ସେ କାନପୁରର ଜିଏସଭିଏମ୍ ମେଡିକାଲ କଲେଜରେ ଅଧ୍ୟାପିକା ଭାବରେ କାମ କରୁଥିଲେ। ତାଙ୍କୁ ଲୋକସେବା ଆୟୋଗ ମାଧ୍ୟମରେ ଚୟନ କରାଯାଇଥିଲା । ୨୦୦୯ ରୁ ୨୦୧୦ ମଧ୍ୟରେ, ତାଙ୍କୁ କନୌଜର ସରକାରୀ ମେଡିକାଲ କଲେଜକୁ ମଧ୍ୟ ଟ୍ରାନ୍ସଫର କରାଯାଇଥିଲା । ୨୦୧୩ ମସିହାରେ ଶାହିନ କାନପୁରର ମେଡିକାଲ କଲେଜରୁ ପୂର୍ବ ସୂଚନା ବିନା ହଠାତ୍ ନିଖୋଜ ହୋଇଗଲେ ।