ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ବିସ୍ଫୋରଣ ମାମଲାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ମୃତକଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି। ଏଥିରେ ବହୁ ମୃତଦେହର ହାଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଶବ୍ଦରେ ବହୁ ମୃତକଙ୍କ ଫୁସଫୁସ, କାନର ପରଦା ଓ ପେଟର ଅନ୍ତନଳୀ ଫାଟି ଯାଇଥଲା। ବିସ୍ଫୋରଣ ପରେ ଲୋକେ କାନ୍ଥ ଓ ଚଟଣାରେ ମାଡ଼ ହୋଇଥିଲେ। ବହୁ ଲୋକଙ୍କ ମୃତ୍ୟୁର କାରଣ ବିସ୍ଫୋରଣ ଯୋଗୁଁ ଗଭୀର ଆଘାତ ଓ ଅତ୍ୟାଧିକ ରକ୍ତ ବୋହିବା ବୋଲି କୁହାଯାଉଛି। ଏହା ସହ କ୍ରାସ୍ ଇଞ୍ଜୁରୀ ପାର୍ଟନ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରୁ ଅନୁମାନ କରିହେବ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇଥିବା ପଦାର୍ଥ ଖୁବ୍ ସାଂଘାତିକ ଥିଲା। ବର୍ତ୍ତମାନ ବିସ୍ଫୋରକରେ କେଉଁ କେମିକାଲ ଥିଲା ତାହା ଜଣାପଡିନି। ଏହାର ଫରେନସିକ୍ ଯାଞ୍ଚ କରାଯାଉଛି।
ଫରିଦାବାଦ ପୁଲିସ ସ୍ପଷ୍ଟ ରୂପରେ କହିଛି, ଦିଲ୍ଲୀ ବ୍ଲାଷ୍ଟରେ ବ୍ୟବହାର ହୋଇଥିବାi20ଗାଡିକୁ ନେଇ କିଛି ଗୁଜବ ଚାଲିଛି। କୁହାଯାଉଛି ଯେ, ଏହି ଗାଡି ୧୦-୧୧ ଦିନ ହେବ ଅଲ୍-ଫଲାହ ୟୁନିଭର୍ସିଟି କ୍ୟାମ୍ପସରେ ଥିଲା। ଏହା ସତ ନୁହେଁ। ଫରିଦାବାଦ ପୋଲିସ ଏହାର ସୂଚନା ଦେଇ ନାହିଁ। ଫରିଦାବାଦ ପୁଲିସ ଏହାକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛି। ବିସ୍ଫୋରଣରେ ବ୍ୟବହାର ବିସ୍ଫୋରକର ପ୍ରକାର ଓ ସ୍ରୋତର ଯାଞ୍ଚ ପାଇଁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ମିଳିଥିବା ସାମ୍ପଲର ବିଶ୍ଲେଷଣ କରୁଛି। ଯାଞ୍ଚ ଏଜେନ୍ସି ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ବିସ୍ଫୋରଣ ପଛରେ କୌଣସି ଆତଙ୍କୀ ଷଡଯନ୍ତ୍ର ରହିଛି କି ନାହିଁ ?